ଆର୍ଦ୍ରଭୂମି ସୁରକ୍ଷା ମାମଲା: ବେଆଇନ ଘେରି ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

କଟକ: ବେଆଇନ ଘେରି ଉଚ୍ଛେଦ ଉପରେ ହାଇକୋର୍ଟ ଗୁରୁତ୍ବ ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ଗୁରୁତ୍ବ ଦେବା ସହିତ ସରଜମିନ ତଦନ୍ତ କରରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଆର୍ଦ୍ରଭୂମି ସୁରକ୍ଷା ତଥା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ସମ୍ପର୍କିତ ମାମଲାରେ ହାଇକୋର୍ଟ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଦୁଇଟି ଦଳ ଗଠନ କରି ଯାଞ୍ଚ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାଟେଲାଇଟ୍‌ ଚିତ୍ରରୁ ଶତାଧିକ ବେଆଇନ ଘେରି ସଂପର୍କରେ ସୂଚନା ମିଳିଥିବାବେଳେ ଏହି ଦୁଇ ଦଳ ସରଜମିନ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ସେହିଭଳି, ଭାବେ ପୁରୀ ଜିଲ୍ଲାରେ ବେଆଇନ ଘେରି ଉଚ୍ଛେଦ ପରେ ପୁଣି ସଂପୃକ୍ତ ସ୍ଥାନରେ ଘେରି ଗଢ଼ିଉଠୁଛି ବୋଲି ଆଜି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।

ଏଭଳି ଘେରି ତୁରନ୍ତ ଉଚ୍ଛେଦ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ପୁରୀ ଜିଲ୍ଲାପାଳ ଅବଗତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର