ଗୋପାଳପୁର ବନ୍ଦର ଜେଟିରେ ଲାଗିଲା ହ୍ବେଲ୍‌ ସାର୍କ, ସମୁଦ୍ରରେ ଛାଡ଼ିଲେ ମତ୍ସ୍ୟଜୀବୀ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବନ୍ଦର ପରିସରରେ ଜେଟିରେ ଆଜି ସକାଳୁ ସକାଳୁ‌ ଏକ ହ୍ବେଲ ସାର୍କ ଦେଖିବାକୁ ମିଳିଥିଲା। ବୃହତକାୟ ମାଛକୁ ଦେଖି ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଜେସିବି ସାହାଯ୍ୟରେ ଏହି ବୃହତକାୟ ସାର୍କକୁ ସମୁଦ୍ରରେ ଛାଡ଼ିଥିବା ଜଣାପଡ଼ିଛି। ତେବେ ଏ ସଂକ୍ରାନ୍ତରେ ବନ ବିଭାଗ ନିକଟରେ କୌଣସି ସୂଚନା ନାହିଁ।

ଆଜି ଭୋର ସମୟରେ ଗୋପାଳପୁର ବନ୍ଦର ଜେଟି ନିକଟସ୍ଥ କୂଳରେ ଏକ ହ୍ବେଲ୍‌ ସାର୍କ ରହିଥିବା ଦେଖିବାକୁ ମିଳିଥିଲା। ସାର୍କଟି ଜୀବତ ଥିଲା। ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ଧରିବା ସମୟରେ ଜାଲରେ ପଡ଼ି କୂଳକୁ ଆସି ଯାଇଥିବା କେହି କେହି କହୁଥିବା ବେ‌ଳେ ସାର୍କଟି ଆଘାତ ପାଇ କୂଳକୁ ଚାଲିଆସିଥିବା କିଛି ମତ୍ସ୍ୟଜୀବୀ କହୁଛନ୍ତି। ତେବେ ସାର୍କଟି କୂଳକୁ କିଭଳି ଆସିଲା ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ସାର୍କର ଲମ୍ବ ୧୫ଫୁଟ ହୋଇଥିବା ବେଳେ ଓଜନ ୬କ୍ବିଣ୍ଟାଲ୍‌ରୁ ଅଧିକ ହେବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଏହି ହ୍ବେଲ୍‌ ସାର୍କକୁ ଦେଖିବା ଲାଗି ଜେଟି ନିକଟରେ ମତ୍ସ୍ୟଜୀବୀମାନଙ୍କ ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର