କଟକ : ନିୟମିତ ପାଟ୍ରୋଲିଂ ସତ୍ତ୍ବେ ଉଚ୍ଛେଦ କରାଯାଇଥିବା ସ୍ଥାନରେ ପୁଣି ବେଆଇନ ଚିଙ୍ଗୁଡ଼ି ଘେରି ଗଢ଼ି ଉଠିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ର ପଟାନାସିରେ କେଉଁ ପରିସ୍ଥିତିରେ ପାଟ୍ରୋଲିଂ ସତ୍ତ୍ବେ ଚିଙ୍ଗୁଡ଼ି ଘେରି ପୁଣି ଗଢ଼ି ଉଠିଛି, ସେ ନେଇ ତୁରନ୍ତ ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣାରେ ସ୍ଥାନୀୟ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ପୂର୍ବରୁ ଉଚ୍ଛେଦ କରାଯାଇଥିବା ସ୍ଥାନରେ ନିର୍ମାଣ କରାଯାଇଥିବା ସାନି ଘେରିକୁ ଉଚ୍ଛେଦ କରାଯିବ। ଉଚ୍ଛେଦ ସମୟର ଭିଡିଓ ରେକର୍ଡିଂ କରାଯିବ। ଏକ ସପ୍ତାହ ଭିତରେ ପୁରୀ ଜିଲ୍ଲାପାଳ ପଟାନାସିର ଉଚ୍ଛେଦ ପ୍ରକ୍ରିୟା ସଂପର୍କିତ ଭିଡିଓ ଓ ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆର୍ଦ୍ରଭୂମି ସୁରକ୍ଷା ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ବେଆଇନ ଘେରି ଉଚ୍ଛେଦର ସାନି ସ୍ଥିତି ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୭କୁ ଧାର୍ଯ୍ୟ କରାଯାଇଛି।
ଗୁରୁବାର ଦିନ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆମିକସ୍କ୍ୟୁରି ଦର୍ଶାଇଥିଲେ ଯେ କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ପଟାନସୀ ଅଞ୍ଚଳରେ ପୂର୍ବରୁ ୫ ଥର ବେଆଇନ ଘେରି ଉଚ୍ଛେଦ କରାଯାଇଥିଲା। କିନ୍ତୁ ଏହାପରେ ମଧ୍ୟ ସଂପୃକ୍ତ ସ୍ଥାନରେ ପୁଣି ବେଆଇନ ଘେରି ନିର୍ମାଣ କରାଯାଇଛି। ଏ ନେଇ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଧମକ ଚମକ ଦେଉଛନ୍ତି। ଅନ୍ୟପକ୍ଷରେ; ପୁରୀ ଜିଲ୍ଲାପାଳଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ପଟାନାସୀ ଅଞ୍ଚଳରେ ବେଆଇନ ଘେରି ନିର୍ମାଣ ପ୍ରସଂଗକୁ ନେଇ ଦୁଇଟି ମାମଲା ରୁଜୁ ହୋଇଛି। ଆମିକସ୍କ୍ୟୁରି ଦାଖଲ କରିଥିବା ଫଟୋଗ୍ରାଫରୁ ବେଆଇନ ଘେରି ପୁଣି ଗଢ଼ି ଉଠିଥିବା ସ୍ପଷ୍ଟ ହେବାପରେ ହାଇକୋର୍ଟ ତୁରନ୍ତ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ଆଜି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍କ୍ୟୁରି ମୋହିତ୍ ଅଗ୍ରୱାଲ୍ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/chilika-f.jpg)