କେତେ ବଦଳିଛି କୋଟିଆ?

ଆନ୍ଧ୍ର ଅନୁପ୍ରବେଶକୁ ୩ ମାସ ପୂରିଲା

କୋରାପୁଟ: କୋରାପୁଟର କୋଟିଆରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶକୁ ୩ ମାସ ପୂରିଛି। ପଡ଼ୋଶୀ ଆନ୍ଧ୍ରର ହାକିମାତି ପରେ ରାଜ୍ୟ ସରକାରଙ୍କର କେବଳ ଚେତାପଶିନି, ସେହିଦିନଠାରୁ ଏହାର କଳେବର ପରିବର୍ତ୍ତନ ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ତା’ ଭିତରେ ବି ରାଜନୈତିକ କେନ୍ଦ୍ରବିନ୍ଦୁ ସାଜିଛି ଏହି ଚର୍ଚ୍ଚିତ ତଥା ବିବାଦୀୟ ଗ୍ରାମପୁଞ୍ଜ। ରାଜ୍ୟ ସରକାରଙ୍କ ୧୫୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ଏବଂ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ- ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଛି। ତେବେ, ଆନ୍ଧ୍ରର ଅନୁପ୍ରବେଶ ପରେ କୋଟିଆର ଚିତ୍ର କେତେ ବଦଳିଛି ଏବଂ ବିକାଶ ପ୍ରତି ସରକାର ଓ ପ୍ରଶାସନ ଧ୍ୟାନ ଦେଇଛନ୍ତି, ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲା ‘ସମ୍ବାଦ’। କୋଟିଆ ସମ୍ପର୍କରେ ଅନୁଧ୍ୟାନ କଲାବେଳେ ଏହାର ବିବଦମାନ ଚିତ୍ର ସାମ୍‌ନାକୁ ଆସିଯାଏ। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଜୟନଗରମ ଜିଲ୍ଲାପାଳ ଜାନୁଆରି ୯ତାରିଖରେ କୋଟିଆ ପଞ୍ଚାୟତର ତଳ ଗଂଜେଇ ପଦର ଗ୍ରାମରେ ଜନଶୁଣାଣି କରି ସହାୟତା ବାଣ୍ଟିଥିଲେ। ଏହାପରେ କୋରାପୁଟ ଉପଜିଲ୍ଲାପାଳ ସେଠାରେ ପହଞ୍ଚିଥିଲେ ମଧ୍ୟ ଆନ୍ଧ୍ର ଅଧିକାରୀ ତାଙ୍କୁ ଖାତିର୍‌ କରି ନ ଥିଲେ। ଏପରିକି ଲୋକେ ଆନ୍ଧ୍ର ସପକ୍ଷରେ ଖୋଲାଖୋଲି ମତ ଦେଇଥିଲେ। ଏଥିନେଇ ଗଣମାଧ୍ୟମରେ ବାରମ୍ବାର ରିପୋର୍ଟ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଚେତିଥିଲେ। ରାଜ୍ୟ ସରକାରଙ୍କର ମଧ୍ୟ ନିଦ ଭାଙ୍ଗିଥିଲା। ଦୀର୍ଘବର୍ଷ ହେଲା କୋଟିଆକୁ କୌଣସି ଉଚ୍ଚସ୍ତରୀୟ ଅଧିକାରୀ ଯାଇ ନ ଥିଲାବେଳେ କୋରାପୁଟ ଜିଲ୍ଲାପାଳ ଯାଇ ସ୍ଥିତି ଦେଖିଥିଲେ। ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ ଟିମ୍‌ କୋଟିଆରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ତେବେ, ସରକାରୀ ଅଧିକାରୀଙ୍କ ଗସ୍ତ ଓ ସମୀକ୍ଷା ଭିତରେ କୋଟିଆର ଚିତ୍ରରେ କେତେ ପରିବର୍ତ୍ତନ ହୋଇଛି, ତାହାକୁ ‘ସମ୍ବାଦ’ ଟିମ୍‌ ଅନୁଧ୍ୟାନ କରିଥିଲା। ‘ସମ୍ବାଦ’ର ଅନୁଧ୍ୟାନ ଅନୁସାରେ, ରାଜ୍ୟ ସରକାର କୋଟିଆ ପ୍ରତି ସମ୍ବେଦନଶୀଳ ହେଉହେଉ ଏଠାରେ ବିକାଶମୂଳକ କାମ ଆରମ୍ଭ ହୋଇଛି। ରାସ୍ତାଘାଟ, ବିଜୁଳି, ପିଇବା ପାଣିକୁ ଗୁରୁତ୍ୱ ଦେଇଛି ପ୍ରଶାସନ। କୋଟିଆ ପଞ୍ଚାୟତ ସଦର ମହକୁମାରୁ ଉପର ସେମ୍ଭି ପର୍ଯ୍ୟନ୍ତ ରାସ୍ତା କାମ ହୋଇଛି। ମନରେଗାରେ ଏହି କାମ କରାଯାଇ ଓଡ଼ିଶାର ବୋର୍ଡ ଲାଗିଛି। ଏପଟେ କୋଟିଆରୁ ମାଡକାର ପର୍ଯ୍ୟନ୍ତ ରାସ୍ତାର ମାଟି କାମ କରାଯାଇଛି। ଦୁର୍ଗମ ଫଗୁଣ ସିନେରୀ, ଫାଟୁ ସିନେରୀ ଅଂଚଳରେ ମଧ୍ୟ ରାସ୍ତା କାମ ଚାଲିଛି। ଅନ୍ଧାରରେ ଥିବା କୋଟିଆରେ ମଧ୍ୟ ଷ୍ଟ୍ରିଟ ଲାଇଟ ଲଗାଇ ଚିକ୍‌ମିକ୍‌ କରି ଦେଇଛନ୍ତି ରାଜ୍ୟ ସରକାର। ଗଂଜେଇ ପଦର, ତଳେ ଗଂଜେଇ ପଦର, ଜାନିଗୁଡା, କୁରୁଡି ପଦର ଆଦି ଗାଁରେ ନୂଆ ଟ୍ରାନ୍ସଫର୍ମର ଲଗାଯାଇ ବିଜୁଳି ଆଲୁଅ ଯୋଗାଇ ଦେବା ସହ ଷ୍ଟ୍ରିଟ ଲାଇଟ୍‌ ଲଗାଯାଇଛି। କେବଳ ଭିତ୍ତିଭୂମି, ଏହାର ଅଭାବ ଅନ୍ୟ ବିଭାଗ ଉପରେ ପଡ଼ିଛି। ଆଗରୁ କୋଟିଆ ଡାକ୍ତରଖାନାରେ ନିୟମିତ ଡାକ୍ତର ରହୁ ନଥିଲେ। ଡେପୁଟେସନରେ ଯାଉଥିଲେ। ଏବେ କିନ୍ତୁ ସେଠାରେ ନିୟମିତ ଡାକ୍ତର ରହୁଛନ୍ତି। ପଞ୍ଚାୟତର ବିଭିନ୍ନ ସ୍କୁଲ ଓ ସେବାଶ୍ରମରେ ନିୟମିତ ଶିକ୍ଷକ ରହିବାକୁ ନିଶ୍ଚିତ କରାଯାଇଛି। ବିଭିନ୍ନ ସରକାରୀ ଯୋଜନାରେ ଭତ୍ତା, ଛତା, ସାଇକେଲ ବଣ୍ଟାଯିବା ସହ ଖାଦ୍ୟ ସୁରକ୍ଷା ଆଇନରେ ଅଧିକ ଲୋକଙ୍କୁ ସାମିଲ କରାଯାଇଛି। ବିଭିନ୍ନ ଗ୍ରାମର ଯୁବକଙ୍କୁ ଖେଳ ଉପକରଣ ବାଣ୍ଟିଛି ପ୍ରଶାସନ। ସବୁଠାରୁ ବଡ କଥା ହେଲା କୋଟିଆରେ ଜନଶୁଣାଣି ଆରମ୍ଭ ହେବା ସହିତ ପ୍ରଶାସନିକ ଅଧିକାରୀ ଲୋକମାନଙ୍କ ଆପତ୍ତି, ଅଭିଯୋଗ ଶୁଣିଛନ୍ତି।

ଏ ସମ୍ପର୍କରେ ସ୍ଥାନୀୟ ବିଡିଓ କରୁଣାକର ପ୍ରଧାନ କହିଛନ୍ତି ଯେ, ‘ ମନରେଗାରେ କୋଟିଆ ଅନ୍ତର୍ଗତ ସବୁ ଗାଁର ବିକାଶ ଉପରେ ଧ୍ୟାନ ଦିଆଯାଇଛି। ଆଉ କିଛି ବିକାଶମୂଳକ କାର୍ଯ୍ୟ ପାଇଁ ସର୍ଭେ କରାଯିବା ସହିତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।’ ‘ ସରକାରଙ୍କ ମଞ୍ଜୁରୀ ପରେ କାର୍ଯ୍ୟ ଆରମ୍ଭ ହେବ,’ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ଏସବୁ ଉନ୍ନତିର କଥା କୁହାଯାଉଥିଲେ ମଧ୍ୟ ଏବେ ବି କୋଟିଆର ଡଜନେରୁ ଅଧିକ ଗ୍ରାମ ଅପହଞ୍ଚ ଥିବା ‘ସମ୍ବାଦ’ ଅନୁଧ୍ୟାନ କରିଛି। ଏହି ଗ୍ରାମକୁ ଯିବା ପାଇଁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ। ବିଜୁଳି ସାତ ସପନ। ସମୁଦାୟ ୨୮ଟି ଯାକ ଗ୍ରାମରେ ଗୋଟିଏ ହେଲେ ବି ମୋବାଇଲ ଟାଓ୍ଵାର ନାହିଁ। ପିଇବା ପାଇଁ ଝରଣା ପାଣି ହିଁ ଏକମାତ୍ର ସହାୟ। ସେହିପରି ଗମନାଗମନ ପାଇଁ ଆଗଭଳି ନାହିଁ ନ ଥିବା ହଇରାଣ ହେଉଛନ୍ତି ଲୋକେ। ଆନ୍ଧ୍ର ତାତି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆକୁ ବସ୍‌ ଚଲାଇବା ପାଇଁ ଉଦ୍ୟମ କରାଯାଇଥିଲାବେଳେ ସପ୍ତାହକ ଭିତରେ ଏହା ବନ୍ଦ ହୋଇ ଯାଇଛି। ସେହିପରି କୋଟିଆ ପ୍ରବେଶ ପଥରେ ଥିବା ଟାଉପଦରଠାରେ ଏକ ତନଖି ଫାଟକ ଲଗାଯାଇଥିଲା ବେଳେ ଦୁଇ ଦିନ ଭିତରେ ଏହାକୁ ଉଠାଇ ଦିଆଯାଇଛି। ଏଥିନେଇ ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ଯେ, ଆନ୍ଧ୍ରର ଅନୁପ୍ରବେଶ ପରେ ଆମେ ଯେତିକି ଜାଗ୍ରତ ହେବା କଥା ହୋଇ ପାରିନାହାନ୍ତି। କେବଳ ଗୋଟିଏ ଦୁଇଟି ରାସ୍ତା କରିବା ଛଡା ଆଉ କାମ ବେଶୀ କିଛି ଆଗେଇ ପାରିନି। ତେଣୁ ଆଶାନୁରୂପ ଫଳ ମିଳିନି। ଲୋକଙ୍କୁ ଓଡ଼ିଶା ସହ ରଖିବା ପାଇଁ ୮୦ବର୍ଷ ହେଲା ଏହି ଅଂଚଳକୁ ଅବହେଳାର ପ୍ରାୟଶ୍ଚିତ କରିବାକୁ ପଡିବ। ପ୍ରଶାସନ ଓ ସରକାର ଭାଷଣ ବାଜି ନ କରି କୋଟିଆର ବିକାଶ ପାଇଁ କାମ କଲେ କୋଟିଆବାସୀ ଆନ୍ଧ୍ର ପଟକୁ ଢଳିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର