ଭୁବନେଶ୍ବର: ମଧୁବାବୁ ପେନ୍ସନ୍ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିବା ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ବିଧାୟକଙ୍କୁ ଦୁଇଟି ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରାଯିବା ନେଇ ଆବେଦନକାରୀଙ୍କ ସଂଖ୍ୟା ଉପରେ ସନ୍ଦେହ ବଢ଼ାଇଛି।
ବିଧାୟକ ଅରୁଣ ସାହୁଙ୍କ ଏକ ପ୍ରଶ୍ନରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ୪ ଲକ୍ଷ ୬୨ ହଜାର ୪୩୮ ଜଣ ଯୋଗ୍ୟ ଆବେଦନକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୧୧ ହଜାର ୮୩୬ ଜଣ ଆବେଦନ କରିଛନ୍ତି। ସେହିପରି ବିଧାୟକ ଗଣେଶ୍ବର ବେହେରାଙ୍କ ସମାନ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ମଧୁବାବୁ ପେନ୍ସନ୍ ପାଇଁ ୬ ଲକ୍ଷ ୯୧ ହଜାର ୮୨୨ ଜଣ ଓ ଜାତୀୟ ସାମାଜିକ ସୁରକ୍ଷାରେ ୧୬ ହଜାର ୨୬୭ ଜଣ ଆବେଦନ କରି ଭତ୍ତା ଅପେକ୍ଷାରେ ରହିଛନ୍ତି। ନିୟମାନୁଯାୟୀ ଯୋଗ୍ୟ ଆବେଦନକାରୀଙ୍କ ଭତ୍ତା ଆବେଦନପତ୍ର ମଞ୍ଜୁର କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ଏବେ ୩୬ ଲକ୍ଷ ୬୪ ହଜାର ଜଣ ମଧୁବାବୁ ପେନ୍ସନ୍ ଓ ୨୦ ଲକ୍ଷ ୧୭ ହଜାର ୯୭୮ଜଣ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ମାସିକ ଭତ୍ତା ପାଉଛନ୍ତି। ଏହି ଦୁଇ ଯୋଜନାରେ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୩ ଲକ୍ଷ ୭୨ ହଜାର ୯୫୩ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୩୩୩।
ସେହିପରି ଆଉ ଏକ ପ୍ରଶ୍ନରେ ଶ୍ରୀ ଗଣ୍ଡ କହିଛନ୍ତି, ଜାତୀୟ ପାରିବାରିକ ଲାଭ ଯୋଜନା ହେଉଛି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା। ଯେଉଁଥିରେ ସହାୟତା ରାଶିର ପରିମାଣ କେନ୍ଦ୍ର ସରକାର ସ୍ଥିର କରିଥାନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨୦ ହଜାର ଟଙ୍କାର ଏକକାଳୀନ ସହାୟତା ଦେବାର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ରାଜ୍ୟରେ ୨୪ ହଜାର ୬୯୭ଟି ପରିବାର ଉପକୃତ ହେଉଛନ୍ତି। ବିଗତ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୪୧୩କୁ ବୃଦ୍ଧି କରିଛନ୍ତି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ଜାନୁଆରି ମାସରୁ ୮୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ଓ ୮୦%ରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମାସିକ ଭତ୍ତା ୩୫ ଶହ ଟଙ୍କା ପ୍ରଦାନ କରାଯାଉଛି। ତେବେ ପ୍ରମାଣପତ୍ର ମିଳି ନ ଥିବା କାରଣରୁ ୮୦% କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀମାନେ ଚଳିତ ଜାନୁଆରିଠାରୁ ସେମାନଙ୍କ ବକେୟା ରାଶି ପାଇବାର ପ୍ରସ୍ତାବ ବର୍ତ୍ତମାନ ବିଚାରାଧୀନ ନାହିଁ। ବିଧାୟକ ଗୌତମବୁଦ୍ଧ ଦାସ ଓ ପବିତ୍ର ସାଉଁନ୍ତା ଏହି ପ୍ରଶ୍ନ କରିଥିଲେ।