ପଶ୍ଚିମ ଓଡ଼ିଶାରେ ଓକିଲଙ୍କ କାର୍ଯ୍ୟବନ୍ଦ ପ୍ରସଙ୍ଗ : ଦୁଇଟି ଆସୋସିଏସନର ଆନ୍ଦୋଳନ ପ୍ରତ୍ୟାହାର

ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି

କଟକ : ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବଣାଇ ଓ ବରପାଲି ବାର୍ ଆସୋସିଏସନ୍ ଆନ୍ଦୋଳନରୁ ଓହରିଥିବା ସୂଚନା ମିଳିଛି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ବଣାଇ ଓ ବରପାଲି ବାର୍ ଆସୋସିଏସନ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବରପାଲି ବାର୍ ଆସୋସିଏସନ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହର କରିବା ସହିତ ୨୦୨୦, ଜାନୁଆରି ୨ରୁ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛି। ସେହିପରି ବଣାଇ ବାର୍ ଆସୋସିଏସନ୍ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିବା ସହିତ କୋର୍ଟ କାର୍ଯ୍ୟରେ ଯୋଗଦାନ କରିଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଂପାଦକ ଯଯାତି କେଶରୀ ସାମନ୍ତସିଂହାର ପ୍ରେସ୍ ବିବୃତିରେ ଦର୍ଶାଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା। କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ପଶ୍ଚିମ ଓଡ଼ିଶାର ୧୭ଟି ବାର୍ ଆସୋସିଏସନର କର୍ମକର୍ତ୍ତାଙ୍କ ସହିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ରହିଥିବା ରାଜ୍ୟ ଆଇନଜୀବୀ ପରିଷଦ ଚେତାଇ ଦେଇଥିଲା। ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସହିତ ବାର୍ କାଉନସିଲ ଅଫ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦ ଅନୁରୋଧ ସତ୍ତ୍ବେ ପଶ୍ଚିମ ଓଡ଼ିଶାର କେତେକ ବାର୍ ଆସୋସିଏସନ୍ ଅଦ୍ୟାବିଧି ସେମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରି‌ମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ବାର୍ ଆସୋସିଏସନଗୁଡିକର କର୍ମକର୍ତ୍ତାଙ୍କ ବିରୋଧରେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବାର୍ କାଉନସିଲ ଅଫ୍ ଇଣ୍ଡିଆକୁ ପ୍ରସ୍ତାବ ଦିଆଯାଉଛି।

ଜାନୁଆରି ୧୦ରେ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ସଂପର୍କିତ ମାମଲାର ଶୁଣାଣି କରି କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଆଇନଜୀବୀଙ୍କ ବିରୋଧରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୁପ୍ରିମକୋର୍ଟ ଆଶା ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ କେତେକ କୋର୍ଟରେ ପ୍ରତି ମାସ‌ର କେତେକ ନିର୍ଦ୍ଦିଷ୍ଟ ଦିନ କୋର୍ଟ କାର୍ଯ୍ୟ ବର୍ଜନ କରାଯାଉଛି କିମ୍ବା କେବଳ ଜାମିନ ଓ ଇଞ୍ଜକ୍ସନ ମାମଲା ଶୁଣାଣି କରାଯାଉଛି। ଏଭଳି ସ୍ଥିତି ସଂପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିବା ସହିତ ସିଭିଲ ଓ କ୍ରିମିନାଲ ଟ୍ରାଏଲ ଜାରି ରହିବା ଉପରେ ଗୁରୁତ୍ବାରୋପ କରିଥିଲେ। ନିର୍ଦ୍ଦିଷ୍ଟ ଦିବସରେ ଆଇନଜୀବୀଙ୍କ ପକ୍ଷରୁ କୋର୍ଟ ବର୍ଜନ କରାଯାଉଥିବା ବେଳେ ପସନ୍ଦ ମୁତାବକ କାର୍ଯ୍ୟ କରାଯାଉଥିବା ସ୍ଥିତିରେ ୨୦୧୯ ଡିସେମ୍ବର ୬ରେ ସୁପ୍ରିମକୋର୍ଟ କୋର୍ଟ କାର୍ଯ୍ୟ ସ୍ବାଭାବିକ ପ୍ରସଂଗରେ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏପରି ନିର୍ଦ୍ଦିଷ୍ଟଭାବେ ପସନ୍ଦମୁତାବକ କାର୍ଯ୍ୟ ଆଇନଜୀବୀଙ୍କ କର୍ତ୍ତବ୍ୟର ଉଲ୍ଲଂଘନ ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ। ଏପରି ପରିସ୍ଥିତିରେ ରାଜ୍ୟ ଆଇନଜୀବୀ ପରିଷଦ ଓ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ସପ୍ତାହ ଭିତରେ ଏ ନେଇ ଅବଗତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର