ଜଗଦୀଶଙ୍କ ଆତ୍ମଦାହ କଥା ଉଠାଇଲେ ଜୟନାରାୟଣ, ମାନବିକତା କ’ଣ ହଜିଗଲାଣି?

ଭୁବନେଶ୍ବର : ଶୁକ୍ରବାର ଦିନ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନୂଆପଡ଼ା ଜିଲ୍ଲାର ଜଗଦୀଶ ଚୌହାନଙ୍କ ଆତ୍ମଦାହ ପ୍ରସଙ୍ଗ ଉଠାଇଛନ୍ତି। ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଲେ ଯେ ନୂଆପଡ଼ା ଜିଲ୍ଲାର ସାଲିଆସ୍ଥିତ କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ ଜଣେ ଦିବ୍ୟାଙ୍ଗ ଓ ଅନୁସୂଚିତ ଜାତିର। ସେ ଋଣ କରି ଏକ ଲୁନା ଗାଡି କିଣିଥିଲେ। ଗାଡ଼ିର କିସ୍ତି ଦେବାକୁ ତାଙ୍କର ସାମର୍ଥ୍ୟ ନଥିଲା। ଜମି ବିକି ଗାଡି ଋଣ ସୁଝିବାକୁ ଚାହୁଁଥିଲେ। ସେ ଅନୁସୂଚିତ ଜାତି ସଂପ୍ରଦାୟର ହୋଇଥିବାରୁ ସଂପତ୍ତି ବିକି ପାରି ନଥିଲେ। ଏଥି ପାଇଁ ସେ ଏକ ବର୍ଷରୁ ଅଧିକ ସମୟ ଚେଷ୍ଟା କଲେ। କିନ୍ତୁ ତହସିଲ୍‌ ଅଫିସ୍‌ରୁ ଅନୁମତି ମିଳି ନଥିଲା। ଜଣେ ଗରିବ ଲୋକର ନିଜ ସଂପତ୍ତି ଅଛି, ହେଲେ ଆବଶ୍ୟକ ସମୟରେ ତାହାକୁ ସେ ବିକ୍ରି କରିପାରିଲା ନାହିଁ। ଶେଷରେ ଜଗଦିଶ ତହସିଲ ଅଫିସ ସମ୍ମୁଖରେ ଆତ୍ମଦାହ କରିଥିଲେ। ଆମର କ’ଣ ମାନବିକତା ନାହିଁ? ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଏହି ଅନୁମତି କ’ଣ ଦିଆଯାଇ ପାରି ନ’ଥାନ୍ତା? ଏହା ଅତ୍ୟନ୍ତ ଦୁଃଖଦାୟକ। ବିଭାଗୀୟ ମନ୍ତ୍ରୀ ଏହା ଉପରେ ବିବୃତି ରଖିବାକୁ ‌ଶ୍ରୀ ମିଶ୍ର ଦାବି କରିଥିଲେ।

ସମ୍ବନ୍ଧିତ ଖବର