କବଚ ବା ଆଣ୍ଟି-କୋଲିଜନ୍‌ ଡିଭାଇସ୍‌ ସିଷ୍ଟମ୍‌ କ’ଣ? ଜାଣନ୍ତୁ କିପରି ଏହା ଦୁର୍ଘଟଣାକୁ ରୋକେ

ଭୁବନେଶ୍ୱର: ରେଳବାଇର ସୂଚନାନୁସାରେ, ଏହି ବ୍ୟବସ୍ଥା ଦୁର୍ଘଟଣାକୁ ପୂର୍ବାନୁମାନ କରିପାରୁଥିବା ଏକ ଯନ୍ତ୍ର। ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ ସାମ୍ନାସାମ୍ନି କିମ୍ବା ଆଗ-ପଛ ହୋଇ ଥିଲେ ୩୮୦ ମିଟର ପୂର୍ବରୁ ଟ୍ରେନ୍‌ ଆପେ ଆପେ ଅଟକିଯିବ। ପ୍ଲାଟଫର୍ମରେ ଆସିବା ପୂର୍ବରୁ ଏହି ସିଷ୍ଟମ ଚାଳକଙ୍କୁ ଆଲର୍ଟ କରିଦିଏ। କୁହୁଡ଼ିରେ ଲୋକୋ-ପାଇଲଟ୍‌ଙ୍କୁ କିଛି ଦେଖା ନଯିବା ସମୟରେ ଏହି ସିଷ୍ଟମ୍‌ ଅନେକାଂଶରେ ସହାୟକ ହୋଇପାରିବ। ଲୁପ-ଲାଇନ୍‌ କ୍ରସିଂ ଅତିକ୍ରମ କରିବା ବେଳେ ଏହି ଯନ୍ତ୍ରାଂଶ ଇଞ୍ଜିନର ଗତିକୁ ଘଣ୍ଟା ପ୍ରତି ୩୦ କିମିକୁ ହ୍ରାସ କରିଦେବ। ସିଗନାଲ ଲାଲ ହୋଇଗଲେ, ଏହା ଟ୍ରେନକୁ ଆଗକୁ ମଧ୍ୟ ବଢ଼ିବାକୁ ଦିଏ ନାହିଁ। ଆବଶ୍ୟକ ସମୟରେ ଚାଳକ, ଗାର୍ଡ ଏବଂ ଷ୍ଟେସନ୍‌ମାଷ୍ଟରଙ୍କ ପାଖକୁ ଜରୁରୀକାଳୀନ ଏସ୍‌ଓଏସ୍‌ ମେସେଜ ମଧ୍ୟ ପଠାଇଥାଏ। ଏହା ଜରିଆରେ ୩ କିମି ପରିଧି ମଧ୍ୟରେ ସମସ୍ତ ଟ୍ରେନ୍‌କୁ ଅଟକା ଯାଇପାରିବ।

୨୦୦୨ ମସିହାରୁ କୋଙ୍କଣ ରେଳବାଇ ପକ୍ଷରୁ ଆଣ୍ଟି-କୋଲିଜନ୍‌ ଡିଭାଇସ୍‌ ସିଷ୍ଟମର ପରୀକ୍ଷଣ କରାଯାଉଛି। ଏହି ସିଷ୍ଟମ୍‌ ଜରିଆରେ ଟ୍ରେନ୍‌ର ମୁହାଁମୁହିଁ ଧକ୍କା, ପାର୍ଶ୍ବରେ ଧକ୍କା, ପଛପଟେ ଧକ୍କା ଭଳି ଅଘଟଣକୁ ରୋକାଯାଇପାରିବ। ଟ୍ରେନ୍‌ର ଇଞ୍ଜିନ ଓ ସବା ପଛ ଡବାରେ ଏହି ଯନ୍ତ୍ରାଂଶ ଖଞ୍ଜାଯାଇଥାଏ। ଫଳରେ ଏହା ଚାଳକଙ୍କୁ ଟ୍ରେନ୍‌ର ଭୌଗୋଳିକ ସ୍ଥିତି, ବେଗ ଏବଂ ସମୟ ବିଷୟରେ ଲଗାତାର ସୂଚନା ଦେଇଥାଏ। କୌଣସି ସ୍ଥାନରେ ସମସ୍ୟା ଥିବା ଜଣାପଡ଼ିଲେ, ତାହା ଆପେ ଆପେ ଟ୍ରେନ୍‌କୁ ଅଟକାଇ ଦେବ। ୧୦ କି.ମି ଦୂରତାରୁ ଚାଳକ ଅଘଟଣ ସଂପର୍କରେ ଆଗୁଆ ସତର୍କ ହୋଇପାରିବେ। ଚାଳକ କୌଣସି କାରଣବଶତଃ ଗତି ନିୟନ୍ତ୍ରଣ କରି ନପାରିଲେ, ଏହି ଯନ୍ତ୍ରାଂଶ ଟ୍ରେନ୍‌ର ଗତିକୁ ଘଣ୍ଟାକୁ ୨୦ କିଲୋମିଟର କମାଇ ଦେବ। ଫଳରେ ଦୁର୍ଘଟଣାର ତୀବ୍ରତା କମିବ।
ଆଣ୍ଟି-କଲିଜନ୍‌ ଡିଭାଇସ୍‌ ସିଷ୍ଟମ୍‌ର ଅନେକ ଦୁର୍ବଳତା ମଧ୍ୟ ରହିଛି। ଉଭୟ ଟ୍ରେନ୍‌ରେ ଏହି ଡିଭାଇସ୍‌ ଲାଗି ନଥିଲେ ଏହା କାର୍ଯ୍ୟ କରିନଥାଏ। ଟ୍ରେନ୍‌ ତୀବ୍ର ଗତିରେ ଆସୁଥିଲେ ବ୍ରେକ୍‌ ଲାଗିବା ପରେ ମଧ୍ୟ ଟ୍ରେନ୍‌ ସ୍ବତଃସ୍ଫୂର୍ତ୍ତ ଭାବେ ଅନ୍ୟ ଟ୍ରେନ୍‌ ପାଖ‌ରେ ପହଞ୍ଚିଯିବ ଏବଂ ଦୁର୍ଘଟଣା ହେବ। ଯେକୌଣସି ସ୍ଥିତିରେ ମଧ୍ୟ ଏହା ଟ୍ରେନ୍‌ର ଗତିକୁ କମ କରି ଦେଉଥିବାରୁ ଦୁର୍ଘଟଣାର ଗତି ଏତେ ଜୋରରେ ହେବ ନାହିଁ। ଟ୍ରେନ ଲାଇନଚ୍ୟୁତ ହେଲେ ଏହାର ଡବା ଅନ୍ୟ ରେଳ ଧାରଣାରେ ପଡ଼ିଯାଏ ଏବଂ ଅନ୍ୟ ଏକ ଟ୍ରେନ ଆସିଯାଏ ଏବଂ ଦୁର୍ଘଟଣା ଘଟେ। ରେଳବାଇ ସୂଚନାନୁସାରେ, ଏହି ଯନ୍ତ୍ରାଂଶର ସୁରକ୍ଷା ଏବଂ ବିଶ୍ବସନୀୟତା ଏତେ ସୁଦୃଢ଼ ଯେ ୧୦ ହଜାରରୁ ମାତ୍ର ଗୋଟିଏରେ କୌଣସି ତ୍ରୁଟି ଦେଖାଯାଇପାରେ।

ବିଜେପିର ବିକାଶ ତ୍ରିବେଦୀ କହିଛନ୍ତି, ଗତବର୍ଷ ହିଁ କବଚକୁ ଅନୁମୋଦନ ମିଳିଛି। ୭୦ ବର୍ଷରେ ସରକାର ଏହି ଚିନ୍ତା କରିଥିଲେ ଏଭଳି ଦୁର୍ଘଟଣା ହୋଇନଥାଆନ୍ତା। ଅବସରପ୍ରାପ୍ତ ଆଇଏଏସ ସୂର୍ଯ୍ୟପ୍ରତାପ କହିଛନ୍ତି, କବଚ ବିଜେପି ସରକାରଙ୍କ ଯୋଜନା ନୁହେଁ। ୨୦୧୧ ମସିହାରେ ମମତା ବାନାର୍ଜୀ ରେଳ ମନ୍ତ୍ରୀ ଥିବାବେଳେ ଆଣ୍ଟି-କୋଲିଜନ୍‌ ଡିଭାଇସ୍‌ ସିଷ୍ଟମ କାର୍ଯ୍ୟକାରୀ କରିଥିଲେ। ଯାହାର ନାମକୁ ବିଜେପି ସରକାର ପରିବର୍ତ୍ତନ କରିଛନ୍ତି। ୯ ବର୍ଷର ଶାସନ କାଳରେ ଦେଶର ୬୮ ହଜାର ୦୪୩ କିଲୋମିଟର ରେଳ ଲାଇନରୁ ମାତ୍ର ୧୪୪୫ କିମି ଅର୍ଥାତ୍‌ ୨ପ୍ରତିଶତ ଅଞ୍ଚଳରେ କବଚ ସଂଯୋଗ କରାଯାଇଛି।
ଉଲ୍ଲେଖଥାଉକି, ଦୁର୍ଘଟଣା ନିରୋଧୀ ବ୍ୟବସ୍ଥା ଅଧୀନରେ ୩ ହଜାର କିଲୋମିଟର ରେଳ ନେଟୱର୍କକୁ ଆଣିବା ଲାଗି ଟେଣ୍ଡର ହୋଇଥିଲା। ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓଡ଼ା ନେଟୱର୍କରେ ଏହି ବ୍ୟବସ୍ଥା ହେବାର ଥିଲା। ୧୦୦୦ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ ହୋଇଥାନ୍ତା। ଯଦି ବି ୩୦୦୦ କିଲୋମିଟର ରେଳ ନେଟୱର୍କରେ କବଚ ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ ତାହେଲେ ଏହା ‌ଭାରତର ମୋଟ ରେଳ ନେଟୱର୍କର ମାତ୍ର ୫ ପ୍ରତିଶତ ରହିବ। ୯୫ ପ୍ରତିଶତରୁ ଅଧିକ ରେଳ ଧାରଣାରେ ଏହି ସୁବିଧା ଉପଲବ୍ଧ ହେବ ନାହିଁ। କବଚ ଟେକ୍ନୋଲୋଜି ପାଇଁ ୨୦୨୧-୨୨ ପାଇଁ ୧୩୩ କୋଟି ଓ ୨୦୨୨-୨୩ ପାଇଁ ୨୭୨.୩୦ କୋଟିର ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର