ଆର୍ଦ୍ରଭୂମି ସୁରକ୍ଷା ମାମଲା : ଜଙ୍ଗଲ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ବୈଠକ, ଉଚ୍ଛେଦ ପ୍ରକ୍ରିୟାର ହେବ ଭିଡିଓ ରେକର୍ଡିଂ

ଚିଲିକାର ୧୬୯.୯୩ ବର୍ଗ କିଲୋମିଟର ଅଞ୍ଚଳରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ, ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ପାଇଁ ନିର୍ଦ୍ଦେଶ

କଟକ : ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକ‌ରେ ଉପସ୍ଥାପନ କରାଯାଇଥିବା ରିପୋର୍ଟ ଓ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂପର୍କରେ ବିସ୍ତୃତ ଭାବେ ହାଇକୋର୍ଟଙ୍କୁ ଅବଗତ କରାଯିବ। ବେଆଇନ ଚିଙ୍ଗୁଡି ଘେରି ସଂପର୍କରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁଯାୟୀ ଚିଲିକାରେ ୧୫୧.୪୭ ବର୍ଗ କିଲୋମିଟର ଅଞ୍ଚଳରେ ବେଆଇନ ଜାଲ ଘେରି ରହିଥିବା ବେଳେ ୧୦୩.୫୬ ବର୍ଗ କିଲୋମିଟର ଅଞ୍ଚଳରେ ମାଟି ବନ୍ଧ ଘେରି ନିର୍ମାଣ କରାଯାଇଥିଲା। ପୁରୀ ଜିଲ୍ଲାରେ ୨୨୪.୮୦ ବର୍ଗ କିଲୋମିଟର, ଗଞ୍ଜାମ ଜିଲ୍ଲାରେ ୧୭.୦୨ ବର୍ଗ କିଲୋମିଟର, ଖୋର୍ଦ୍ଧା ଜିଲ୍ଲାରେ ୧୩.୨୧ ବର୍ଗ କିଲୋମିଟର ଅଞ୍ଚଳରେ ବେଆଇନ ଘେରି ରହିଥିଲା। ପୁରୀରେ ଚିଲିକାରୁ ୧୪୧.୧୭ ବର୍ଗ କିଲୋମିଟର ଅଞ୍ଚଳରୁ ବେଆଇନ ଜାଲ ଘେରି ଓ ମାଟିବନ୍ଧ ଘେରି ଉଚ୍ଛେଦ କରାଯାଇଥିବା ବେଳେ ‌ଗଞ୍ଜାମରେ ୧୫.୫୫ ବର୍ଗ କିଲୋମିଟର ଅଞ୍ଚଳରୁ ଏପରି ବେଆଇନ ଘେରି ପ୍ରଶାସନ ଉଚ୍ଛେଦ କରିଛି। ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ କରାଯାଇଥିବା ସମସ୍ତ ଅଞ୍ଚଳରୁ ବେଆଇନ ଘେରି ଉଚ୍ଛେଦ କରାଯାଇଛି। ଏବେ ଚିଲିକାରେ ୮୫.୧୦ ବର୍ଗ କିଲୋମିଟର ବେଆଇନ ଘେରି ରହିଛି। ଏଥି ସହିତ ଚିଲିକା ଜଳ ନିକଟରୁ ୨ କି.ମି. ଭିତରେ ଥିବା ଅଞ୍ଚଳରେ ମଧ୍ୟ ପୋଖରୀ କରି ବେଆଇନ ଚିଙ୍ଗୁଡି ଚାଷ କରାଯାଉଛି ଏହାର ପ୍ରଭାବ ଆଦ୍ରଭୂମି ସୁରକ୍ଷା ଉପରେ ପଡୁଛି।

ପୁରୀ ଜିଲ୍ଲାରେ ୨୯୦ ଏକର ଜମି, ଗଞ୍ଜାମରେ ୭୯ ଏକର ଜମି ଓ ଖୋର୍ଦ୍ଧା ଜିଲ୍ଲାରେ ୧୧୪ ଏକର ଜମିରେ ଏପରି ବେଆଇନ କାର୍ଯ୍ୟ କରାଯାଉଛି। କେବଳ ଗଞ୍ଜାମ ଜିଲ୍ଲାରେ ୨୫ ଏକର ଜମିରୁ ଆଂଶିକ ଏପରି ବେଆଇନ ଚିଙ୍ଗୁଡି ଚାଷକୁ ଉଚ୍ଛେଦ କରାଯାଇଛି। ଚିଲିକା ପାଣିରେ ରହିଥିବା ଅବଶିଷ୍ଟ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଳାପାଳ ତୁରନ୍ତ ଆକ୍ସନ ପ୍ଲାନ୍ କରି ପଦକ୍ଷେପ ନେବେ। ଏଥି ସହିତ ଚିଲିକା ହ୍ରଦ ବାହାରେ ନିକଟବର୍ତ୍ତୀ ଅଞ୍ଚଳରେ କୋଷ୍ଟାଲ ଆକ୍ବାକଲଚର ଅଥରିଟି ଆକ୍ଟର ଉଲ୍ଲଂଘନକରି ଗଢି ଉଠିଥିବା ବେଆଇନ ଚିଙ୍ଗୁଡି ଚାଷକୁ ଉ‌େ‌ଚ୍ଛଦ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବେ। ଆକ୍ସନ ପ୍ଲାନ୍ ଅନୁସାରେ ବେଆଇନ ଚିଙ୍ଗୁଡି ଘେରି ଉ‌େଚ୍ଛଦ କରାଯିବ ଓ ଏଥି ପାଇଁ ଆବଶ୍ୟକ ପୁଲିସ ଫୋର୍ସ ଉପଲବ୍ଧ କରାଯିବ। ସମଗ୍ର ଉଚ୍ଛେଦ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ। ଉଚ୍ଛେଦ ପୂର୍ବର ଓ ପରର ଭିଡିଓ ରେକର୍ଡିଂ ହେବ। ଚିଲିକା ଉନ୍ନୟନ କର୍ତ୍ତପକ୍ଷ ସାଟେଲାଇଟ ଫଟୋ ସହାୟତାରେ ନିୟମିତ ଭାବେ ଏହି ପ୍ରକ୍ରିୟାର ତଦାରଖ କରିବେ। ଏଥି ସହିତ ଚିଲିକାକୁ ସଂଯୋଗ କରୁଥିବା ବିଭିନ୍ନ ନାଳ ଓ କେନାଲରେ ଯେପରି ପାଣି ଓ ମାଛ ଅବାଧରେ ଚଳାଚଳ କରି ପାରିବେ ତାହା ସୁନିଶ୍ଚିତ କରାଯିବ।

କୋଷ୍ଟାଲ ଆକ୍ବାକଲଚର ଅଥରିଟି ଆକ୍ଟ, ୨୦୦୫ ଉଲ୍ଲଂଘନ କରି ଚାଲିଥିବା ବେଆଇନ ଚିଙ୍ଗୁଡି ଘେରି ଓ ପୋଖରୀକୁ ତୁରନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା‌ ଗୁଡିକୁ କୁହାଯାଇଛି। ଏଥି ପାଇଁ ପ୍ରସ୍ତୁତ ତାଲିକା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ସହିତ ବେଆଇନ ଘେରି ଉ‌େ‌ଚ୍ଛଦ କରାଯାଇଥିବା ଅଞ୍ଚଳରେ ପାଟ୍ରୋଲିଂ କରିବା ପାଇଁ ସରକାର ଏକ ପ୍ଲାଟୁନ୍ ‌ଫୋର୍ସ ଦେଇଥିବାରୁ ବେଆଇନ ଘେରି ପୁନଃ ନିର୍ମାଣ ସମ୍ଭବ ହେଉ ନାହିଁ। ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଆଧାରରେ ଚିଲିକାରେ ଜବର ଦଖଲ ପ୍ରସଂଗକୁ ନେଇ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ଜିଲ୍ଲାପାଳମାନେ ପଦ‌େକ୍ଷପ ଗ୍ରହଣ କରିବେ। ପାଲୁର କେନାଲରେ କୋଷ୍ଟାଲ ରେଗୁଲେସନ୍ ଜୋନ୍ ରୁଲ୍ସ ଉଲ୍ଲଂଘନ କରି ଗଢି ଉଠିଥିବା ଫାର୍ମ ଗୁଡିକ ଉଚ୍ଛେଦ ପାଇଁ ଗଞ୍ଜାମ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବେ ଓ କାର୍ଯ୍ୟକାରୀ ରିପୋର୍ଟ ଦାଖଲ କରିବେ। ଚିଲିକାରେ ବେଆଇନ ଘେରି ଉଚ୍ଛେଦ ପ୍ରସଂଗରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟାକାରୀ କରିବା ପୂର୍ବରୁ ମତ୍ସ୍ୟଜୀବୀଙ୍କ ଆପତ୍ତି ଓ ଅଭିଯୋଗକୁ ବିଚାରକୁ ନେବା ପାଇଁ ଚିଲିକା ଦ୍ବୀପାଞ୍ଚଳ ପେସାଦାର ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ମତ୍ସଜୀବୀଙ୍କ ସମସ୍ୟା ସଂପର୍କରେ ଲିଖିତ ଆପତ୍ତି ଦାଖଲ କରାଯାଇଥିଲା। ଏହି କମିଟି‌ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆମିକସ୍ କ୍ୟୁରି ମୋହିତ ଅଗ୍ରୱାଲ, ପିସିସିଏଫ୍(ୱାଇଲ୍ଡ ଲାଇଫ), ପରିବେଶ ନିର୍ଦ୍ଦେଶକ କେ.ମୁରୁଗେସନ୍, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ ନିର୍ବାହୀ ସୁଶାନ୍ତ ନନ୍ଦ, ଖୋର୍ଦ୍ଧା ଏଡିଏମ୍ ଯୋଗ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଲାପାଳଙ୍କ ସହିତ ରାଜସ୍ବ ଓ ମତ୍ସ ବିଭାଗ ସହିତ କେନ୍ଦ୍ର ସରକାର ପକ୍ଷଭୁକ୍ତ ହୋଇଛନ୍ତି। ବେଆଇନ ଚିଙ୍ଗୁଡି ଘେରି, ଅନୁପ୍ରବେଶକାରୀଙ୍କ ଦୌରାତ୍ମ୍ୟ ସହିତ ଚିଲିକା ଓ ଭିତରକନିକାରେ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ପ୍ରତିକାର ସଂପର୍କରେ ଆମିକସ୍ କ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି। ଏଥି ସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଛି।

ସମ୍ବନ୍ଧିତ ଖବର