ରାଜ୍ୟସ୍ତରୀୟ ନୂଆ ଟୋକନ୍ ବ୍ୟବସ୍ଥାଟି କ’ଣ? ଏବେସୁଦ୍ଧା ୭ଟି ଜିଲ୍ଲାରୁ ୧୨ ଶହ ୭୦ କ୍ବିଣ୍ଟାଲ ଧାନ ସଂଗ୍ରହ

ଭୁବନେଶ୍ବର:ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ସରକାରଙ୍କ କେନ୍ଦ୍ରୀକୃତ ଆଗୁଆ ଟୋକନ୍ ବ୍ୟବସ୍ଥାକୁ ନେଇ ଚାଷୀମାନେ ଅସନ୍ତୋଷ ଜାହିର କରୁଛନ୍ତି। ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ବ୍ୟବସ୍ଥା ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି। ଏତେସବୁ ସତ୍ତ୍ବେ ନୂଆ ବ୍ୟବସ୍ଥାରେ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରୁ ଏବେସୁଦ୍ଧା ୧ ହଜାର ୨୭୦ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି।

ଯୋଗାଣ ବିଭାଗ ଜଣାଇଛି ଯେ ଚଳିତ ଥର ପଞ୍ଜୀକୃତ ଚାଷୀଙ୍କଠୁ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ଦିବସ ପୂର୍ବରୁ ଚାଷୀମାନଙ୍କୁ ସେମାନଙ୍କର ବିକ୍ରିଯୋଗ୍ୟ ଧାନ ସହ ମଣ୍ଡିରେ ଉପସ୍ଥିତ ରହିବେ। ଏଥିପାଇଁ ଆଗୁଆ ପଞ୍ଜୀକୃତ ମୋବାଇଲ ନମ୍ବରକୁ ବାର୍ତ୍ତା ପ୍ରେରଣ କରାଯାଉଛି। ଅଗ୍ରିମ ଟୋକନର ତାଲିକା କ୍ରୟକାରୀ ସୋସାଇଟି କିମ୍ବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟରେ ମଧ୍ୟ ଉପଲବ୍ଧ ହେଉଛି। ଚାଷୀମାନେ ଏସ୍ଏମଏସ୍ ବାର୍ତ୍ତା ଅନୁସାରେ ସୋସାଇଟି କିମ୍ବା ଏସ୍ଏଚଜିରୁ ଟୋକନ୍ ସଂଗ୍ରହ କରିପାରିବେ। ଚାଷୀମାନଙ୍କୁ ଟୋକନ୍ ପାଇଁ କ୍ରୟକାରୀ ସୋସାଇଟି ନିକଟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଏଥିପାଇଁ ଟୋକନ୍ ପ୍ରସ୍ତୁତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଇଛି। ରାଜ୍ୟସ୍ତରରେ କମ୍ପ୍ୟୁଟରୀକୃତ ବ୍ୟବସ୍ଥା ମାଧ୍ୟମରେ ଚାଷୀମାନଙ୍କୁ ଟୋକନ୍ ପ୍ରଦାନ କରାଯାଉଛି। ବିଗତ ବର୍ଷମାନଙ୍କରେ ପ୍ରାଥମିକ କୃଷି ସମବାୟ ସମିତି ଓ ଲ୍ୟାମ୍ପସମାନେ ଟୋକନ୍ ପ୍ରଦାନ କରୁଥିଲେ ଏବଂ ସେଥିରେ ଅନିୟମିତତା ପରିଲକ୍ଷିତ ହେଉଥିଲା। ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରତ୍ୟେକ ମଣ୍ଡିରେ କ୍ଷୁଦ୍ର, ନାମମାତ୍ର, ମଧ୍ୟମ ଏବଂ ବଡ଼ ଚାଷୀ ପୂର୍ବ ନିର୍ଦ୍ଧାରିତ ମାପକାଠି ଅନୁସାରେ ସରକାରଙ୍କୁ ଧାନ ବିକ୍ରି କରିପାରିବେ। ନିର୍ଦ୍ଧାରିତ ତାରିଖରେ ମଣ୍ଡିକୁ ଧାନ ନ ଆଣି ପାରିଲେ ପରବର୍ତ୍ତୀ ସମୟରେ ମଧ୍ୟ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦିଆଯିବ। ଚଳିତ ବର୍ଷ ଚାଷୀମାନଙ୍କର ପଞ୍ଜୀକରଣ କାର୍ଯ୍ୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥାରେ କରାଯାଉଛି। ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ ବ୍ୟକ୍ତିମାନେ ଆଧାର ପ୍ରମାଣୀକରଣ ପାଇଁ ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ମଧ୍ୟ ସେମାନଙ୍କ ଧାନ କ୍ରୟ କରାଯିବ। ଚଳିତମାସ ୧୫ ତାରିଖରୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଏବେସୁଦ୍ଧା ୨୧ ହଜାର ୩୭୨ ଜଣ ଚାଷୀଙ୍କୁ ୨୬ ହଜାର ୫୪୩ଟି ଟୋକନ୍ ପ୍ରଦାନ କରାଯାଇଛି। ଯାହାଦ୍ବାରା ୧୫ ଲକ୍ଷ ୫୪ ହଜାର୧୭ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇପାରିବ। କିନ୍ତୁ ଅଦ୍ୟାବଧି ୭ଟି ଜିଲ୍ଲାର ୨୪ଜଣ ଚାଷୀଙ୍କ ଠାରୁ ୧୨୭୦ କ୍ବିଣ୍ଟାଲ ଧାନ କିଣାଯାଇଛି।

ସମ୍ବନ୍ଧିତ ଖବର