ସମ୍ବଲପୁର : ଏଥର ଫାଇଦାରେ ରହିବ ପଶ୍ଚିମ ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ୬ ଜଣ ବିଧାୟକଙ୍କୁ ସ୍ଥାନ ମିଳିଥିଲା। ହେଲେ, ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାକୁ ଥିବା ପରିପ୍ରେକ୍ଷୀରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ନୂଆ ମନ୍ତ୍ରୀମଣ୍ଡଳ ପାଇଁ ଚୂଡ଼ାନ୍ତ ତାଳିକାରେ ପଶ୍ଚିମ ଓଡ଼ିଶାରୁ ୭ ଜନପ୍ରତିନିଧିଙ୍କ ନାମ ରହିଛି। କେବଳ ସେତିକି ନୁହେଁ, ଆଜି ଇସ୍ତଫା ଦେଇଥିବା ୬ ଜଣ ମନ୍ତ୍ରୀଙ୍କ ମଧ୍ୟରେ କେବଳ ଜଣେ ମହିଳା ଥିବା ବେଳେ ଏଥର କିନ୍ତୁ ୨ ବିଧାୟିକାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳୁଛି।
ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବମୋଟ ୨ଟି ବିଧାନସଭା କ୍ଷେତ୍ର ଥିବା ଉଭୟ ବିଧାୟକ ନିରଂଜନ ପୂଜାରୀ ଓ ପଦ୍ମନାଭ ବେହେରା ମନ୍ତ୍ରୀ ହୋଇଥିଲେ। ସେହିପରି ବଲାଂଗୀର ଜିଲ୍ଲାରୁ ଟୁକୁନି ସାହୁ, କଳାହାଣ୍ଡି ଜିଲ୍ଲାରୁ ଦିବ୍ୟଶଙ୍କର ମିଶ୍ର, ଝାରସୁଗୁଡ଼ା ଜିଲ୍ଲାରୁ ନବକିଶୋର ଦାସ ଏବଂ ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ ମନ୍ତ୍ରୀ ଥିଲେ। ଆଜିର ଚୂଡ଼ାନ୍ତ ତାଲିକାରେ ଏହି ୬ ଜଣଙ୍କ ମଧ୍ୟରୁ କେବଳ ନିରଂଜନ ପୂଜାରୀ, ନବକିଶୋର ଦାସ ଓ ଟୁକୁନି ସାହୁଙ୍କ ନାମ ରହିଛି। ପଶ୍ଚିମ ଓଡ଼ିଶାର ସବୁଠାରୁ କ୍ଷମତାଶାଳୀ ନେତା ସୁଶାନ୍ତ ସିଂହଙ୍କ ସହିତ ପଦ୍ମନାଭ ବେହେରା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ନାହିଁ। ମମିତା ମେହେର ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ର ବିବାଦୀୟ ହୋଇପଡ଼ିଥିବାରୁ ସେ ସଂପ୍ରସାରଣ ପୂର୍ବରୁ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ନେଇ ଆଶଙ୍କା କରାଯାଉଥିବା ବେଳେ ତାହା ଏବେ ସତ ହୋଇଛି। ତେବେ, ଚୂଡ଼ାନ୍ତ ତାଲିକାରେ ସୁଶାନ୍ତ ସିଂହଙ୍କ ନାମ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତାଙ୍କୁ ସାଂଗଠନିକ ଗୁରୁଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ, ଭଲ କଥା ହେଲା ଯେ ସଂପ୍ରସାରଣ ସମୟରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ୩ ମନ୍ତ୍ରୀ ବିହୀନ ଜିଲ୍ଲା ସମ୍ବଲପୁର, ନୂଆପଡ଼ା ଓ ବୌଦ୍ଧକୁ ମନ୍ତ୍ରୀ ପଦ ଦେଇ ଏଠାକାର ଜନସାଧାରଣଙ୍କୁ ଖୁସି କରିବାକୁ ଚାହିଛନ୍ତି। ବୌଦ୍ଧରୁ ପ୍ରଦୀପ ଅମାତ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ ଓ ସମ୍ବଲପୁର ଜିଲ୍ଲାରୁ ଇଂ.ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହଙ୍କ ପରିବର୍ତ୍ତେ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଉଛି। ଏବେ ପଶ୍ଚିମ ଓଡ଼ିଶାର ଦୁଇ ବଡ଼ ଜିଲ୍ଲା ସୁନ୍ଦରଗଡ଼ ଓ କଳାହାଣ୍ଡି ମନ୍ତ୍ରୀଶୂନ୍ୟ ହୋଇଯିବ। ଦେବଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ଆସନ ଏବେ ବିଜେପି ଦଖଲରେ ରହିଛି। ରାଜ୍ୟର ଅନ୍ୟ ଅଂଚଳ ତୁଳନାରେ ପଛୁଆ ଥିବା ପଶ୍ଚିମ ଓଡ଼ିଶାରୁ ମନ୍ତ୍ରିମଣ୍ଡଳରେ ଅଧିକ ନେତାଙ୍କୁ ସାମିଲ କରାଯାଉଥିବାରୁ ଏହି ଅଂଚଳର ସ୍ବର ମୁଖରିତ ହେବା ସହିତ ଅଂଚଳର ବି ଉନ୍ନତି ହୋଇପାରିବ ବୋଲି ଆଶା କରାଯାଉଛି।