ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଫଳ, ପନିପରିବା, ଫୁଲ ଚାଷ ପାଇଁ ଉପଯୁକ୍ତ ପରିବେଶ ସାଙ୍ଗକୁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ଚାଷୀମାନଙ୍କୁ ସହାୟତା ଲାଗି ଏଠାରେ ଉଦ୍ୟାନ କୃଷି ବିଭାଗ ମଧ୍ୟ ରହିଛି। ହେଲେ ଏହି ବିଭାଗରେ ଆବଶ୍ୟକ କର୍ମଚାରୀ ନଥିବାରୁ ଠିକଣା ସମୟରେ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ମିଳିପାରୁନି। ଏହାକୁ ଖୋଦ୍‌ ବିଭାଗର ଅଧିକାରୀମାନେ ମଧ୍ୟ ସ୍ବୀକାର କରୁଛନ୍ତି। 

Advertisment

ସୂଚନା ମୁତାବକ, ଉଦ୍ୟାନ ବିଭାଗ ପକ୍ଷରୁ ଜଳବାୟୁ ଉପଯୋଗୀ ସ୍ବତନ୍ତ୍ର ଫଳ ବଗିଚା, ଫୁଲ ମିସନ୍‌, ଛତୁ ମିସନ୍, ଖରିଫ ଓ ରବି କାର୍ଯ୍ୟକ୍ରମ, ଉଦ୍ୟାନ କୃଷି ମିସନ୍ ଯୋଜନା ଇତ୍ୟାଦି କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ମାଧ୍ୟମରେ ଚାଷୀମାନେ ଆର୍ଥିକ ସହାୟତା ପାଇ ବିଭିନ୍ନ ପ୍ରକାରର ଫୁଲ, ଫଳ ଚାଷ କରି ସ୍ବାବଲମ୍ବୀ ହେବାର ସବୁପ୍ରକାର ବ୍ୟବସ୍ଥା ରହିଛି। ବିଭାଗୀୟ ଅଧିକାରୀମାନେ ଆଗ୍ରହୀ ଚାଷୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ନିକଟରେ ସବୁ ଯୋଜନା କିପରି ପହଞ୍ଚି ପାରିବ ସେ ନେଇ ସହଯୋଗ ଯୋଗାଇ ଦିଅନ୍ତି। ବିଶେଷ କରି ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ଅମଳ ବୃଦ୍ଧିରେ ଏହି ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, କିଶୋରନଗର, ଆଠମଲ୍ଲିକ, ଅନୁଗୁଳ ସଦର ବ୍ଳକ୍‌, ପାଳଲହଡ଼ା ଆଦି ଅଞ୍ଚଳର ମାଟି ଚାଷ ପାଇଁ ବେଶ୍ ଉପଯୋଗୀ। ଏହିସବୁ ଅଞ୍ଚଳରେ ଆଳୁ, ପିଆଜ, ରସୁଣ, ଲଙ୍କା, ଧନିଆ ସହିତ ବିଭିନ୍ନ ପନିପରିବା ଚାଷ ହେଉଛି। ସେହିପରି ଗେଣ୍ଡୁ ଫୁଲ, ମହୁ, କଦଳୀ ମଧ୍ୟ ବିଭିନ୍ନ ସ୍ଥାନରେ ଚାଷ ହେଉଥିବାର ଦେଖାଯାଇଛି। କିନ୍ତୁ ଚାଷୀମାନଙ୍କ ପାଖରେ ଉଦ୍ୟାନ କୃଷି ବିଭାଗ ପହଞ୍ଚି ପାରୁନାହିଁ। ଆବଶ୍ୟକ ସମୟରେ ଚାଷୀ ଉପଯୁକ୍ତ ପରାମର୍ଶ ପାଇପାରୁ ନଥିବା ଅଭିଯୋଗ ହେଉଛି। 

ଉଲ୍ଲେଖନୀୟ ଯେ ଅନୁଗୁଳ ଉଦ୍ୟାନ କୃଷି ବିଭାଗରେ କର୍ମଚାରୀଙ୍କ ଅଭାବ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଉଦ୍ୟାନ କୃଷି ବିଭାଗରେ ୧୦୨ ଜଣ କର୍ମଚାରୀ ରହିବା ସ୍ଥାନରେ ଏବେ ମାତ୍ର ୪୨ ଜଣ କର୍ମଚାରୀ ରହିଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ ଚଳିତ ବର୍ଷ କେତେକ କର୍ମଚାରୀ ଅବସର ନେବାକୁ ଯାଉଛନ୍ତି। ଫଳରେ ଆଗକୁ କର୍ମଚାରୀ ସଂଖ୍ୟା ଆହୁରି କମିବ। ସେହିପରି ମାଳି, ଆଟେଣ୍ଡାଣ୍ଟ, ଡ୍ରାଇଭର୍‌, ପିଅନ ଭଳି ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ନାହାନ୍ତି। ଅଧାରୁ ଅଧିକ କର୍ମଚାରୀ ନ ଥିବାରୁ ବିଭିନ୍ନ ସମୟରେ ଚାଷୀମାନଙ୍କୁ ତାଲିମ୍ ଓ ପରାମର୍ଶ ମିଳୁ ନଥିବା ବିଭାଗୀୟ ଅଧିକାରୀ ମନୋରଞ୍ଜନ ପଣ୍ଡା ସ୍ବୀକାର କରିଛନ୍ତି। ସେପଟେ ଚାଷ ଓ ଚାଷୀଙ୍କ ପାଇଁ କାମ କରୁଥିବା ଏହି ବିଭାଗରେ କର୍ମଚାରୀ ଅଭାବ ପାଇଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ସମୟରେ ପରାମର୍ଶ ମିଳୁ ନଥିବାରୁ ଏହାର ପ୍ରଭାବ ଚାଷୀଙ୍କ ଉପରେ ପଡ଼ୁଛି। ଅନ୍ୟପକ୍ଷରେ ଜିଲ୍ଲାରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ଉତ୍ପାଦନ ମଧ୍ୟ ହ୍ରାସ ପାଉଛି। ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଆ ନଗଲେ ଜିଲ୍ଲାରେ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବା ଲୋକମାନେ କୃଷିରୁ ବିମୁଖ ହୋଇପାରନ୍ତି।