୫-ଟି କ’ଣ? ଏଇଟା ବିଭାଗ କି?: ଜୟନାରାୟଣ

୫-ଟି ଏକ ମହାମନ୍ତ୍ର, ଏକ ଆନ୍ଦୋଳନ: ଶାସକ ଦଳ

ଭୁବନେଶ୍ବର : ୫-ଟି କ’ଣ ବୁଝାପଡ଼ୁନି। ଏଇଟା ବିଭାଗ କି ନୁହେଁ? ଯଦି ବିଭାଗ, ତେବେ ତାହାର ଅଫିସ୍‌ କେଉଁଠି? ଲୋକସେବା ଭବନ ନା ଖାରବେଳ ଭବନ ନା ରାଜୀବ ଭବନ? ସେହି ବିଭାଗର କର୍ମଚାରୀମାନେ କେଉଁଠି ବସୁଛନ୍ତି? ସୋମବାର ବିଧାନସଭାରେ ଏମିତି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ୫-ଟିର ଅସ୍ତିତ୍ବ ନେଇ ସରକାରଙ୍କୁ ଘେରିଥିଲେ। ଶାସକ ଦଳ ପକ୍ଷରୁ ତାହାର ତତ୍‌କାଳ ଜବାବ ଦିଆଯାଇଥିଲା।

ସୋମବାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଏହି ପ୍ରସଙ୍ଗ ଉଠାଇ କହିଲେ ଯେ ୫-ଟି ମାନେ ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫର୍ମେସନ୍ ଓ ଟାଇମ୍‌ ଲିମିଟ୍‌। ଏଗୁଡ଼ା ତ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ। ପ୍ରଶାସନରେ ଏମିତି ପଦବି କେଉଁଠି ଅଛି, ତାହା ଆମେ ଜାଣିପାରୁନୁ। ସବୁ ବିଭାଗକୁ ଠିକ୍ ଭାବେ ଚଳାଇବା ପାଇଁ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନର୍‌ ଅଛନ୍ତି। ପୁଣି ଜଣେ ଲୋକଙ୍କୁ ଆଣି ତାଙ୍କ ଉପରେ ରଖିବାକୁ ସରକାର ଚାହୁଁଛନ୍ତି କି? ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନର୍‌ଙ୍କ କ୍ଷମତା ସଙ୍କୁଚିତ ପାଇଁ ଏହି ବ୍ୟବସ୍ଥା କି? ଯଦି ଏଇଟା ଏକ ବିଭାଗ, ତେବେ ଏହି ବିଭାଗର ପ୍ରଶ୍ନୋତ୍ତର ପାଇଁ ବିଧାନସଭାରେ ବ୍ୟବସ୍ଥା କରାଯାଉ। ଆମେ ଏହି ବିଭାଗ ଉପରେ ପ୍ରଶ୍ନ କରିବୁ। ବାଚସ୍ପତି ଏ ଦିଗରେ ପଦକ୍ଷେପ ନିଅନ୍ତୁ।

ବିରୋଧୀ ଦଳ ନେତା କହିବାର କିଛି ସମୟ ପରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗୃହ ଭିତରେ ତାହାର ପ୍ରତିବାଦ ଜଣାଇଥିଲେ। ସେ କହିଥିଲେ ଯେ ବିରୋଧୀ ଦଳ ନେତା ଯେଉଁ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି, ତାହା ହାସ୍ୟାସ୍ପଦ। ୫-ଟି ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇଥାଇପାରେ। ଏହା ମୁଖ୍ୟମନ୍ତ୍ରୀଙ୍କର ଏକ ଚିନ୍ତାଧାରା। ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଲା ପରେ ୫-ଟି ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇଲେ। ଏହି ଚିନ୍ତାଧାରା ଏବେ ସାରା ରାଜ୍ୟରେ ଏକ ଆନ୍ଦୋଳନରେ ପରିଣତ ହୋଇଛି ଓ ଏହା ମହାମନ୍ତ୍ର ପରି କାମ କରୁଛି। ତଳ ସ୍ତରରେ ଥିବା ଅଫିସ୍‌ଗୁଡ଼ିକରେ କିଛି ଅନିୟମିତତା ହେଲେ ଲୋକ ୫-ଟିକୁ ଜଣାଇବାକୁ କହୁଛନ୍ତି। ଶାସନ ବ୍ୟବସ୍ଥାରେ ୫-ଟି ସ୍ବଚ୍ଛତା ଆଣିଛି। ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ୫-ଟି ଏକ ମହାମନ୍ତ୍ର ଓ ଚିନ୍ତାଧାରା। ଆପଣମାନେ ବି ବିଭିନ୍ନ ସଭାସମିତିରେ ୫-ଟି ସଚିବ ବୋଲି ସମ୍ବୋଧନ କରୁଛନ୍ତି। ଆପଣମାନେ ୫-ଟିକୁ କାହିଁକି ଡରୁଛନ୍ତି?

ସମ୍ବନ୍ଧିତ ଖବର