ମଦ ପିଇ ପିଟିଲେ,୨୦ ଆହତ

Advertisment

ପାରଳାଖେମୁଣ୍ଡି/ଚନ୍ଦ୍ରଗିରି : ଗଜପତି ଜିଲ୍ଲା ଅଡ଼ବା ଥାନା ଅଧୀନ ଲୁଧିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ତାଙ୍କ ମାଡ଼ରେ ୨୦ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ଶରୀରରେ ଆଘାତ ଲାଗିଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଶ୍ରୀ ବେହେରା ଅନ୍ୟ ଏକ ଅନୁଷ୍ଠାନ ଡେଙ୍ଗାସଖାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୨ଟି ବାଉଁଶ ବାଡ଼ିରେ ନିର୍ଧୁମ୍ ପିଟିଥିଲେ। କିଛି ଶିକ୍ଷକ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ହେଁ, ସେ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଫଳରେ, ଛାତ୍ରଛାତ୍ରୀମାନେ ଆହତ ହୋଇଥିଲେ। ସେମାନଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ଭାଗରେ ଆଘାତ ଲାଗିଛି। ଅଭିଭାବକମାନେ ଖବର ପାଇ ପହଞ୍ଚି ନିଜ ପିଲାମାନଙ୍କୁ ଉଦ୍ଧାର କରି ଅଡ଼ବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ଦେବଦାସ ତାମରାପୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପୁଲିସ ଶିକ୍ଷକ ଶ୍ରୀବେହେରାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର, ଯେଉଁଠିକି ଗଲେ, ସେଇଠି ଅଭିଯୋଗ

ଦେଓଗାଁ : ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ସ୍କୁଲ୍‌ର ପ୍ରଧାନଶିକ୍ଷକ। ଉତ୍ତ୍ୟକ୍ତ ଲୋକଙ୍କ କବଳରେ ୪ଘଣ୍ଟା ଧରି ଅଟକ ରହିବା ପରେ ପୁଲିସ୍‌ ତାଙ୍କୁ ଉଦ୍ଧାର କରିଛି। ତେବେ, ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆହୁରି ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ପୂର୍ବରୁ ସେ ଥିବା ୪ଟି ସ୍କୁଲ୍‌ରେ ତାଙ୍କ ବିରୋଧରେ ସମାନ ଅଭିଯୋଗ ଆସିଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ମୁରସିଂ ସ୍କୁଲର ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁସା‌ରେ, ୧୦ ମାସ ତଳେ କୁତୁର୍ଲା ପଞ୍ଚାୟତ ବହଲି ସ୍କୁଲର ଶିକ୍ଷକ ବିଶ୍ବନାଥ ବୁଦ୍ଧିଆ ପଦୋନ୍ନତି ପାଇ ମୁରସିଂ ୟୁପି ସ୍କୁଲ୍‌ର ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲେ। କିଛିଦିନ ‌ହେଲା ସେ ସ୍କୁଲର କୋମଳମତି ଛାତ୍ରୀଙ୍କ ଉପରେ ଖରାପ ନଜର ପକାଉଥିଲେ। ଗତ ୨୨ ତାରିଖ ଦିନ ଜଣେ ଚତୁର୍ଥଶ୍ରେଣୀର ଛାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଝିଅର ବାପାମା’ ତଥା ଅନ୍ୟ ଅଭିଭ‌ାବକମାନେ ପ୍ରତିବାଦ କରିବା ସହ ସ୍କୁଲ୍‌ କୋଠରି‌ରେ ଅଟକ ରଖିଥିଲେ। ଶିକ୍ଷା ବିଭାଗ ଅଧିକାରୀ ଓ ସ୍ଥାନୀୟ ପୁଲିସକୁ ଡାକି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅପରାହ୍ନ ପ୍ରାୟ ୫ଟାପରେ ଏବିଇଓ ଅଜିତ ମିଶ୍ର, ଦେଓଗାଁ ପୁଲିସ ଆଇଆଇସି ତପସ୍ବିନୀ ପଧାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ୪ ଘଣ୍ଟାପରେ ସେ ମୁକୁଳିଥି‌ଲାବେଳେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।
ଉଦ୍‌ବେଗଜନକ ବିଷୟ ହେଉଛି, ଅଭିଯୁକ୍ତ ପ୍ରଧାନଶିକ୍ଷକ ମଧ୍ୟ ଏହି ମୁରସିଂ ଗାଁର। ୧୦ ମାସ ତଳେ ନିକଟସ୍ଥ ସିଆଲବାହାଲିରୁ ପଦୋନ୍ନତି ପାଇ ମୁରସିଂ ୟୁପିସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ବ ନେଇଥିଲେ। ସ୍କୁଲରେ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ତାଙ୍କ ପାଇଁ ନୂଆଁ କଥା ନୁହେଁ। ପୂର୍ବରୁ ୪ଟି ସ୍କୁଲରେ ଏହିପରି ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। କିନ୍ତୁ କାର୍ଯ୍ୟାନୁ‌ଷ୍ଠାନ ହୋଇ ନାହିଁ। ତେଣୁ ତାଙ୍କୁ ନିଲମ୍ବନ କରାଯାଉ, ନ ହେଲେ ଆଗାମୀ ଦିନରେ ଖରାପ ପ୍ରଭାବ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।