ଯୁବ ହକି ଖେଳାଳିଙ୍କୁ ଏ କି ଆତିଥ୍ୟ! ୧୦ କିମି ଦୂର ଏକ ବିଲ୍‌ଡିଂରେ ଗରମ ଓ ଗୁଳୁଗୁଳି ସହି ରହୁଛନ୍ତି ଖେଳାଳି

୫୮ ସିଙ୍ଗଲ୍ ଓ ଡବଲ୍‌ ରୁମ୍‌ ଓ ୧୨ ଡର୍ମିଟୋରୀରେ ୪୮୬ ଖେଳାଳି

ରାଉରକେଲା: ଯୁବ ହକି ଖେଳାଳିଙ୍କୁ ଅନ୍ତର୍ଜାତୀୟମାନର ଷ୍ଟାଡିୟମରେ ଖେଳିବାର ସୁଯୋଗ ଦେବାଲାଗି ଯୋଜନା ହେଲା। ଯୋଜନା ମୁତାବକ ହକି ଇଣ୍ଡିଆ ନିର୍ଦ୍ଦେଶରେ ହକି ଓଡ଼ିଶା ପକ୍ଷରୁ ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉପକନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଆୟୋଜନ କରାଗଲା। ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ପ୍ରତିଯୋଗିତା ଏଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୯ଟି ରାଜ୍ୟର ୧୭ ବର୍ଷରୁ କମ୍‌ ହକି ଖେଳାଳି ସାମିଲ ହୋଇଛନ୍ତି। ଏମାନେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳୁଛନ୍ତି ସତ, କିନ୍ତୁ ଏମାନଙ୍କ ରହଣୀପାଇଁ ଷ୍ଟାଡିୟମ ନିକଟରେ ଥିବା ବହୁ ଚର୍ଚ୍ଚିତ ଅନ୍ତର୍ଜାତୀୟସ୍ତରର ‘ହକି ବିଶ୍ବକପ୍‌ ଭିଲେଜ୍‌’ରେ ରହିବାର ସୁଯୋଗ ଦିଆଗଲାନାହିଁ। ଷ୍ଟାଡିୟମଠାରୁ ପ୍ରାୟ ୧୦ କିଲୋମିଟର ଦୂର ବେଦବ୍ୟାସରେ ନିର୍ମିତ ଏକ କୋଠାରେ ସେମାନଙ୍କୁ ରଖାଯାଇଛି। ସେଠାରୁ ଖେଳାଳି ପୁରୁଣା ଓ ଅତି ମାମୁଲି ବେସରକାରୀ ବସ୍‌ରେ ଯିବାଆସିବା କରୁଛନ୍ତି। ହକି ଭିଲେଜ୍‌ରେ କୁନି ଖେଳାଳିଙ୍କୁ ରହିବାର ସୁଯୋଗ ଦିଆନଯିବା, ପୁଣି ଥରେ ଏହାର ହକି ଭିଲେଜ୍‌ ତିଆରି କରିବାର ଯୁକ୍ତିଯୁକ୍ତତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ମୋଟ୍‌ ୨୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ‌ଦଳ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ରହୁଥିବାବେଳେ ଅବଶିଷ୍ଟ ୨୭ ଦଳ ବେଦବ୍ୟାସରେ ନବନିର୍ମିତ ‘ବେଦବ୍ୟାସ ହାଉସ୍‌’ରେ ରହୁଛନ୍ତି। ଉଲ୍ଲେଖଯୋଗ୍ୟ, ଗୋଟିଏ ଦଳରେ ୧୮ ଜଣ ଖେଳାଳିଙ୍କ ବ୍ୟତୀତ ପ୍ରଶିକ୍ଷକ, ମ୍ୟାନେଜର୍‌, ଫିଜିଓ, ଟ୍ରେନର, ମସାଜର୍‌ ଆଦି ପ୍ରାୟ ୨୨-୨୩ ଜଣ ରହିଥାନ୍ତି। ତେବେ ସମସ୍ତ ୨୭ଟି ଦଳର କେବଳ ଖେଳାଳିମାନଙ୍କୁ ବେଦବ୍ୟାସ ହାଉସ୍‌ରେ ରଖାଯାଇଥିବାବେଳେ କୋଚ୍‌, ମ୍ୟାନେଜର, ସପୋର୍ଟ‌୍ ଷ୍ଟାଫ୍‌ଙ୍କୁ ହକି ଭିଲେଜ୍‌ରେ ରଖାଯାଇଛି। ଅର୍ଥାତ୍‌, ବେଦବ୍ୟାସ ହାଉସରେ ୨୭ଟି ଦଳର ୪୮୬ ଜଣ ଖେଳାଳି ରହୁଛନ୍ତି। ପ୍ରକାଶଥାଉକି, ବେଦବ୍ୟାସ ହାଉସ୍‌ରେ ୪୦ଟି ଦୁଇ ଶଯ୍ୟା ବିଶିଷ୍ଟ ରୁମ୍‌ ଥିବାବେଳେ ୧୮ଟି ସିଙ୍ଗଲ୍‌ ରୁମ୍‌ ଓ ୧୨ଟି ଡର୍ମିଟୋରୀ ରହିଛି।

ଏମିତିକି ଦୁଇ ଶଯ୍ୟା ବିଶିଷ୍ଟ ରୁମ୍‌ରେ ୪ ଜଣ ଲେଖାଏ ଖେଳାଳି ରହୁଥିବାବେଳେ ଡର୍ମିଟୋରୀରେ ମଧ୍ୟ ବିଭିନ୍ନ ଦଳ ରହୁଥିବା ଦେଖିବାକୁ ମିଳିଛି। ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ଏଠାରେ ଶୀତାପନିୟନ୍ତ୍ରଣ ବ୍ୟବସ୍ଥା ନାହିଁ। ଗୋଟିଏ ପଟେ ଇସ୍ପାତ ସହରର ତାପମାତ୍ରା ୪୨ ଡିଗ୍ରି ତଳକୁ ଖସୁନଥିବାବେଳେ କୁନି ହକି ଖେଳାଳି ବିନା ଏ.ସି.ରେ ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି। ଖେଳାଳିଙ୍କୁ ନେବାଆଣିବା ପାଇଁ ଅପେକ୍ଷାକୃତ ପୁରୁଣା ତିନିଟି ବେସରକାରୀ ବସ୍‌ର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଦିଷ୍ଟ କେଉଁ କାରଣରୁ ପିଲାମାନଙ୍କୁ ହକି ଭିଲେଜ୍‌ରେ ରଖାଯାଉନି, ତାହା ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେବେ ଉପକନିଷ୍ଠ ଖେଳାଳି ସେଠାରେ ରହିଲେ ଭଙ୍ଗାରୁଜା, ଅଳିଆ ଆବର୍ଜନା ଆଦି ହେବାର ଆଶଙ୍କାକରି ସେଠାରେ ରଖାଯାଉନଥିବା ଚର୍ଚ୍ଚା ହେଉଛି। ଏହା ଯଦି ସତ, ତା’ହେଲେ ସେ ଯୁକ୍ତି ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ। ଅଗ୍ରହଣୀୟ ମଧ୍ୟ। କାରଣ ଗତ ହକି ପ୍ରୋ-ଲିଗ୍‌ ସମୟରେ ମଧ୍ୟ ଭାରତ, ଅଷ୍ଟ୍ରେଲିଆ ଓ ଜର୍ମାନୀର ଖେଳାଳିମାନଙ୍କୁ ଏଠାରେ ରଖାଯାଇନଥିଲା। ସମ୍ଭବତଃ ଅନ୍ୟ କୌଣସି କାରଣରୁ ଏଠାରେ ଖେଳାଳିଙ୍କୁ ରଖାଯାଉନଥିବା କୁହାଯାଉଛି।

ଏହି ଷ୍ଟାଡିୟମରେ ହକି ପ୍ରତିଯୋଗିତା ହେଲେ ଖେଳାଳିଙ୍କ ରହଣୀ ପାଇଁ ତଥା ଗତ ଜାନୁଆରି ମାସରେ ଆୟୋଜିତ ପୁରୁଷ ହକି ବିଶ୍ବ କପ୍‌ ପାଇଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିକଟରେ ବିଶ୍ବକପ୍‌ ଭିଲେଜ୍‌ ସ୍ଥାପନ କରାଯାଇଥିଲା। ଖେଳାଳି ଓ ଷ୍ଟାଫ୍‌ଙ୍କ ରହଣୀ ପାଇଁ ୮୪.୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୨୫ଟି ଅତ୍ୟାଧୁନିକ କୋଠରୀ ବିଶିଷ୍ଟ ବିଲ୍‌ଡିଂ ନିର୍ମାଣ କରାଯାଇଥିବାବେଳେ ୯.୧୫ କୋଟି ଟଙ୍କାରେ ସ୍ବିମିଂ ପୁଲ୍‌, ପାରିପାର୍ଶ୍ବିକ ବିକାଶ ପାଇଁ ୧୦.୫୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା।

ଏତଦ୍‌ବ୍ୟତୀତ ଏଠାରେ ଅନ୍ତର୍ଜାତୀୟମାନର ସ୍ପା, ଜିମ୍‌, ସଉନା ଆଦି ବ୍ୟବସ୍ଥା କରାଯାଇଛି। କେବଳ ହକି ବିଶ୍ବକପ ବେଳେ ଏଠାରେ ବିଭିନ୍ନ ଦେଶର ଖେଳାଳି ରହିଥିଲେ। ତା’ପରଠାରୁ ତାହା ଆପାତଃ ବନ୍ଦ ରହିଛି। ମାର୍ଚ୍ଚ ୧୦ରୁ ୧୫ ଯାଏ ଅନୁଷ୍ଠିତ ହକି ପ୍ରୋ-ଲିଗ୍‌ରେ ଖେଳାଳିଙ୍କୁ ଏଠାରେ ରଖାଯାଇନଥିଲା। ଭାରତୀୟ ଦଳ ବେଦବ୍ୟାସସ୍ଥ ହୋଟେଲ ପାହାଡ଼ିରେ ରହିଥିବାବେଳେ ଜର୍ମାନୀ ଦଳ ହୋଟେଲ ମେ’ ଫେୟାର୍‌ ଓ ଅଷ୍ଟ୍ରେଲିଆ ଖେଳାଳି ହୋଟେଲ ଦୀପ୍ତିରେ ରହିଥିଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଯେଉଁ ଉଦ୍ଦେଶ୍ୟ ନେଇ ହକି ଭିଲେଜ୍‌ର ପରିକଳ୍ପନା କରାଯାଇଥିଲା, ତାହା ପୂରଣ ହେଉନାହିଁ। ୪ ବର୍ଷ ବ୍ୟବଧାନରେ, ତା’ ପୁଣି ଭାଗ୍ୟରେ ଥିଲେ, ବିଶ୍ବକପ୍‌ ଆୟୋଜନ ହେଲେ ହିଁ ଯଦି ଏହାକୁ ବ୍ୟବହାର କରାଯିବ, ତେବେ ‘ଧଳାହାତୀ’ ପୋଷିବା ଭଳି ହେବ।

ସମ୍ବନ୍ଧିତ ଖବର