ସାମ୍ବାଦିକତାରେ ଯାହା ଅସମ୍ଭବ, ସାହିତ୍ୟରେ ସମ୍ଭବ

ଧର୍ମଶାଳା : ସାମ୍ବାଦିକତାରେ ଯାହା କରି ନହେବ, ତାହା ସାହିତ୍ୟରେ ହୋଇପାରିବ। ସାମ୍ବାଦିକ ଆଇନଗତ ଦିଗକୁ ଦେଖେ। ସାହିତ୍ୟିକ ତାହା ଦେଖନ୍ତି ନାହିଁ। ସେ ଭାବପ୍ରବଣତାର କଥା ଲେଖନ୍ତି। ସାହିତ୍ୟ ଯେଉଁଠି ପହଞ୍ଚିବ, ସେଠାରେ ସାମ୍ବାଦିକ ପହଞ୍ଚି ପାରିବନାହିଁ। ପ୍ରତ୍ୟେକ ଭଲ ସାମ୍ବାଦିକ ଜଣେ ସାହିତ୍ୟିକ ହେବା ପାଇଁ ବାଧ୍ୟ। ତେବେ ସାହିତ୍ୟିକ ଓ ସାମ୍ବାଦିକଙ୍କ ଦୃଷ୍ଟିଭଙ୍ଗୀ ଅଲଗା। ବ୍ୟବସାୟିକ ଭାବେ ସାହିତ୍ୟକୁ ନିଆଯାଇ ପାରିବ ନାହିଁ। ସାହିତ୍ୟ ମାଗଣା ହୋଇଯାଉଛି, ପାଠକ ସଂଖ୍ୟା କମିଯାଉଛି ବୋଲି କନକ ନ୍ୟୁଜ୍‌ର ସଂପାଦକ ମନୋରଂଜନ ମିଶ୍ର କହିଛନ୍ତି। ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ଇନ୍‌ଡୋର ହଲ୍‌ରେ ଆଜି ସନ୍ଧ୍ୟାରେ କବି ବିମଳ ଚନ୍ଦ୍ର ପତିଙ୍କ ରଚିତ ‘ମିଠା କଳଙ୍କର ରାତି’ କବିତା ପୁସ୍ତକ ଉନ୍ମୋଚନ କରିବା ଅବସରରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ, ଆମେ ଯେଉଁ କବିତା ଲେଖୁଛେ ତାହା ପାଠକକୁ ଛୁଉଁଚି କି ନାହିଁ, ଜାଣିବା ଦରକାର। ଆମ ଭିତରେ ଚେତନ ଭଗତ ସୃଷ୍ଟି ହୁଅନ୍ତୁ। ବିଶ୍ବସ୍ତରୀୟ ସାହିତ୍ୟ ସୃଷ୍ଟି ହେଉ ବୋଲି ସେ କହିଥିଲେ।

ଧର୍ମଶାଳା ଅଞ୍ଚଳରୁ ପ୍ରକାଶ ପାଉଥିବା ସାହିତ୍ୟ ଦର୍ପଣ ପତ୍ରିକା ପକ୍ଷରୁ ଆୟୋଜିତ ସାରସ୍ବତ ସମାରୋହକୁ ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କବି ମଧୁସୂଦନ ଦାଶ ଉଦ୍‌ଘାଟନ କରି କହିଲେ, ଯେଉଁଠି ମିଠା କଳଙ୍କ ନାହିଁ, ତାହା ଜୀବନ ନୁହେଁ। କବି ଡ. ଗୌତମ ଜେନା ଏଥିରେ ସଭାପତିତ୍ବ କରିଥିଲେ।ମୁଖ୍ୟବକ୍ତା ପୁରୀ ଜିଲ୍ଲାପରଷଦର ପୂର୍ବତନ ଅଧ୍ୟକ୍ଷ କବି ଶଙ୍କର ପରିଡ଼ା କହିଥିଲେ, ଚିରନ୍ତନ ମଧୁମାସକୁ ଅନୁଭବ କରିପାରେ କେବଳ କବି।ସମ୍ମାନିତ ଅତିଥି ଗାଳ୍ପିକା ଡ. ପ୍ରଜ୍ଞା ପ୍ରବର୍ତିକା ଦାଶ କବିତା ଏକ ଏମିତି ଉଛ୍ବାସ ଯାହା ମଣିଷର ଅନ୍ତରରୁ ଆସି ଅନ୍ୟ ଏକ ଅନ୍ତରକୁ ଛୁଇଁଯାଏ ବୋଲି କହିଥିଲେ। ସାହିତ୍ୟ ଦର୍ପଣ ସଂପାଦକ କବି ବିମଳ ଚନ୍ଦ୍ର ପତି ଅତିଥି ପରିଚୟ ଦେଇଥିଲେ। ପତ୍ରିକାର ମୁଖ୍ୟ ସଂପାଦକ ତ୍ରିଲୋଚନ ରାଉତ ସ୍ବାଗତ ଭାଷଣ ଓ ଛାତ୍ରୀ ସ୍ବଜଲା ଦାଶ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କୁ ଶିକ୍ଷାବିତ୍ ଶୁକଦେବ ପତି, ପ୍ରସ୍ତରଶିଳ୍ପୀ ମହେଶ୍ବର ଓଝା, ଚମ୍ପାପୁର ମା ମଲିଆଶୁଣୀ ଏସ୍‌ଏଚ୍‌ଜି ଓ ଧର୍ମଶାଳା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସମାଜସେବୀ ଗୋଲକ ଚନ୍ଦ୍ର ପଲେଇ ଓ ପ୍ରଛଦଶିଳ୍ପୀ ନିରଂଜନ ବେହେରାଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ନରେନ୍ଦ୍ର କୁମାର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର