କଟକ: କଟକ ସହରରୁ ମିଳିଥିବା ବାଘ ଛାଲ ଘଟଣା ପଛର ମୁଖ୍ୟ କାର୍ପଟଦାର୍ ହେଉଛନ୍ତି ଗଞ୍ଜାମ ଜିଲ୍ଲା ନୂଆଗାଁ ଥାନା ବାରିଆକୋଟାର ବୃନ୍ଦାବନ ପାଇକ ଓରଫ ଟୁକୁନା(୩୪) ଓ ତାର ସହଯୋଗୀ ଶିକାରୀ ପୂଜାରିପାଲି ଗାଁର ଗୁରୁନାଥ ପାଇକ(୩୨)। ଏହି ଦୁଇ ଶିକାରୀ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରତ୍ନେଇ ପାହାଡ଼ରେ ବାଘ ଶିକାର କରିଥିଲେ। ଏହି ଶିକାର ପରେ ଛାଲକୁ ଆଣି କଟକ ଜିଲ୍ଲା ମାହାଙ୍ଗାରେ ପହଞ୍ଚିଥିଲେ। ମାହାଙ୍ଗାରୁ କଲିକତାର ରାହୁଲ ମିଶ୍ରକୁ ବିକ୍ରି କରିବା ପୂର୍ବରୁ ବନ ବିଭାଗ ଏହି ରାକେଟର ପର୍ଦ୍ଦାଫାସ କରିଛି। ମଙ୍ଗଳବାର ଦିନ ଏହି ଦୁଇ ଶିକାରୀଙ୍କ ସମେତ ବାଘ ଛାଲକୁ କିଣିଥିବା ଏଜେଣ୍ଟ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସିଙ୍ଗିପୁରର ଜିତେନ୍ଦ୍ର ପ୍ରଧାନ ଓରଫ ଜିତୁ(୩୦), ଧରାକୋଟ ଥାନା ବାରିଗୁଡ଼ାର ଗୌତମ ମଲ୍ଲିକ(୩୩), ମୋହନା ଥାନା ପ୍ରତାପପୁରର ତବତିଆ ପାଇକ(୫୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ନିକଟରୁ ଶିକାର ହୋଇଥିବା ବାଘର ଗୋଟିଏ ନଖ ଓ ତିନୋଟି ମୋବାଇଲ୍ ଫୋନ୍ ଜବତ ହୋଇଛି।

Advertisment

କଟକ ସହରରେ ଗଲା ୫ ତାରିଖରେ ଧରାପଡ଼ିଥିବା ବାଘ ଛାଲ ଘଟଣାରେ ବନ ବିଭାଗ ପ୍ରଥମେ ମାହାଙ୍ଗା ଥାନା ଅନ୍ତର୍ଗତ କୁହୁଣ୍ଡା ଗାଁର କୁଆଁପାଳର ପ୍ରମୋଦ ଜେନା ଓ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ଗାଁର ରବିନାରାୟଣ ବାରିକ ଓରଫ ରାହୁଲ(ଇଞ୍ଜିନିୟର)କୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ମଙ୍ଗଳବାର ପୁରା ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି। ୨୦୧୯ରେ ଉଭୟ ବୃନ୍ଦାବନ ଓ ଗୁରୁନାଥ ଏହି ବାଘ ଶିକାର କରିଥିଲେ। ଶିକାର ପରେ ବୃନ୍ଦାବନ ବାଘ ଛାଲ ନିଜ ଘରେ ରଖିଥିଲା। ଏହା ପରେ ସେ ଗଲା ବର୍ଷ ଡିସେମ୍ବରରେ ତବତିଆକୁ ମାତ୍ର ୨୫ହଜାର ଟଙ୍କାରେ ବିକ୍ରି କରିଥିଲା। ତବତିଆ ଏହାକୁ ଗୌତମକୁ ବିକ୍ରି କରିଥିଲା। ଗୌତମ ପରେ ଜିତେନ୍ଦ୍ରକୁ ବିକ୍ରି କରିଥିଲା। ଜିତେନ୍ଦ୍ର ଗଲା ଡିସେମ୍ବରରେ ମାହାଙ୍ଗା ଆସିଥିଲା। ସେଠାରେ ସେ ପ୍ରମୋଦକୁ ବାଘ ଛାଲ ବିକ୍ରି କରିଥିଲା। ପ୍ରମୋଦ ଘରେ ଗୌତମ ୮ ଦିନ କାଳ ରହିଥିଲା। ତାମିଲନାଡ଼ୁର ଏକ କମ୍ପାନିରେ ଉଭୟ ପ୍ରମୋଦ ଓ ଗୌତମ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା। ସେହି ସୂତ୍ରରେ ଗୌତମ ମାହାଙ୍ଗା ଆସି ବାଘ ଛାଲ ବିକ୍ରି କରିବା ସହିତ ତା’ ଘରେ ରହିଥିଲା। ପ୍ରଥମେ ପ୍ରମୋଦ ଓ ରବିନାରାୟଣ କଟକରେ ଧରାପଡ଼ିବା ପରେ ସେମାନଙ୍କୁ ପଚରାଉଚରା ପରେ କ୍ରମାନ୍ବୟରେ ସବୁ ଘଟଣା ସାମନାକୁ ଆସିଥିଲା। ଶେଷରେ ବନ ବିଭାଗ ମୂଳ ଶିକାରୀ ନିକଟରେ ପହଞ୍ଚି ତାକୁ ଠାବ କରିଥିଲା। ଶିକାରୀ ବୃନ୍ଦାବନ ନିକଟରୁ ବନ ବିଭାଗ ଶିକାର ହୋଇଥିବା ବାଘ ନଖ ଜବତ କରିଛି। ଏହି ବାଘ ନଖକୁ ସେ ଲକେଟ୍ କରି ପିନ୍ଧୁଥିଲା। ବୃନ୍ଦାବନ ମାତ୍ର ୨୫ ହଜାର ଟଙ୍କାରେ ଏହି ଛାଲ ବିକ୍ରି କରିଥିବା ବେଳେ ମାହାଙ୍ଗାର ପ୍ରମୋଦ ଓ କେନ୍ଦ୍ରାପଡ଼ାର ରବିନାରାୟଣ ଏହାକୁ ୬୦ ହଜାର ଟଙ୍କାରେ କଲିକତାର ରାହୁଲକୁ ବିକ୍ରି ଯୋଜନା କରୁଥିବା ତଦନ୍ତ ସମୟରେ ଜଣାପଡ଼ିଛି।

ଏହି ରାକେଟରେ ପ୍ରଥମେ ଧରାପଡ଼ିଥିବା ରବିନାରାୟଣ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ସେ ୟୁପିଏସସି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ଧରାପଡ଼ିଥିବା ଶିକାରୀ ବୃନ୍ଦାବନ ବାରିଆକୋଟାରେ ଚାଷ କାମ ସହିତ ଠିକାଦାରୀ ବି କରୁଥିଲା। ସହଯୋଗୀ ଶିକାରୀ ଗୁରୁନାଥ ପୂଜାରିପାଲିରେ ଚାଷ କାମ କରୁଥିଲା। କିନ୍ତୁ ସେ ପୂର୍ବରୁ ବାଙ୍ଗାଲୁରରେ ରହି କାମ କରୁଥିଲା। ଏଜେଣ୍ଟ ଜିତେନ୍ଦ୍ର ଯୁକ୍ତ ଦୁଇ ପଢ଼ିଥିବା ବେଳେ ଏବେ ଘରେ ଥିଲା। ଗୌତମ ଜଣେ ଆଇଟିଆଇ ଛାତ୍ର। ତବତିଆ ପ୍ରତାପପୁରରେ ପରିବା ବ୍ୟବସାୟ କରି ପରିବାର ଚଳାଉଥିଲା। ବର୍ତ୍ତମାନ କଲିକତାର ରାହୁଲକୁ ଠାବ କରିବା ସହିତ ବାଘର ଅବଶିଷ୍ଟ ନଖ ଠାବ କରିବାକୁ ଉଦ୍ୟମ କରାଯାଉଛି। ଏହି ରାକେଟକୁ ଦିଲ୍ଲୀ ସ୍ଥିତ ଵାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଓ ବନ ବିଭାଗର ମିଳିତ ସହଯୋଗରେ ପର୍ଦ୍ଦାଫାସ କରିଥିବା ସୂଚନା ମିଳିଛି।