ବରଗଡ଼ : ବର୍ଷା ଛିଞ୍ଚିବ ବୋଲି ପାଣିପାଗ ପୂର୍ବାନୁମାନ ଥିଲା। ଯାହା ଚାଷୀ ମହଲରେ ଚିନ୍ତା ବଢ଼ାଇ ଦେଇଥିଲା। ଏଣେ ଦୁଇଦିନ ହେଲା ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। ସବୁଠି କୋହଲା ପାଗ ଲାଗି ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଯାଏଁ ଟୋକନ ବିଭ୍ରାଟ ଲାଗି ରହିଛି। ଚାଷୀ ଧାନ କାଟି ବିଲରେ ରଖିଛି। କିନ୍ତୁ ଟୋକନ୍ ମିଳିନଥିବାରୁ ଧାନ ମଣ୍ଡିକୁ ଆଣିନାହିଁ। ଅନ୍ୟପକ୍ଷରେ କିଛି ସ୍ଥାନରେ ଟୋକନ୍ ନଥିଲେ ବି ଚାଷୀମାନେ ଧାନକୁ ସୁରକ୍ଷା ଦେବା ପାଇଁ ମଣ୍ଡିକୁ ଆଣି ଗଦା କରୁଛନ୍ତି। ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ ହେଁ ଟୋକନ୍ ବିବାଦର ଅନ୍ତ ହୋଇନାହିଁ। ବିଲରେ ପଡ଼ିଥିବା ଧାନକୁ ଚାଷୀ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛି।
ଅଧିକାଂଶ ଚାଷୀଙ୍କୁ ଟୋକନ୍ ମିଳିନଥିବାରୁ ମଣ୍ଡିକୁ ଏଯାଏଁ ପର୍ଯ୍ୟାପ୍ତ ଧାନ ଆସିନାହିଁ। ଫଳରେ ମଣ୍ଡି ଏବଂ କ୍ରୟ କେନ୍ଦ୍ରଗୁଡ଼ିକରେ ଅଳ୍ପ ଧାନକୁ ସୁରକ୍ଷିତ ଭାବେ ରଖାଯାଇଛି। ହେଲେ ବିଲରେ ପଡ଼ିଥିବା ଧାନ ଭିଜିଛି। ଚାଷୀ ଖୋଲା ଆକାଶରେ ଧାନବସ୍ତା ପକାଇ ରଖିଛନ୍ତି। ବର୍ଷା ଯୋଗୁଁ ଧାନ କଟ୍ନି ଛଟ୍ନି ପାଇଁ ପଥ ପରିଷ୍କାର ହୋଇଯାଇଛି। ମିଲର୍ସ ମାନେ ପୂର୍ବରୁ ଗନି ବ୍ୟାଗ୍ ଆଳରେ ଯାହା ଧାନ କାଟି ଦେଉଥିଲେ। ଧାନର ଆର୍ଦ୍ରତା ବଢ଼ୁଥିବା ଦର୍ଶାଇ କଟ୍ନି ଛଟ୍ନି ଆହୁରି ବଢ଼ିବା ଆଶଂକା ସୃଷ୍ଟି ହୋଇଛି।
ବର୍ତମାନ ବରଗଡ଼ ଆର୍ଏମ୍ସି ଅଧିନରେ ଥିବା ମଣ୍ଡି ଏବଂ କେନ୍ଦ୍ର ଗୁଡ଼ିକରେ ୩,୦୫,୪୭୪ କ୍ବିଣ୍ଟାଲ ଧାନ ଉଠିଛି। କଳାପାଣି ୟାର୍ଡରେ ଗତକାଲି ୧୩୯୮ ପାକେଟ୍ ଧାନ ଥିଲା। ଆଜି ୬୨୪୫ ପାକେଟ୍ ମାତ୍ର ଧାନ ପହଂଚିଥିଲା। ସେଥିରୁ ୪୭୯୯ ପାକେଟ୍ ଧାନ ଉଠିଛି। ଏବେ ୨୮୪୪ ପାକେଟ୍ ମଣ୍ଡିରେ ପଡ଼ିଛି। ବରଗଡ଼ ଆର୍ଏମ୍ସି ଅଂଚଳରେ ବୁଧବାର ୨୮,୩୯୦ ପାକେଟ୍ ଧାନ ଗଚ୍ଛିତ ଥିଲା। ଗୁରୁବାର ୩୨,୫୯୯ ପାକେଟ୍ ଧାନ ପହଂଚିଥିଲା। ଏଥିରୁ ମୋଟ୍ ୩୦,୩୩୭ ପାକେଟ୍ ଧାନ ଉଠିଥିବାବେଳେ ୩୦,୬୬୨ ପାକେଟ୍ ଧାନ ପଡ଼ିଛି। ବର୍ଷା ଆଶଂକାରେ ପୂର୍ବରୁ ଜିଲ୍ଲା ପ୍ରଶାସନ ଆର୍ଏମ୍ସି ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ପଲିଥିନ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଆଭ୍ୟନ୍ତରୀଣ ଅଂଚଳରେ ଥିବା ଅସ୍ଥାୟୀ ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କୁ ପଲିଥିନ୍ ମିଳିନଥିବା ଅଭିଯୋଗ ହୋଇଛି। ଚାଷୀ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ପଲିଥିନ୍ କିଣି ଧାନକୁ ସୁରକ୍ଷା ଦେଇଛି। ଯଦି ଲଗାତାର ବର୍ଷା ହୁଏ ତାହେଲେ ବହୁ ପରିମାଣ ରେ କ୍ଷତି ହେବାର ସମ୍ଭାବନା ରହିଛି।