ଭବାନୀପାଟଣା: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ ପରିସରରେ ଆତ୍ମହତ୍ୟା ଘଟଣା ପରେ ଜେଲର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ପୂର୍ବରୁ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଟିଟିଲାଗଡ଼ ପୁଲିସ ବାରାକ୍ରୁ ଫେରାର ହୋଇ ପରେ ଏକ ଆଖୁବାଡ଼ିରୁ ଗିରଫ ହୋଇଥିଲା। ଏହି ଦୁଇ ଘଟଣାରେ ଓଡ଼ିଶାର ଥାନା ଓ ଜେଲମାନଙ୍କ ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଗୋବିନ୍ଦ ସାହୁ ଫେରାର ହେବା ଓ ବର୍ତ୍ତମାନ ଆତ୍ମହତ୍ୟା କରିବା ଘଟଣା ରାଜନୈତିକ ପୃଷ୍ଠଭୂମିର ସମ୍ପୃକ୍ତିକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି।
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଏହାର ମାଲିକ ଗୋବିନ୍ଦ ସାହୁକୁ ପୁଲିସ୍ ୨୦୨୧ ଅକ୍ଟୋବର ୧୪ ତାରିଖରେ ଗିରଫ କରିଥିଲା। ଟିଟିଲାଗଡ଼ ଥାନା ବାରାକ୍ରେ ଜେରା ପାଇଁ ଗୋବିନ୍ଦ ସାହୁକୁ ରଖାଯାଇଥିଲା। ୧୮ ତାରିଖ ସେଠାରେ ବିଜୁଳି ନଥିବାର ସୁଯୋଗ ନେଇ ରାତିଅଧିଆ ପାଚେରି ଡେଇଁ ଫେରାର ହୋଇଥିଲା। ପରେ ୨୧ ତାରିଖ ଏକ ଆଖୁ କିଆରିରୁ ପୁଲିସ୍ ଗୋବିନ୍ଦକୁ ଗିରଫ କରିଥିଲା। ସେହିଭଳି ଜେଲ ଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ସର୍ଭିଲେନ୍ସ ଥିବା ସତ୍ତ୍ବେ ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣା ଉଭୟ ଥାନା ଓ ଜେଲର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପୂର୍ବରୁ ପ୍ରମାଣ ନଷ୍ଟ ଉଦ୍ୟମ, ଏବେ ଆତ୍ମହତ୍ୟା
ଗତ କିଛି ଦିନ ତଳେ ଗୋବିନ୍ଦ ସାହୁର ସମ୍ପର୍କୀୟ ତଥା ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତୀ ଚନ୍ଦନ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଅଭିଯୋଗରେ କଣ୍ଟାବାଞ୍ଜି ପୁଲିସ୍ ଦ୍ବାରା ଗିରଫ ହୋଇଥିଲେ। ସେମାନେ ବର୍ତ୍ତମାନ କଣ୍ଟାବାଞ୍ଜି ଜେଲରେ ଅଛନ୍ତି। ଏହି ଦୁଇ ବ୍ୟକ୍ତି ସାକ୍ଷୀମାନଙ୍କୁ ପ୍ରଭାବିତ କରି ଧମକ ଚମକ ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ। ଏହି ୨ ଜଣ ଗିରଫ ହେବା ପରେ କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସହ ମିଶି କଣ ରଣନୀତି ପ୍ରସ୍ତୁତ କରିଥିଲେ ତାହା ତଦନ୍ତ ସାପେକ୍ଷ ଅଟେ।