ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ମାମଲା: ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ ନିର୍ଦ୍ଦେଶ

କଟକ : ଆର୍ଦ୍ରଭୂମି ସୁରକ୍ଷା ମାମଲାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ‌ ଶୁଣାଣି କରି ଚିଲିକା ଓ ଭିତରକନିକା ଅଞ୍ଚଳର ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ ଉପରେ ଗୁରୁତ୍ବାରୋପ କରିଛନ୍ତି।

ହାଇକୋର୍ଟ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଉଥିବା ସ୍ଥାନରେ କିଛିଦିନ ପରେ ପୁଣି ଘେରି ଗଢ଼ିଉଠିବା ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ପାଟ୍ରୋଲିଂ ଯଦି କଡ଼ାକଡ଼ି କରାଯିବ, ତେବେ ବେଆଇନ ଘେରି ଗଢ଼ିଉଠିବା ସହଜ ହେବନାହିଁ। ଏଥିପାଇଁ ଡ୍ରୋନ୍ ମାଧ୍ୟମରେ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆଜି ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀ ଦର୍ଶାଇଥିଲେ। ଏହାଦ୍ବାରା କମ୍ ଖର୍ଚ୍ଚ ହେବ ଓ ଉପଯୁକ୍ତ ଢଙ୍ଗରେ ପାଟ୍ରୋଲିଂ ହୋଇ ପାରିବ। ଅନେକ ସମୟରେ ପାଟ୍ରୋଲିଂ ଦଳ ନଜରରେ ପଡୁଥିବା ବେଆଇନ ଘେରି ପ୍ରସଂଗରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ନାହିଁ। ଫଳରେ, ବେଆଇନ ଘେରି ଉଚ୍ଛେଦ ହୋଇ ପାରୁ ନାହିଁ ବୋଲି ଆମିକସ୍ କ୍ୟୁରୀ ଦର୍ଶାଇଥିଲେ। ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ ଦ୍ବାରା ବେଆଇନ ଘେରି ଓ କାର୍ଯ୍ୟକଳାପ ରେକର୍ଡ ହୋଇ ପାରିବ ବୋଲି ‌େସ କହିଥିଲେ। ଆମିକସ୍ କ୍ୟୁରୀଙ୍କ ପ୍ରସ୍ତାବକୁ ପୁରୀ ଜିଲ୍ଲାପାଳ ସ୍ବାଗତ କରିବା ସହିତ ଡ୍ରୋନ୍ କ୍ୟାମେରା ଦ୍ବାରା ପାଟ୍ରୋଲିଂ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଥିଲେ। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ ପ୍ରସଂଗକୁ ରାଜ୍ୟ ସରକାର ବିଚାରକୁ ନେଇ ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗଙ୍ଗୁଆ ନାଳ ପ୍ରଦୂଷଣ ପ୍ରସଙ୍ଗ: ସମୟ ଲୋଡ଼ିଲେ ସରକାର

ସେପ୍ଟେମ୍ବର ୧୫ରେ ଗଙ୍ଗୁଆ ନାଳ ପ୍ରଦୂଷଣ ପ୍ରସଂଗରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଆଜି ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଗଙ୍ଗୁଆ ନାଳ ଜଳ ଦୟା ନଦୀରେ ପ୍ରବେଶ କରିବା ଓ ଦୟାନଦୀ ଜଳ ଚିଲିକାରେ ମିଶିବାରୁ ଏହାର ଜଳ ପ୍ରଦୂଷିତ ହେଉଥିବା ନେଇ ଆମିକସ୍ କ୍ୟୁରୀ ସେପ୍ଟେମ୍ବର ୧୫ରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭର୍ଚୁଆଲ ମୋଡରେ ଉପସ୍ଥିତ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ମଧ୍ୟ ଗଙ୍ଗୁଆର ପ୍ରଦୂଷିତ ଜଳ ଦୟାନଦୀ ଦେଇ ଚିଲିକାରେ ମିଶୁଛି ବୋଲି କହିଥିଲେ। ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର