ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ବିକ୍ଷୋଭ

ଭୁବନେଶ୍ୱର : କୋଶଲ ରାଜ୍ୟ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଭୁବନେଶ୍ବରରେ ରହୁଥିବା ପଶ୍ଚିମ ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କୁ ନେଇ ଗଠିତ ସଂଗଠନ ‘ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ’ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି। ୫୦ରୁ ଊର୍ଦ୍ଧ୍ବ ଛାତ୍ର ଏକ ଶୋଭାଯାତ୍ରାରେ ଆସି ପିଏମ୍‌ଜିରେ ପହଞ୍ଚିବା ପରେ ଆବାହକ ଅଜିତ ପତିଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସଭା ହୋଇଥିଲା। ପଶ୍ଚିମ ଓଡ଼ିଶା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କ୍ରୀଡ଼ା, କୃଷି ବିଭିନ୍ନ କ୍ଷେତ୍ରରେ ଅବହେଳିତ ବୋଲି ସେମାନେ କହିଥିଲେ। ବୁର୍ଲା ଡାକ୍ତରଖାନାରେ ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ କଲେଜ ଓ ବିଶ୍ବବିଦ୍ୟାଳୟରେ ପଦବି ଖାଲି ପଡ଼ିଛି। କ୍ୟାନ୍ସର ପୀଡ଼ିତଙ୍କ ସଂଖ୍ୟାରେ ବରଗଡ଼ ଜିଲ୍ଲା ଭାରତରେ ଦ୍ବିତୀୟ ସ୍ଥାନରେ ରହିଛି। କିନ୍ତୁ କ୍ୟାନ୍ସର ହସ୍‌ପିଟାଲ ଏଠାରେ କରାଯାଇ ନାହିଁ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ବାରମ୍ବାର ଆନ୍ଦୋଳନ ହେଉଥିଲେ ମଧ୍ୟ ଏହାକୁ ପୂରଣ କରାଯାଇ ପାରୁନାହିଁ। ଚାଷୀ ଅବହେଳାର ଶିକାର ହୋଇ ଆତ୍ମହତ୍ୟା କରୁଛି। ଏ ସବୁ ସମସ୍ୟାର ସମାଧାନ ପାଇଁ ବିକଳ୍ପ ହେଉଛି କୋଶଲ ରାଜ୍ୟ ଗଠନ ବୋଲି ନରେଶ ପ୍ରଧାନ, ଉମାକାନ୍ତ ପ୍ରଧାନ, ଅଭିଷେକ ଦାଶ, ରାକେଶ ଗଡ଼ତିଆ, ରିତେଶ ବେହେରା, ଅରବିନ୍ଦ ତ୍ରିପାଠୀ, ସୁମନ୍ତ ଶତପଥୀ, ଚିନ୍ମୟ ପ୍ରଧାନ, ରଞ୍ଜନ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର