ପଶ୍ଚିମା ଝଡ଼ ପ୍ରଭାବ: ୨୪ ଘଣ୍ଟା ପରେ ବି ସ୍ବାଭାବିକ ହୋଇନି ବିଜୁଳି ଓ ଜଳ ଯୋଗାଣ

ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳରେ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ବିଦ୍ୟୁତ୍‌ ଓ ଜଳ ‌ଯୋଗାଣ ସ୍ବାଭାବିକ ହେଉନି। ଗତକାଲି ସନ୍ଧ୍ୟାରେ ପଶ୍ଚିମା ଝଡ଼ ପ୍ରଭାବରେ ବ୍ୟାସନଗରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଦ୍ୟୁତ୍‌ ତାର ଛିଡ଼ିବା ସହ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଥିଲା। ୨୪ ଘଣ୍ଟା ପୂରି ଯାଇଥିଲେ ବି ଏହାର ମରାମତି ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହେଉନଥିବା ବ‌େଳେ ପାନୀୟ ଜଳ ଯୋଗାଣରେ ମଧ୍ୟ ବାଧା ସୃଷ୍ଟି ହୋଇଛି।

ଫଳରେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନ୍ତେବାସୀ ରୋଗୀଙ୍କୁ ପିଇବା ପାଣି ଓ ଶ୍ବାସ ରୋଗୀଙ୍କୁ ନିମୁଲେଜର୍‌ ଗ୍ୟାସ ଉପଲବ୍ଧ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଗତକାଲିର ଝଡ଼ବତାସ ଓ ଆଜିର ବର୍ଷା ପରେ ବ୍ୟାସନଗର ସହରର ଝାଟିଆସାହି, ନୂଆମାର୍କେଟ, ବୀଣାପାଣି ସାହି, ଗୋଶାଳା ଛକ, ମହତାବ ନଗର, ଚୂନଭାଟି ପ୍ଲଟ୍‌, କୋପଣ୍ଡ, ମୁଣ୍ଡମାଳ, ବୀରମଣିପୁର, ଖଣ୍ଡାହତା ସମେତ ବ୍ୟାସନଗରର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇନାହିଁ। ଏପରିକି ସହରର ଚୂନଭାଟିର ଟିଣହଟିଂ ପ୍ଲଟ୍‌, ଚୂନଭାଟି ଆଦିବାସୀ ବସ୍ତି, ଗାନ୍ଧୀନଗର, ଜଗନ୍ନାଥ ଆଦିବାସୀ ବସ୍ତି, ଡାହିସାହି ଆଦିବାସୀ ବସ୍ତି, ବୀରମଣିପୁର ଆଦିବାସୀ ବସ୍ତି, ମୁଣ୍ଡମାଳ ଆଦିବାସୀ ବସ୍ତି ଅଞ୍ଚଳରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ମଧ୍ୟ ଠପ୍‌ ହୋଇଯାଇଛି।

ଫଳରେ ଆଜି ପୌରସଂସ୍ଥା ପକ୍ଷରୁ ଟ୍ୟାଙ୍କରରେ ଏହି ବସ୍ତିଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ଗୋଟିଏଗୋଟିଏ ପରିବାରକୁ ୨ ଡେକ୍‌ଚି, ୩ ଡେକ୍‌ଚି ପାଣି ଯୋଗାଇ ଦିଆଯାଇଥିଲା। ଏଥିରେ ପରିବାରର ସମସ୍ତ କାର୍ଯ୍ୟ କରିବା ସମ୍ଭବ ହୋଇନାହିଁ। ଫଳରେ ସ୍ନାନଶୌଚ ପାଇଁ ବସ୍ତିର ଲୋକମାନେ ଚୁଆ, ପୋଖରୀ ଉପରେ ନିର୍ଭର କରିଛନ୍ତି। ହୁଡ଼ିସାହି ଅଞ୍ଚଳରେ ଗତକାଲି ଠାରୁ ପିଇବା ପାଣି ମିଳୁନାହିଁ। ବିଦ୍ୟୁତ୍‌ ସଂକଟ ପାଇଁ ଏଠାରେ ଥିବା ପମ୍ପହାଉସ ଅଚଳ ହୋଇପଡ଼ିଥିବା ବ‌େଳେ ଆଜି ମାତ୍ର ଅଧଘଣ୍ଟାଏ ପାଇଁ ଜଳ ଯୋଗାଣ କରାଯାଇଥିଲା। ପାନୀୟ ଜଳ ସଂକଟ ଓ ବାରମ୍ବାର ବିଦ୍ୟୁତ୍‌ କାଟ୍‌ ପାଇଁ ଏହି ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସହରରେ ତୁରନ୍ତ ଜଳଯୋଗାଣ ଓ ବିଦ୍ୟୁତ୍‌ ସେବା ସ୍ବାଭାବିକ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର