ପୁରୀ: ସୁନାକୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ଶ୍ରୀବିଗ୍ରହ। ସୁସ୍ଥ ହେବାପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା। ଅନ୍ଧାକାରମୟ ପିଣ୍ଡିକୁ ଏକମାତ୍ର ଦୀପ ଆଲୋକିତ କରୁଛି। ଭଗବାନଙ୍କ ଅସୁସ୍ଥତାରେ ଶ୍ରୀମନ୍ଦିର ନିରବ ହୋଇଯାଇଛି। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର ସୁସ୍ଥହେବାରେ ଯେପରି କୌଣସି ବିଘ୍ନ ନ ଘଟେ, ସେ ନେଇ ଘଣ୍ଟଘଣ୍ଟା, ସଂଗୀତ, କୀର୍ତ୍ତନ, ସବୁକିଛି ଶ୍ରୀମନ୍ଦିରରେ ବନ୍ଦ ରଖାଯାଇଛି। ଶ୍ରୀବିଗ୍ରହମାନଙ୍କୁ ସୁସ୍ଥ କରିବା ପାଇଁ ସେବାରେ ଲାଗି ପଡ଼ିଛନ୍ତି ଦଇତାପତି ସେବକ। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ମହାପ୍ରଭୁଙ୍କ ଭଳି ସମସ୍ତ ଦଇତାପତି ସେବକମାନେ ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି।

Advertisment

ଆଜି ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି। ସ୍ନାନଯାତ୍ରାରୁ ମହାପ୍ରଭୁ ପରିଧାନ କରିଥିବା ଓଦା ବସ୍ତ୍ର ଫିଟାଯାଇଛି। ଏବେ ମହାପ୍ରଭୁଙ୍କୁ ପଥିଭୋଗ ଲାଗି କରାଯାଉଛି। ନାନାଦି ଫଳମୂଳ, କ୍ଷୀର, ଛେନା, ସର ଆଦିରେ ପ୍ରସ୍ତୁତ ଚକଟା ଭୋଗ ଶ୍ରୀଜିଉଙ୍କଠାରେ ଲାଗି କରାଯାଇଛି। ପରେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ପଣା ସହ ଫୁଲୁରୀ ତେଲ ଲାଗି ହେବ। ବେହେରଣ ଦ୍ବାର ଫିଟିବା ପରେ ଦଇତାପତିମାନେ ଏହି ଦ୍ବାର ଦେଇ ପ୍ରବେଶ କରି ଆଜିର ଗୁପ୍ତନୀତି ସାରିବା ପରେ ପୁନର୍ବାର ବେହେରଣ ଦ୍ବାର ବନ୍ଦ ହେବା ସହ ଜୟବିଜୟ ଦ୍ବାର ଫିଟାଯାଇଛି। ପରେ ଶ୍ରୀମନ୍ଦିରର ‌ଅନ୍ୟାନ୍ୟ ଦୈନନ୍ଦିନ ନୀତି ଆରମ୍ଭ ହୋଇଛି। ଅନ୍ୟପଟେ ଶୁକ୍ଳ ବସ୍ତ୍ର ସହ ଫୁଲ ବି ଧଳା ରଙ୍ଗର ଠାକୁରଙ୍କଠାରେ ଲାଗି ହୋଇଛି। ଅସୁସ୍ଥତା କାରଣରୁ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ବି ଲାଗି ହୋଇନାହିଁ।

ଏସମ୍ପର୍କରେ ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ଅଣସର ପାଇଁ ଟଗର ସହ ଅନ୍ୟାନ୍ୟ ଧଳାଫୁଲକୁ ମହାପ୍ରଭୁଙ୍କଠାରେ ଲାଗି କରାଯାଇଛି। ଅନ୍ୟ କୌଣସି ରଙ୍ଗର ଫୁଲ ଅଣସର ପିଣ୍ଡିକୁ ନିଷେଧ କରାଯାଇଛି। ଧଳାଫୁଲ ଅଭାବ ନ ଥିଲେ ମଧ୍ୟ ଉପଲବ୍ଧତା କମ୍‍ ଥିବାରୁ ମହାପ୍ରଭୁଙ୍କୁ ଲାଗି କରିବା ପାଇଁ ଚାହୁଥିବା ଭକ୍ତମାନେ ଗାରଦ କାର୍ଯ୍ୟାଳୟ କିମ୍ୱା ମୁକ୍ତିମଣ୍ଡପ ନିକଟରେ ଥିବା ନୃସିଂହ ମନ୍ଦିରଠାରେ ଧଳାଫୁଲ ପ୍ରଦାନ ପାଇଁ ବିଭିନ୍ନ ଦ୍ବାରରେ ‌ଥିବା ଜେଟିପି କିମ୍ବା ପୁଲିସଙ୍କ ସହଯୋଗ ନେଇ ଧଳାଫୁଲ ଦେଇପାରିବେ ବୋଲି ଶ୍ରୀ ଦାସମହାପାତ୍ର।