ଦକ୍ଷିଣ ଓଡ଼ିଶାର ଦାବିକୁ ଅଣଦେଖା: କୋରାପୁଟ-ଭୁବନେଶ୍ବର ସକାଳୁଆ ଟ୍ରେନ୍ ଚଳାଚଳ କେବେ?

ବିଶାଖାପାଟଣାରୁ ଜୁନାଗଡ଼କୁ ନୂଆ ଟ୍ରେନ୍ ନେଇ କ୍ଷୋଭ

ରାୟଗଡ଼ା: କୋରାପୁଟରୁ ଭୁବନେଶ୍ବରକୁ ସକାଳୁଆ ଟ୍ରେନ୍ ଚଳାଚଳ ପାଇଁ ଏକ ଦଶନ୍ଧି ଧରି ଦାବି ହୋଇ ଆସୁଛି। ଏ ନେଇ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକ। ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଜନ ପ୍ରତିନିଧି ମଧ୍ୟ ସକାଳୁଆ ଟ୍ରେନ୍ ଚଳାଚଳ ଲାଗି ସ୍ବର ଉତ୍ତୋଳନ କରିଛନ୍ତି। ବିଭିନ୍ନ କାରଣ ଦର୍ଶାଇ ରେଳ ମନ୍ତ୍ରଣାଳୟ ଦକ୍ଷିଣ ଓଡ଼ିଶାର ଏହି ଦାବିକୁ ଅଣଦେଖା କରି ଆସୁଥିବା ବେଳେ ବିଶାଖାପାଟଣାରୁ ଜୁନାଗଡ଼ ରୋଡକୁ ନୂଆ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛି, ଯାହାକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାବାସୀ ଦୈନନ୍ଦିନ ଜୀବିକା ସହ ସରକାରୀ ଓ ବେସରକାରୀ କାମ, ବାଣିଜ୍ୟ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ରହ୍ମପୁର, ଭୁବନେଶ୍ବର ଓ କଟକ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ୪ ଜିଲ୍ଲାରୁ ୩ ପ୍ରମୁଖ ସହର ବ୍ରହ୍ମପୁର, ଭୁବନେଶ୍ବର, କଟକକୁ ରାତ୍ରିକାଳୀନ ବସ୍ ଓ ଟ୍ରେନ୍ ସେବା ଛାଡ଼ିଲେ ଅନ୍ୟ କୌଣସି ଯାତାୟାତ ବ୍ୟବସ୍ଥା ନାହିଁ। ବିଭିନ୍ନ କାମରେ ଏହି ଜିଲ୍ଲାକୁ ଆସୁଥିବା ସରକାରୀ ଅଧିକାରୀ, ବେସରକାରୀ ଅନୁଷ୍ଠାନର ଅଧିକାରୀ ଦିନରେ କାମ ସାରି ନିଜ ଗନ୍ତବ୍ୟସ୍ଥଳକୁ ଫେରିବାର କୌଣସି ବ୍ୟବସ୍ଥା ନଥିବାରୁ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସଂଧ୍ୟାରେ ଜଗଦଲପୁରରୁ ଭୁବନେଶ୍ବର,  ଜୁନାଗଡ଼ରୁ ଭୁବନେଶ୍ବରକୁ ଚଳାଚଳ କରୁଥିବା ଦୁଇଟି ଟ୍ରେନ୍ ସହ ୪ ଜିଲ୍ଲାରୁ ଭୁବନେଶ୍ବର, ବ୍ରହ୍ମପୁରକୁ ଗଡୁଥିବା ବସ୍ ହିଁ ଯାତାୟାତର ଏକ ମାତ୍ର ମାଧ୍ୟମ ପାଲଟିଛି।

ଭୁବନେଶ୍ବରକୁ ସକାଳୁଆ ଟ୍ରେନ୍ କୋରାପୁଟରୁ ଭାୟା ରାୟଗଡ଼ା, ବିଶାଖାପାଟଣା ଦେଇ ଚଳାଚଳ କରିବା ଜରୁରି ଥିବା ଦର୍ଶାଇ ୪ ଜିଲ୍ଲାବାସୀ କେନ୍ଦ୍ର ରେଳମନ୍ତ୍ରୀଙ୍କଠୁ ଆରମ୍ଭ କରି ଇଷ୍ଟକୋଷ୍ଟ୍ ରେଲୱେ ଜେନେରାଲ୍ ମ୍ୟାନେଜର୍, ବିଶାଖାପାଟଣା ରେଲୱେ ଡିଭିଜିନାଲ୍ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି। ୨୦୨୧ ଅଗଷ୍ଟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଏ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅନ୍ୟପକ୍ଷରେ ସକାଳୁଆ ଟ୍ରେନ୍ ପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ନବରଙ୍ଗପୁର ସାଂସଦ ରମେଶ ମାଝି, ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ଝିନ୍ନ ହିକକା ରେଳ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ହେଲେ କୌଣସି ସୁଫଳ ମିଳିପାରିନି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ଦାବିକୁ ବିଭାଗ ଅଣଦେଖା କରୁଥିବା ବେଳେ ବିଶାଖାପାଟଣାରୁ ଜୁନାଗଡ଼କୁ ନୂଆ ଟ୍ରେନ୍ ଚଳାଚଳ କରିବା ପାଇଁ ମାର୍ଚ୍ଚ ୩୦ରେ ଘୋଷଣା କରିଛି। ନୂଆ ଟ୍ରେନ୍ ଚଳାଚଳ ପାଇଁ ଆନୁସଙ୍ଗିକ ପଦକ୍ଷେପ ସହ ଟ୍ରେନ୍ ଚଳାଚଳ ସମୟ, ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ସଂପର୍କରେ ରେଲୱେ ବୋର୍ଡକୁ ତୁରନ୍ତ ରିପୋର୍ଟ ପଠାଇବାକୁ ଇଷ୍ଟକୋଷ୍ଟ୍ ରେଲୱେ ଅଧିକାରୀ ବିଶାଖାପାଟଣା ଓ ସମ୍ବଲପୁର ଡିଆରଏମକୁ ଚିଠି ଲେଖିଛନ୍ତି।

ରେଳ ବିଭାଗକୁ ସର୍ବାଧିକ ରାଜସ୍ବ ପ୍ରଦାନ କରୁଥିବା ଅବିଭକ୍ତ କୋରାପୁଟ ଜିଲ୍ଲା ରେଳ ଭିତ୍ତିଭୂମିର ଉନ୍ନତି କ୍ଷେତ୍ରରେ ବହୁ ପଛରେ ପଡିଛଇ। ୨୦୧୯ ରେ ଘୋଷଣା ହୋଇଥିବା ରାୟଗଡ଼ା ରେଳ ଡିଭିଜନ୍ ଏଯାବତ୍ କାର୍ଯ୍ୟକାରୀ ହୋଇ ପାରୁନଥିବା ବେଳେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି, ଗୁଣପୁର-ଥେରୁବାଲି ନୂଆ ଲାଇନ୍ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇପାରୁନି। ସେହିପରି ମୁନିଗୁଡ଼ାରେ ରେଲୱେ ଓଭରବ୍ରିଜ୍, କେରାଣ୍ଡିଗୁଡା-ଚାଞ୍ଚରାଗୁଡା ଅଣ୍ଡରବ୍ରିଜ୍, ବୃନ୍ଦାବାଡି-ଭାତପୁର ଅଣ୍ଡରବ୍ରିଜ୍, ମାଝିହାଲମା-ଚାଟିକଣା ଅଣ୍ଡରବ୍ରିଜ୍ ଭଳି ବହୁ ପ୍ରକଳ୍ପ କାର୍ଯ୍ୟକାରୀରେ ରେଳ ବିଭାଗ ବିଳମ୍ବ କରି ଚାଲିଛି।

ସମ୍ବନ୍ଧିତ ଖବର