ଭୁବନେଶ୍ୱର : ଏତେ ଦିନ ପର୍ଯ୍ୟନ୍ତ ୱେବ୍‌ ପୋର୍ଟାଲ୍‌ ‘ସମ୍ପୂର୍ଣ୍ଣ’ କାର୍ଯ୍ୟାଳୟରେ ଡେରା ପକାଇଥିଲେ ଶର୍ମିଷ୍ଠାର ନଣନ୍ଦ। ଭଦ୍ରକ ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ ଉକ୍ତ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ ଚଳାଇଥିଲେ ବି ଏହି ନଣନ୍ଦ କାର୍ଯ୍ୟାଳୟକୁ ଜଗି ରହିଥିଲେ। କିନ୍ତୁ ଗତକାଲି ରାତିରୁ ସେ ପଳାଇଛନ୍ତି। ଶନିବାର ଦିନ କାର୍ଯ୍ୟାଳୟରେ କ୍ରାଇମ୍‌ବ୍ରାଞ୍ଚ ହତ୍ୟା ସିନ୍‌ ରିକ୍ରିଏସନ୍‌ କରିବାର ଥିବାରୁ ନଣନ୍ଦ ତା’ ପୂର୍ବରୁ ଚମ୍ପଟ ମାରିବା ଘଟଣା ପୁଲିସ ପାଇଁ ଅଡ଼ୁଆ ବଢ଼ାଇଛି।

Advertisment

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ଶନିବାର ଦିନ ସିନ୍ ରିକ୍ରିଏନସ୍ କରିବା ପାଇଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଂଜନ ସେଠୀକୁ ସାଙ୍ଗରେ ଧରି ସୁନ୍ଦରପଦା ନିକଟସ୍ଥ ସ୍କାଏ ଟାଵାର୍ ଆପାର୍ଟମେଣ୍ଟ୍‌କୁ ଆସିଥିଲା। ସେଠାରେ ଥିବା ‘ସଂପୂର୍ଣ୍ଣ’ ଅଫିସ୍‌ ଭିତରକୁ ନେଇଥିଲା। ଅପରାହ୍ଣ ୨ଟା ୩୦ରୁ ୪ଟା ୪୫ମିନିଟ୍ ପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ୍ ସିନ୍ ରିକ୍ରିଏସନ୍ କରିଥିଲା। ଏହି ୨ଘଣ୍ଟା ୧୫ମିନିଟ୍‌ର ସିନ୍ ରିକ୍ରିଏସନ୍ ଭିତରେ ପୁଲିସ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ଲାଗିଛି।

ତେବେ ଆପାର୍ଟମେଣ୍ଟ କମିଟି ପକ୍ଷରୁ ମିଳିଥିବା ସୂଚନାନୁସାରେ ଶର୍ମିଷ୍ଠା ଫେରାର୍ ହେବା ପରଠାରୁ ଏଠାରେ ତାଙ୍କ ନଣନ୍ଦ ରହୁଥିଲେ। ଗତକାଲି ରାତିରେ ସେ କାର୍ଯ୍ୟାଳୟ ଛାଡ଼ି ପଳାଇଛନ୍ତି। ଗଲାବେଳେ ସାଙ୍ଗରେ କିଛି ଆସବାବପତ୍ର ସାଙ୍ଗକୁ ବହୁ ରେକର୍ଡପତ୍ର ନେଇ ଯାଇଛନ୍ତି। ତେବେ ସେମାନେ ନଣନ୍ଦଙ୍କଠାରୁ ଏକ ଅଣ୍ଡରଟେକିଂ ଲେଖି ରହିଛନ୍ତି ବୋଲି କହିଛନ୍ତି। ସେ ସାଙ୍ଗରେ ଯାହା ଯାହା ନେଇଛନ୍ତି, ତା’ର ସବୁ ତାଲିକା କରି ସେମାନେ ଲେଖାଇବା ସହ ତାଲିକାରେ ତାଙ୍କ ଦସ୍ତଖତ କରାଇଛନ୍ତି।