ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା କେତେ‌? ସରକାରୀଭାବେ ଏହା ସାଢ଼େ ୬ହଜାର ହୋଇଥିଲେ ହେଁ ପ୍ରକୃତରେ ଏହାଠାରୁ ଢେର ଅଧିକ। କାରଣ ରାଜ୍ୟର ଘରୋଇ ହସ୍ପିଟାଲ ଓ ଲାବୋରେଟାରି ଗୁଡ଼ିକରେ ଡେଙ୍ଗୁ ଜାଣିବା ପାଇଁ ହେଉଥିବା କାର୍ଡ ଟେଷ୍ଟକୁ ରାଜ୍ୟ ସ୍ବାସ୍ଥ୍ୟ ବିଚାରକୁ ନେଉନାହିଁ। ଯଦି ଏହି ସଂଖ୍ୟାକୁ ମିଶାଯିବ ତାହାଲେ ରୋଗୀଙ୍କ ସଂଖ୍ୟା ୧୦ହଜାର ଟପିଯିବ। ଏହାସହ ଏସବୁ କାର୍ଡର ଗୁଣାତ୍ମକ ମାନ କ’ଣ ତାହାର ମଧ୍ୟ ଯାଞ୍ଚ ହେଉନାହିଁ। ଯଦି ଏହା ସରକାରୀଭାବେ ଗ୍ରହଣୀୟ ନୁହେଁ ଏହାକୁ ସଂପୂର୍ଣ୍ଣଭାବେ ନିଷିଦ୍ଧ ଘୋଷଣା କରାଯାଉନାହିଁ କାହିଁକି ? ଉଭୟ ପ୍ରକାର ଟେଷ୍ଟକୁ ଅନୁମତି ଦିଆଯାଉ ଲୋକଙ୍କୁ ଏକପ୍ରକାର ଦ୍ବନ୍ଦ୍ବରେ ରଖାଯାଉଥିବା ଅଭିଯୋଗ ହେଉଛି।

Advertisment

କାର୍ଡ ଟେଷ୍ଟକୁ ବିଚାରକୁ ନେଉନି ସ୍ବାସ୍ଥ୍ୟ ବିଭାଗ,
ନଚେତ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଟପିବ
କାର୍ଡର ଟେଷ୍ଟକୁ କାହିଁକି ସଂପୂର୍ଣ୍ଣ ନିଷିଦ୍ଧ
ଘୋଷଣା କରୁନାହାନ୍ତି ସରକାର?

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କହିବା କଥା, ଡେଙ୍ଗୁ ଚିହ୍ନଟ ପାଇଁ କେବଳ ଏଲିସା ପଦ୍ଧତି ହିଁ ଭରସାଯୋଗ୍ୟ। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଗତ ଜୁଲାଇ ୫ ତାରିଖରେ ସବୁ ଜିଲ୍ଲାକୁ ଏକ ପତ୍ର ଜାରି କରିଥିଲେ। ଏଥିରେ କୁହାଯାଇଥିଲା ଯେ ଡେଙ୍ଗୁ, ଚିକିନଗୁନିଆ ଓ ଜେଇ ଏକ ବିଜ୍ଞପିତ ବା ନୋଟିଫାଏବୁଲ ଡିଜିଜ୍। ତେଣୁ ସମସ୍ତ ଘରୋଇ ଲା ବୋରେଟାରିଗୁଡ଼ିକ ସନ୍ଦିଗ୍ଧ ନମୁନାଗୁଡ଼ିକ ସେଣ୍ଟିନାଲ ସାଇଟ୍‌କୁ ପଠାଇବେ। ଯାହାଫଳରେ ସଂପୃକ୍ତ ବ୍ୟକ୍ତିଜଣକ ଡେଙ୍ଗୁରେ ପୀଡ଼ିତ କି ନୁହେଁ ତାହା ସ୍ପଷ୍ଟ ହୋଇପାରବ। ଡେଙ୍ଗୁ ପରୀକ୍ଷା ପାଇଁ ରାଜ୍ୟବ୍ୟାପୀ ୪୧ଟି ସେଣ୍ଟିନାଲ ସାଇଟ୍‌ ରହିଛି। ସନ୍ଦିଗ୍ଧ ଡେଙ୍ଗୁ ରୋଗୀମାନେ ଏଠାକୁ ଯାଇ ନିଜର ପରୀକ୍ଷା କରିପାରିବେ। ହେଲେ ରାଜ୍ୟର ଭୌଗଳିକ ଦୃଷ୍ଟିକୋଣ ଓ ସରକାରୀ ପରୀକ୍ଷା କେନ୍ଦ୍ରରେ ପ୍ରବଳ ଭିଡ଼ ପାଇଁ ଅନେକ ଘରୋଇ ହସ୍ପିଟାଲ-ଡାଏଗ୍ନୋଷ୍ଟିକ୍ ସେଣ୍ଟର ଉପରେ ନିର୍ଭର କରୁଛନ୍ତି। ସବୁ ଘରୋଇ ଲାବୋରେଟାରିରେ ଏଲିସା ପଦ୍ଧତିରେ ପରୀକ୍ଷା ହେଉନାହିଁ। ତେଣୁ ସେମାନେ କାର୍ଡ ଟେଷ୍ଟ କରୁଛନ୍ତି। ଏଥିପାଇଁ ରୋଗୀଙ୍କଠାରୁ ୯ଶହ ଟଙ୍କା ନେଉଛନ୍ତି। ଏଥିରେ ଡେଙ୍ଗୁ ପଜିଟିଭ୍ ଆସିଲେ ମଧ୍ୟ ଏହା ସରକାରଙ୍କ ଦ୍ବାରା ଗ୍ରହଣଯୋଗ୍ୟ ନୁହେଁ। ଯଦି ଏହି ପଦ୍ଧତି ଠିକ୍ ନୁହେଁ, ତାହାଲେ କାହିଁକି ଏହି ପଦ୍ଧତିକୁ ସରକାର ଅନୁମତି ଦେଉଛନ୍ତି ? ଏହାସହ ଏସବୁ କାର୍ଡ ପରୀକ୍ଷା ପ୍ରକୃତରେ ଠିକ୍ କି ନୁହେଁ ଏହାର ଗୁଣାତ୍ମକ ମାନ କିଏ ଯାଞ୍ଚ କରୁଛି ? ତେଣୁ ଜ୍ବରରେ କମ୍ପୁଥିବା ଲୋକଟି ପ୍ରକୃତରେ ଡେଙ୍ଗୁରେ ଆକ୍ରାନ୍ତ କି ଅନ୍ୟ କୌଣସି ରୋଗରେ ପୀଡ଼ିତ ତାହା କିଭଳି ସ୍ପଷ୍ଟ ହେବ ?

ରାଜ୍ୟରେ ଏବେ ଦୈନିକ ୨ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସରକାରୀଭାବେ ରାଜ୍ୟରେ ସମୁଦାୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୫୬୩। ଏଥିରୁ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୮୫୦। ଏହାବାଦ୍ ପୁରୀରେ ୭୨୯, ବାଲେଶ୍ବରରେ ୫୭୪, କଟକ ୫୯୮, ଜଗତସିଂହପୁର ୩୨୦, ନୟାଗଡ଼ ୨୪୮ ଓ ସୁନ୍ଦରଗଡ଼ରୁ ୨୩୪ ରୋଗୀଙ୍କୁ ଚିହ୍ନଟ କରାଗଲାଣି। ମାତ୍ର ଏବେ ଲଗାତାରଭାବେ ବର୍ଷା ଜାରି ରହିଥିବାରୁ ‌ରାଜ୍ୟରେ ଡେଙ୍ଗୁ ଜ୍ବରରୁ ନିସ୍ତାର ମିଳିବ ନାହିଁ ବୋଲି ଉଭୟ ସ୍ବାସ୍ଥ୍ୟ ବିଭାଗ ଓ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ତେଣୁ ଅକ୍ଟୋବର କିମ୍ବା ନଭେମ୍ବର ମାସ ଆଡ଼କୁ ରାଜ୍ୟବାସୀ ଡେଙ୍ଗୁ ସଂକ୍ରମଣରୁ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ରାଜ୍ୟରେ ଦୁଇ ପ୍ରକାର ପରୀକ୍ଷା ବ୍ୟବସ୍ଥା କାହିଁକି ଜାରି ରହିଛି ତାହା ସଂପର୍କରେ ଜାଣିବା ପାଇଁ ରାଜ୍ୟ ଏନ୍‌ଭିବିଡିସିପିର ଯୁଗ୍ମ ନିର୍ଦେଶକ ଡା.ଶୁଭାଶିଷ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କଠାରୁ କୌଣସି ଉତ୍ତର ମିଳିପାରିନାହିଁ।