ପଶ୍ଚିମ ଓଡ଼ିଶାରେ ଓକିଲଙ୍କ କାର୍ଯ୍ୟବନ୍ଦ ପ୍ରସଂଗ : କଠୋର ହେଲା ରାଜ୍ୟ ଆଇନଜୀବୀ ପରିଷଦ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ

କଟକ : ଆଇନଜୀବୀ ଆନ୍ଦୋଳନ ପ୍ରସଂଗରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏ ନେଇ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି। କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ପଶ୍ଚିମ ଓଡ଼ିଶାର ୧୭ଟି ବାର୍ ଆସୋସିଏସନର କର୍ମକର୍ତ୍ତାଙ୍କ ସହିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ରହିଥିବା ରାଜ୍ୟ ଆଇନଜୀବୀ ପରିଷଦ ଚେତାଇ ଦେଇଛି।

ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସହିତ ବାର୍ କାଉନସିଲ ଅଫ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦ ଅନୁରୋଧ ସତ୍ବେ ପଶ୍ଚିମ ଓଡ଼ିଶାର କେତେକ ବାର୍ ଆସୋସିଏସନ୍ ଅଦ୍ୟାବଧି ସେମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରି‌ମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ବାର୍ ଆସୋସିଏସନ ଗୁଡିକର କର୍ମକର୍ତ୍ତାଙ୍କ ବିରୋଧରେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବାର୍ କାଉନସିଲ ଅଫ୍ ଇଣ୍ଡିଆକୁ ପ୍ରସ୍ତାବ ଦିଆଯାଉଛି। ଏଥିସହିତ ପଶ୍ଚିମ ଓଡ଼ିଶାର ସେଣ୍ଟ୍ରାଲ ଆକ୍ସନ କମିଟିର କର୍ମକର୍ତ୍ତାଙ୍କ ନାମ ମଧ୍ୟ ଏପରି ପ୍ରସ୍ତାବରେ ଉଲ୍ଲେଖ କରାଯାଉଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପରି ବାର୍ ଆସୋସିଏସନ ତାଲିକାରେ ବଲାଙ୍ଗୀର ଜିଲ୍ଲା ବାର୍ ଆସୋସିଏସନ, ସମ୍ବଲପୁର ବାର୍ ଆସୋସିଏସନ୍, ବଣାଇ ବାର୍ ଆସୋସିଏସନ୍, ରାଜଗାଙ୍ଗପୁର ବାର୍ ଆସୋସିଏସନ୍, ପଦ୍ମପୁର ବାର୍ ଆସୋସିଏସନ୍, କୁଚିଣ୍ଡା ବାର୍ ଆସୋସିଏସନ୍, ଅତାବିରା ବାର୍ ଆସୋସିଏସନ, ଦେବଗଡ ଜିଲ୍ଲା ବାର୍ ଆସୋସିଏସନ୍, ରେଢାଖୋଲ୍ ବାର୍ ଆସୋସିଏସନ୍, ସୋହେଲା ବାର୍ ଆସୋସିଏସନ୍, ବରପାଲି ବାର୍ ଆସୋସିଏସନ୍, ସୋନପୁର ବାର୍ ଆସୋସିଏସନ୍, ବୀରମହାରାଜପୁର ବାର୍ ଆସୋସିଏସନ୍, ବିନିକା ବାର୍ ଆସୋସିଏସନ୍, ତରଭା ବାର୍ ଆସୋସିଏସନ, ଲୋଇସିଂହା ବାର୍ ଆସୋସିଏସନ୍, ଝାରସୁଗୁଡା ଜିଲ୍ଲା ବାର୍ ଆସୋସିଏସନ୍ ରହିଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜାନୁଆରି ୧୦ରେ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ସଂପର୍କିତ ମାମଲାର ଶୁଣାଣି କରି କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଆଇନଜୀବୀଙ୍କ ବିରୋଧରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୁପ୍ରିମକୋର୍ଟ ଆଶା ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ କେତେକ କୋର୍ଟରେ ପ୍ରତି ମାସ‌ର କେତେକ ନିର୍ଦ୍ଦିଷ୍ଟ ଦିନ କୋର୍ଟ କାର୍ଯ୍ୟ ବର୍ଜନ କରାଯାଉଛି କିମ୍ବା କେବଳ ଜାମିନ ଓ ଇଞ୍ଜକ୍ସନ ମାମଲା ଶୁଣାଣି କରାଯାଉଛି। ଏଭଳି ସ୍ଥିତି ସଂପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିବା ସହିତ ସିଭିଲ ଓ କ୍ରିମିନାଲ ଟ୍ରାଏଲ ଜାରି ରହିବା ଉପରେ ଗୁରୁତ୍ବାରୋପ କରିଥିଲେ। ନିର୍ଦ୍ଦିଷ୍ଟ ଦିବସରେ ଆଇନଜୀବୀଙ୍କ ପକ୍ଷରୁ କୋର୍ଟ ବର୍ଜନ କରାଯାଉଥିବା ବେଳେ ପସନ୍ଦମୁତାବକ କାର୍ଯ୍ୟ କରାଯାଉଥିବା ସ୍ଥିତିରେ ୨୦୧୯ ଡିସେମ୍ବର ୬ରେ ସୁପ୍ରିମକୋର୍ଟ କୋର୍ଟ କାର୍ଯ୍ୟ ସ୍ବାଭାବିକ ପ୍ରସଂଗରେ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏପରି ନିର୍ଦ୍ଦିଷ୍ଟଭାବେ ପସନ୍ଦମୁତାବକ କାର୍ଯ୍ୟ ଆଇନଜୀବୀଙ୍କ କର୍ତ୍ତବ୍ୟର ଉଲ୍ଲଂଘନ ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ। ଏପରି ପରିସ୍ଥିତିରେ ରାଜ୍ୟ ଆଇନଜୀବୀ ପରିଷଦ ଓ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ସପ୍ତାହ ଭିତରେ ଏ ନେଇ ଅବଗତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୭କୁ ଧାର୍ଯ୍ୟ କରାଯାଇଥିବା ବେଳେ ଆଇନଜୀବୀ ପରିଷଦ ପକ୍ଷରୁ ଏହି ପ୍ରସଂଗରେ ପୂର୍ବରୁ ପଦକ୍ଷେପ ନିଆଯାଇଥିଲା। କାର୍ଯ୍ୟବନ୍ଦ ଜାରି ରଖିଥିବା ଆଇନଜୀବୀମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହର କରି କାର୍ଯ୍ୟରେ ଯୋଗ ଦେବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ କହିଥିଲା। ଅନ୍ୟଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଦ୍ବାରା ଏପରି ବାର୍ ଆସୋସିଏସନ ଗୁଡିକ ବିରୋଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ପୂର୍ବରୁ ‌କୁହାଯାଇଥିଲା। ଏହାପରେ ମଧ୍ୟ ପରିସ୍ଥିତିରେ ସୁଧାରେ ଆସି ନଥିଲା ଓ କେତେକ ବାର୍ ଆସୋସିଏସନ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ଦୀର୍ଘ ଦିନ ହେବ ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଥିବା ବେଳେ ଏବେ ଆଇନଜୀବୀ ପରିଷଦର ଚେତାବନୀ ଆଗକୁ କି ରୂପ ନେବ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର