ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ଜଳସମ୍ପଦ ବିଭାଗ ତିଆରି କରିଛି ୧୬ଟି ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ। ଖର୍ଚ୍ଚ ହୋଇଛି ୧୨ ଶହ କୋଟିରୁ ଅଧିକ ଟଙ୍କା। କିନ୍ତୁ ଜମିକୁ ପାଣି ମିଳିବା ତ ଦୂରର କଥା, ଖୋଦ୍ ପ୍ରକଳ୍ପର ଉତ୍ସରେ ପାଣି ଟୋପାଏ ନାହିଁ। ଖରାଦିନ କଥା ପଛରେ ଥାଉ ବର୍ଷାରେ ବି ପ୍ରକଳ୍ପ ଗୁଡ଼ିକର ଜଳ ଉତ୍ସ ଶୁଖିଲା ପଡ଼ିଛି। ଏହି ସବୁ ପ୍ରକଳ୍ପ ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ନାବାର୍ଡ ସହାୟତାରେ ଏଲଏଣ୍ଡଟି କମ୍ପାନି ୨୦୧୬ରେ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ ସାଲେପାଲିରେ ଗୋଟିଏ ଓ ବଡ଼ଗାଁ ବ୍ଲକ ଫୁଲବାରିରେ ଦୁଇଟି ପ୍ରକଳ୍ପ ତିଆରି କରିଥିଲା। ବଡଗାଁ ବ୍ଲକରେ ନିର୍ମିତ ଦୁଇଟି ପ୍ରକଳ୍ପରେ ବଡ଼ଗାଁ ପଞ୍ଚାୟତର ବଡ଼ଗାଁ, ଜାଙ୍ଗଲି, ବରପାଲି, ଚାରପାଲି, କଣ୍ଟିଆମୁରା ଓ ଭୋଇପାଲି ଗ୍ରାମର ୭୨୧ ହେକ୍ଟର ଜମି ଓ ସଦର ବ୍ଲକରେ ନିର୍ମିତ ପ୍ରକଳ୍ପରେ ଫୁଲବାରି ପଞ୍ଚାୟତର ବୁଦୁନା, ଫୁଲବାରି, ସାଲେପାଲି, ଛେମଡ଼ା ଓ କୁରେଇବଗା ଗ୍ରାମର ୧୨ଶହ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପ୍ରକଳ୍ପ ସ୍ଥାନରେ ଲାଗିଥିବା ବଡ଼ବଡ଼ ମେସିନ, ମୋଟା ପାଣି ପାଇପକୁ ଦେଖିଲେ ଅଞ୍ଚଳର ଚାଷ ଜମିକୁ ଯେ ପାଣିର ଅଭାବ ରହୁଥିବ, ସେ କଥାକୁ କେହି ବିଶ୍ବାସ କରିବେ ନାହିଁ। କିନ୍ତୁ ପ୍ରକଳ୍ପ କାମ ଶେଷ ହେବାର ଏହା ମଧ୍ୟରେ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଜମିକୁ ପାଣି ମାଡୁନି। ପ୍ରକଳ୍ପରେ କରାଯାଇଥିବା ଆଉଟଲେଟ୍ଗୁଡ଼ିକ ଖାଲ ଜମିରେ ରହିଥିବାରୁ ପାଣି ଉଚ୍ଚ ସ୍ଥାନକୁ ଯାଇପାରୁ ନଥିବା କୁହାଯାଉଛି। ଅନ୍ୟପଟେ ବଡ଼ଗାଁ ସଫେଇ ନଦୀରୁ ପାଣି ଉଠାଇ ଏହି ଅଞ୍ଚଳକୁ ପାଣି ଯୋଗାଇ ଦିଆଯିବା କଥା। କିନ୍ତୁ ନଦୀ ଶୁଖିଲା ଥିବାରୁ ପ୍ରକଳ୍ପ ଅଚଳ ରହିଛି।
ଅନ୍ୟ ପକ୍ଷରେ ଚାଷୀଙ୍କ ହିତରେ ତିଆରି ହୋଇଥିବା ଏସବୁ ପ୍ରକଳ୍ପ ଏବେ ସେମାନଙ୍କ ଦୁର୍ଦ୍ଦଶାର କାରଣ ସାଜିଛି। କାରଣ ଜମିକୁ ପାଣି ମିଳୁ ନଥିଲେ ବି ମେଗା ଉଠାଜଳସେଚନ ପ୍ରକଳ୍ପ ଦ୍ବାହିରେ ଏସବୁ ଅଞ୍ଚଳର ଚାଷୀ ମରୁଡ଼ି ସହାୟତାରୁ ବଞ୍ଚିତ ହୋଇ କଲବଲ ହେଉଛନ୍ତି। ଅନ୍ୟପଟେ ସେହି ବର୍ଷ ନିର୍ମିତ ବିଲାଇଗଡ଼ର ୨ଟି, ସେମିନାର ୨ଟି, ବନ୍ଧପାଲି, ଦାଏନଡିହି, କଟଙ୍ଗଡିହି, କୁସୁମୁରା, ଘୁଘର, ବଡ଼କଛାର, ତିଲେଇମଲଟି, ଅମସରଙ୍ଗା, ଭରତପୁର ଆଦି ପ୍ରକଳ୍ପର ଅବସ୍ଥା ବି ସମାନ। ୧୬ଟି ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୧୨ ଶହ କୋଟିରୁ ଅଧିକ ଟଙ୍କା। ୨୦୧୯ରେ ନିର୍ମାଣ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ସବୁ ୨୦୨୩ ଫେବ୍ରୁଆରିରେ ସମ୍ପୂର୍ଣ୍ଣ ହୋଇଥିଲା। ପ୍ରକଳ୍ପରେ ରହିଛି ମଟର ଘର, କର୍ମଚାରୀଙ୍କ ବାସ ଗୃହ ଓ ବିଶାଳ ୱାଚ୍ ଟାୱାର। ଲାଗିଛି ବଡ଼ବଡ଼ ଯନ୍ତ୍ରପାତି, ଲମ୍ବିଛି ବିଶାଳ ପାଇପ୍। କିନ୍ତୁ କେବଳ ବିଲାଇଗଡ଼ ଓ ଭରତପୁର ପ୍ରକଳ୍ପ ବ୍ୟତୀତ ଅନ୍ୟ ୧୪ଟି ପ୍ରକଳ୍ପ ଅଚଳ ହୋଇ ରହିଛି। ଜଳଉତ୍ସ ପାଇଁ ଥିବା ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଇବ୍, ସଫେଇ, ଇଚ୍ଛା ନଦୀରେ ନିର୍ମିତ ୨ ଶହ ମିଟର ଅନ୍ତର୍ମୁଖୀ କୂଅ ( ଇନଟେକ୍ ୱେଲ୍)ଗୁଡ଼ିକ ପୋତି ହୋଇଗଲାଣି। ଏହା ଛଡ଼ା ଅନ୍ତର୍ମୁଖୀ କୂଅର ମୁହଁଟି ଜଳସ୍ରୋତଠାରୁ ଉଚ୍ଚରେ ଥିବାରୁ ବର୍ଷାରେ ବି ଜଳାଧାର ପାଣି ପଶି ପାରୁ ନାହିଁ। ଅନ୍ୟପଟେ ବର୍ଷା ଦିନ ବ୍ୟତୀତ ଅନ୍ୟ ସମୟରେ ଏସବୁ ନଦୀରେ ମୁନ୍ଦେ ପାଣି ମିଳିବା କଷ୍ଟ। ନଦୀ ଶୁଖିଲା ତ ପ୍ରକଳ୍ପ ବି ଶୁଖିଲା।