ସମ୍ବଲପୁର : ଗତ ୧୨ ତାରିଖର ଆନ୍ଦୋଳନ ଓ କୋର୍ଟ ଭିତରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ୮ ଜଣ କିନ୍ନରଙ୍କ ଜାମିନ ଆବେଦନ ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ଖାରଜ ହୋଇଯାଇଛି। କୁଚିଣ୍ଡାରୁ ଆସିଥିବା ୩ ଜଣ ଓକିଲ ସେମାନଙ୍କ ପାଇଁ ଜାମିନ ଆବେଦନ କରିଥିଲେ। ହେଲେ ବହୁ ଗୁରୁତର ଦଫା ଲାଗିଥିବାରୁ ଏସ୍ଡିଜିଏମ୍ ଏହାକୁ ଖାରଜ କରି ଦେଇଥିଲେ। ଅପରପକ୍ଷରେ ଅନ୍ୟ ୩ଟି ମାମଲାରେ ଗିରଫ ହୋଇଥିବା ଓକିଲମାନଙ୍କ ମଧ୍ୟରେ ଶନିବାର ଦିନ ଜାମିନ ଆବେଦନ ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ଆବେଦନ କରାଯାଇଥିଲା। ଏହି ୩ଟି ମାମଲାରୁ ଗୋଟିଏ ମାମଲାରେ ୨୨ ଜଣ, ଆଉ ଗୋଟିଏ ମାମଲାରେ ୧୪ ଜଣ ଓ ଅନ୍ୟ ମାମଲାରେ ୧ ଜଣେ ଗିରଫ ହୋଇଛନ୍ତି। ଏମାନଙ୍କ ଜାମିନ ଆବେଦନ ଉପରେ ଆସନ୍ତା ଗୁରୁବାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ଆଇନ୍ଜୀବୀ ରଂଜନ ଶର୍ମା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଗତ ୧୨ ତାରିଖରେ ହୋଇଥିବା ଆନ୍ଦୋଳନ ଓ ସତ୍ୟାଗ୍ରହବେଳେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। କେତେକ ଆନ୍ଦୋଳନକାରୀ କୋର୍ଟ ଭିତରେ ଭଂଗାରୁଜା କରାଯିବା ସହିତ ଜିଲ୍ଲା ଜଜ୍ ଓ ଅନ୍ୟ ବିଚାରପତିମାନଙ୍କୁ ସେଠାରୁ ବାହାର କରିଥିଲେ। ଓକିଲମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସେହି ରାତିରୁ ସମ୍ବଲପୁର ପୁଲିସ୍ ଆଇନ୍ଜୀବୀମାନଙ୍କୁ ଗିରଫ କରିବା ଆରମ୍ଭ କରିଛି। ଉକ୍ତ ଘଟଣାରେ ପୁଲିସ୍ ୨୩ ଆଇନ୍ଜୀବୀଙ୍କ ସମେତ ମୋଟ ୩୨ ଜଣଙ୍କୁ ଗିରଫ କରି ସାରିଛି। ସେମାନଙ୍କ ନାମରେ ସମ୍ବଲପୁର ଟାଉନ୍ ଥାନାରେ ଅନେକ ଗୁରୁତର ଦଫା ସମ୍ବଳିତ ୪ଟି ମାମଲା ରୁଜୁ କରାଯାଇଛି।
ଅପରପକ୍ଷରେ ଗତକାଲି ଭାରତୀୟ ଆଇନଜୀବୀ ପରିଷଦ(ବିସିଆଇ) ୫୪ ଜଣ ଆଇନଜୀବୀଙ୍କ ବ୍ୟତୀତ ସମ୍ବଲପୁର ଓକିଲ ସଂଘର ସମସ୍ତ ସଦସ୍ୟଙ୍କ ଉପରୁ ଲଗାଯାଇଥିବା ନିଲମ୍ବନ ପ୍ରତ୍ୟାହାର କରି ନେଇଛନ୍ତି। ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ଆଜି ସମ୍ବଲପୁର ଓକିଲ ସଂଘର କୌଣସି ଆଇନଜୀବୀ କୋର୍ଟ କାର୍ଯ୍ୟରେ ଯୋଗ ଦେଇନଥିବା ଜଣାପଡ଼ିଛି। ଅବଶ୍ୟ ଅନେକ ଆଇନଜୀବୀ କଚେରି ଅଂଚଳରେ ଥିବା ଆଜି ଦେଖିବାକୁ ମିଳିଥିଲା।