ଭୁବନେଶ୍ବର: ରାଜଧାନୀରେ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। କେଉଁଠି ଜୀବନ ଚାଲିଯାଉଛି ତ ଆଉ କେଉଁଠି ଦୁର୍ଘଟଣାର ଶିକାର ବ୍ୟକ୍ତି ଅକର୍ମଣ୍ୟ ହୋଇ ପଡ଼ୁଛନ୍ତି। ସ୍ଥିତି ଏମିତି ଯେ ଗତ ୩ ମାସ ଭିତରେ ୭୩ରୁ ଊର୍ଦ୍ଧ୍ବ ଅମୂଲ୍ୟ ଜୀବନ ଅକାଳରେ ଝଡ଼ିପଡ଼ିଛି। ଏହି ଅବଧି ଭିତରେ ଘଟିଥିବା ୨୪୮ ଦୁର୍ଘଟଣାରେ ୮୭ ଜଣ ଗୁରୁତର ହୋଇଛନ୍ତି ଏବଂ ୧୧୩ ଜଣ ଆହତ ହୋଇଛନ୍ତି। ଡିସେମ୍ବର ମାସରେ ସର୍ବାଧିକ ୯୯ଟି ଦୁର୍ଘଟଣା ଘଟିଥିବାବେଳେ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଜାନୁଆରିରେ ଘଟିଥିବା ୭୯ ଦୁର୍ଘଟଣାରେ ୨୧ ଜଣ ଓ ଫେବ୍ରୁଆରିରେ ୭୦ଟି ଦୁର୍ଘଟଣାରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ରାଜଧାନୀର ଏହି ଉଦ୍‌ବେଗଜନକ ଚିତ୍ର ବୟାନ କରୁଛି, ରାଜଧାନୀ ରାସ୍ତ‌ା କେତେ ଭୟଙ୍କର ଓ ଦୁର୍ଘଟଣାପ୍ରବଣ। ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ସବୁଠୁ ଅଧିକ ଦୁର୍ଘଟଣାପ୍ରବଣ। ସହର ଭିତର ରାସ୍ତା ବି କିଛି କମ୍ ନୁହେଁ। ତେଣୁ ଥରେ ଘରୁ ଗୋଡ଼ କାଢ଼ି ଘରକୁ ନ ଫେରିବା ପର୍ଯ୍ୟନ୍ତ ପରିବାର ଲୋକ ଶାନ୍ତିରେ ନିଶ୍ବାସ ନେଇ ପାରୁନାହାନ୍ତି।

Advertisment

୨୪୮ ଦୁର୍ଘଟଣାରେ ୮୭ ଗୁରୁତର
୨୯ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ, ତଥାପି ଲାଗୁନି ବିରାମ

ଉଦ୍‌ବେଗର କଥା ହେଉଛି, ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କେବଳ ପ୍ରହସନ ପାଲଟିଛି। ରାଜଧାନୀରେ ୨୯ଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ହୋଇଛି। ଏହା ପରେ ବି ସେସବୁ ଜାଗାରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାପ୍ରବଣ ଅଞ୍ଚଳକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରି ସେଠାରେ କେବଳ ସୂଚନା ଫଳକଟିଏ ଲଗାଇ ଦିଆଯାଉଛି। ବାସ୍ ସେତିକିରେ କାମ ଶେଷ। କିନ୍ତୁ ଯେଉଁସବୁ କାରଣ ପାଇଁ ସେଠାରେ ଦୁର୍ଘଟଣା ଘଟୁଥିଲା ବା ଘଟୁଛି, ତାହାର ନିରାକରଣ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଦୁର୍ଘଟଣା ମୃତ୍ୟୁ ଚିନ୍ତାଜନକ ହେବାରୁ ଏହାର କାରଣ ଖୋଜିବା ପାଇଁ ବିଭିନ୍ନ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଗଲା। ସର୍ଭେ ରିପୋର୍ଟରେ ଦର୍ଶାଗଲା ଯେ ଅଧିକାଂଶ ସ୍ଥାନରେ ରୋଡ୍‌ ଇଂଜିନିୟରଂ ବା ଡିଜାଇନ୍‌ରେ ସମସ୍ୟା ରହିଛି। ରାଜଧାନୀର ଗଙ୍ଗପଡ଼ା ଛକ ଜାତୀୟ ରାଜପଥଠାରୁ ଆରମ୍ଭ କରି ବାଟଭୁଆସୁଣି, ପିତାପଲ୍ଲୀ, ବରମୁ୍ଣ୍ଡା ଓଭରବ୍ରିଜ୍‌ ଉପର, ରମାମଣି ପେଟ୍ରୋଲ୍‌ ପମ୍ପ ସମ୍ମୁଖ, ଖଣ୍ଡଗିରି ଛକ, କୋଳଥିଆ, ଆଇଗିଣିଆ, ପାତ୍ରପଡ଼ା, ଗୋହିରା, କଳିଙ୍ଗବିହାର, ତମାଣ୍ଡୋ ଓଭର୍‌ବ୍ରିଜ୍‌, ଗାନ୍ଧୀ ମାର୍କେଟ୍‌ ଛକ, ହସଂପାଳ, ପଳାସୁଣୀ, ସତ୍‌ସଙ୍ଗ୍‌ ବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ଜୟଦେବବିହାର, ଓଗାଳପଡ଼ା ଓଭର୍‌ବ୍ରିଜ୍‌, ନାଲ୍‌କୋ, ଉତ୍କଳ ହସ୍ପିଟାଲ୍‌, ଟଙ୍କପାଣି ସାଇମନ୍ଦିର ରୋଡ୍‌, ରଘୁନାଥପୁର, ରବି ଟକିଜ୍‌ ଛକ ଭଳି ୨୯ଟି ସ୍ଥାନକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ଏଥିପାଇଁ ସେଠାରେ ରୋଡ୍‌ ଡିଜାଇନ୍‌କୁ ବଦଳାଇବା କଥା। କିନ୍ତୁ ତାହା ହୋଇ ପାରିଲା ନାହିଁ। ଫଳରେ ସେଠାରେ ପୂର୍ବରୁ ଯେମିତି ଦୁର୍ଘଟଣା ଘଟୁଥିଲା, ବର୍ତ୍ତମାନ ଅଧିକ ଦୁର୍ଘଟଣା ଘଟୁଛି ଏବଂ ଲୋକଙ୍କ ଜୀବନ ଯାଉଛି। 

ସେହିପରି ଭାରୀଯାନଗୁଡ଼ିକର ବେପରୁଆ ଓ ଦ୍ରୁତଗତି ଯୋଗୁ ଜାତୀୟ ରାଜପଥ ଓ ସହର ଭିତରେ ରୀତିମତ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥରେ ପଳାସୁଣୀରୁ ଆରମ୍ଭ କରି ଗଙ୍ଗପଡ଼ା ପର୍ଯ୍ୟନ୍ତ ଓ ସହର ଭିତରେ ଜୟଦେବବିହାର ନନ୍ଦନକାନନ ରାସ୍ତାରେ ଭାରୀଯାନଗୁଡ଼ିକ ଦ୍ରୁତବେଗରେ ଚଳାଚଳ କରୁଛନ୍ତି। ସେମାନଙ୍କ ଉପରେ କାହାର ନିୟନ୍ତ୍ରଣ ନାହିଁ। ରାତିରେ ଏହି ସବୁ ରାସ୍ତାରେ ଭାରୀଯାନମାନଙ୍କ ଗତି ଉପରେ ନଜର ରଖିବାକୁ କୌଣସି ବିଭାଗର ଉତ୍ତରଦାୟିତ୍ବ ରହୁନଥିବା ଅଭିଯୋଗ ହେଉଛି। ଦିନ ବେଳା ଟ୍ରାଫିକ୍‌ ପୁଲିସ ଜରିମାନା ଆଦାୟରେ ବ୍ୟସ୍ତ ରହୁଥିବା ବେଳେ ରାତି‌ରେ ଭାରୀଯାନମାନଙ୍କୁ ମୁକୁଳା ଛାଡ଼ି ଦିଆଯାଉଛି। ସ୍ମାର୍ଟ ସିଟିରେ ସ୍ବୟଂଚାଳିତ ଟ୍ରାଫିକ୍‌ ବ୍ୟବସ୍ଥା ରହିଥିଲେ ବି କୌଣସି ଗୋଟିଏ ଟ୍ରାଫିକ୍‌ରେ ଏହାକୁ ଠିକ୍‌ ଭାବେ ଲାଗୁ କରାଯାଇ ନାହିଁ। ଯାହାଦ୍ବାରା ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାଛଡ଼ା ମଦ୍ୟପ ଚାଳକଙ୍କ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବିଭିନ୍ନ ସର୍ଭେରୁ ଜଣାପଡ଼ିଛି। ଗତ ୩ମାସର ଦୁର୍ଘଟଣା ମଧ୍ୟରୁ ଅଧିକାଂଶ ବ୍ଲାକ୍‌ସ୍ପଟ୍‌ ଅଞ୍ଚଳରେ ହିଁ ଘଟିଛି। ତେଣୁ ପୁଲିସ ଓ ପରିବହନ ବିଭାଗ ଏ ଦିଗରେ ଅଧିକ ଚିନ୍ତା ପ୍ରକଟ କରିବା କଥା। କିନ୍ତୁ ସ୍ଥିତି କହୁଛି ଉଭୟ ବିଭାଗର ନିଘା ନାହିଁ। ଆଉ ‌କେତେ ଜୀବନ ଗଲେ, କେତେ ଲୋକ ବିକଳାଙ୍ଗ ଓ ଅକର୍ମଣ୍ୟ ହେଲେ ସରକାର ଚେତିବେ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।