ଆର୍ଦ୍ରଭୂମି ସୁରକ୍ଷା ପ୍ରସଂଗ: ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ

ହାଜର ହେବେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ

କଟକ : ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଂଗରେ ଆଜି ଶୁଣାଣି ହୋଇଥିବା ବେଳେ ଦାଖଲ ସତ୍ୟପାଠରେ ଆବଶ୍ୟକ ତଥ୍ୟ ନ ଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲାର ଶୁଣାଣି କରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଲିକା ଓ ଭିତରକନିକାରେ ଜବରଦଖଲ କରି ବେଆଇନ ଚିଙ୍ଗୁଡିଘେରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ହାଜର ହୋଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୨କୁ ଧାର୍ଯ୍ୟ କରାଯାଇଛି।

ଆଜି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ତରଫରୁ ପୃଥକ୍‌ ସତ୍ୟପାଠ ଦାଖଲ କରାଯାଇଥିଲା। ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଚିଲିକାରୁ ଜବରଦଖଲ ଓ ବେଆଇନ ଚିଙ୍ଗୁଡିଘେରି ଉଚ୍ଛେଦ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଏ ସଂପର୍କିତ ଷ୍ଟାଟସ୍‌ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏଥି ସହିତ କେତେ ପରିମାଣର ଜବରଦଖଲ ଉଚ୍ଛେଦ ବାକି ରହିଛି ସେ ନେଇ ମଧ୍ୟ ତଥ୍ୟ ଦାଖଲ କରାଯାଇଥିଲା। କୋଭିଡ୍‌-୧୯ ସ୍ଥିତି ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ଶେଷ ପାଇଁ ଅଧିକ ସମୟ ଲୋଡ଼ା ବୋଲି ଅଧିକାଂଶ ସତ୍ୟପାଠରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଏପ୍ରିଲ ୨୯ର ନିର୍ଦ୍ଦେଶ ଅନୁସାରେ ବେଆଇନ ଘେରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସତ୍ୟପାଠରେ ନ ଥିଲା। ଏଭଳି ସ୍ଥିତିରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପରବର୍ତ୍ତୀ ଶୁଣାଣି ସମୟରେ ଚାରି ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚିଲିକା ଓ ଭିତରକନିକାରୁ ବେଆଇନ ଘେରି ଉଚ୍ଛେଦ ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ସହିତ ବେଆଇନ ଘେରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ପାଇଁ ଏପ୍ରିଲ ୨୯ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର