ଗଦାଧର ପଣ୍ଡା
ଯାଜପୁର: ସରକାର ବଦଳିଲେ, କୋଠାର ରଙ୍ଗ ବଦଳିଯାଉଛି। ବର୍ଷେ ୬ମାସ ତଳେ କୋଟିକୋଟି ଟଙ୍କା ବ୍ୟୟରେ ବୋଳା ହୋଇଥିବା ରଙ୍ଗ ଉପରେ ପୁଣି ନୂଆ ରଙ୍ଗ ବୋଳାଯାଉଛି। ସତେ ଯେମିତି ସରକାରଙ୍କ ନିର୍ଦ୍ଦିଷ୍ଟ ରଙ୍ଗ ରହିଛି। ଏହି ପ୍ରତିଯୋଗିତା ଭିତରେ ରାଜ୍ୟ ରାଜକୋଷରୁ ହଜାରହଜାର କୋଟି ଟଙ୍କା ଅଯଥା ନଷ୍ଟ କରିଦିଆଯାଉଛି। ବରବାଦ୍ ହେଉଥିବା ଏହି ଅର୍ଥ ସାଧାରଣ ଲୋକଙ୍କର ହୋଇଥିବା ବେଳେ ଏଭଳି କରିବା ଦ୍ବାରା କାହାର ଲାଭ ହେଉଛି? ସରକାରଙ୍କର ରଙ୍ଗ ଅଛି କି? ବୋଲି ଏଭଳି ଏକ ପ୍ରଶ୍ନ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି। ଗତ ତିନିମାସ ତଳେ ଯାଜପୁର ଜିଲ୍ଲା ମୁଖ୍ୟାଳୟରେ ନବନିର୍ମିତ ଯଯାତିକେଶରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସବୁଜ ରଙ୍ଗ ବୋଳା ସରିଥିଲା। ଏବେ ପୁଣି ସେହି ନୂଆ ଚକ୍ଚକ୍ ଦିଶୁଥିବା ସବୁଜ ରଙ୍ଗର କୋଠା ଉପରେ କମଳା-ନାଲି ରଙ୍ଗର ବର୍ଡର ବୋଳାଯାଉଛି। ସରକାରଙ୍କ ନିୟମ ଭିନ୍ନ ଥିବାବେଳେ ଅଧିକାରୀ, ଯନ୍ତ୍ରୀମାନେ ଅତ୍ୟଧିକ ଆନୁଗତ୍ୟ ପ୍ରଦର୍ଶନ କରି ଏବେ ପୁଣିଥରେ ଯଯାତିକେଶରୀ ମେଡିକାଲ କଲେଜରେ ଅକାରଣେ ୧୦କୋଟି ଟଙ୍କାର ରଙ୍ଗ ନଷ୍ଟ କରିବାକୁ ଯାଉଛନ୍ତି। ଏଭଳି ରଙ୍ଗ ପରିବର୍ତ୍ତନକୁ ସ୍ଥାନୀୟ ଲୋକ ନାପସନ୍ଦ କରିଛନ୍ତି। ସରକାର ଏଭଳି ଅର୍ଥ ବିନର୍ବ୍ୟୟ ନ କରନ୍ତୁ ବୋଲି ଦାବି କରିଛନ୍ତି।
୩ ମାସ ତଳେ ବୋଳା ହୋଇଥିଲା ସବୁଜ
ପୁଣି କମଳା-ନାଲି, ୧୦ କୋଟି ବରବାଦ
ତଥ୍ୟ ମୁତାବକ, ବିଜେଡି ସରକାର ଥିବାବେଳେ ସରକାରୀ କୋଠାର ରଙ୍ଗ ସବୁଜ ଥିଲା। ୫-ଟି ଯୋଜନାରେ ନିର୍ମିତ ସମସ୍ତ କୋଠାକୁ ସବୁଜ ରଙ୍ଗ କରାଯାଇଥିଲା। ଏବେ ସରକାର ବଦଳିବା ପରେ ବିଜେପି ନେତୃତ୍ବାଧୀନ ସରକାର ରାଜ୍ୟର ସମସ୍ତ ସରକାରୀ କୋଠାଗୁଡ଼ିକର ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଅକ୍ଟୋବର ୭ତାରିଖରେ ନୂଆ ସରକାର ଏହି ନିର୍ଦେଶ ଜାରି କରିଛନ୍ତି। ନିର୍ମାଣ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟଯନ୍ତ୍ରୀ, ଓବିସିସି, ଅଧୀକ୍ଷଣ ଯନ୍ତ୍ରୀ ଓ ପୂର୍ତ୍ତ ବିଭାଗର ସମସ୍ତ ମୁଖ୍ୟଯନ୍ତ୍ରୀଙ୍କୁ ଏ ନେଇ ଚିଠି କରାଯାଇଛି। ସମସ୍ତ ସରକାରୀ କୋଠାରେ ଏକ ୟୁନିଫର୍ମ କଲର୍ କୋଡ୍ (ସମାନ ରଙ୍ଗ)ର ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦେଶ ରହିଛି। ନୂଆ ସରକାରୀ କୋଠା, ପୁରୁଣା ସରକାରୀ କୋଠାର ମରାମତି ବା ନବୀକରଣ ବେଳେ ବାହାର କାନ୍ଥର ରଙ୍ଗ କମଳା (ଅରେଞ୍ଜ୍ ସେଡ୍) ଆରଜିବି ମିକ୍ସ କଲର କୋଡ୍ ନମ୍ବର (୨୫୪, ୧୯୦, ୧୫୨) ରହିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସେହିଭଳି ବର୍ଡର ରଙ୍ଗ (ନାଲି) ରେଡ୍ ସେଡ୍ ଆରଜିବି ମିକ୍ସ କଲର୍ କୋଡ୍ (୧୭୭, ୮୫, ୭୯) ରଖିବାକୁ ନିର୍ଦ୍ଦେଶ ରହିଛି। ତେବେ ନିର୍ଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ନୂତନ କୋଠା, ପୁରୁଣା ସରକାରୀ କୋଠାର ମରାମତି ବା ନବୀକରଣ ସମୟରେ ଏହି ରଙ୍ଗ ବଦଳାଯିବ। ମାତ୍ର କେଉଁଠି ବି ଉଲ୍ଲେଖ ନାହିଁ ଯେ ନିର୍ମାଣ ସରିଥିବା ବା ନୂଆ କୋଠାର ରଙ୍ଗ ବଦଳାଯିବ।
ଯାଜପୁର ଜିଲ୍ଲାରେ ବିଭାଗୀୟ ଯନ୍ତ୍ରୀ ତରବରିଆ ଭାବେ ଯଯାତିକେଶରୀ ମେଡିକାଲ କଲେଜର ସବୁଜ ରଙ୍ଗକୁ ବଦଳାଇ କମଳା ରଙ୍ଗ ଦେବା ଆରମ୍ଭ କରିଛନ୍ତି। ଯାହା ସରକାରୀ ନିର୍ଦେଶର ବିରୁଦ୍ଧାଚରଣ କରୁଛି। ଯନ୍ତ୍ରୀମାନେ ଅତ୍ୟଧିକ ଆନୁଗତ୍ୟ ଦେଖାଇ ଏଭଳି କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ସାନି ଟେଣ୍ଡର ନକରି କୋଠାର ନିର୍ମାଣ କାମ ନେଇଥିବା ଏଜେନ୍ସି ଉପରେ ଚାପ ପ୍ରୟୋଗ କରାଯାଉଛି। ଏଥିରେ ପୁଣି ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଯଯାତିକେଶରୀ ମେଡିକାଲ କଲେଜ ୨୦ ଏକର ଜମିରେ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୨ଲକ୍ଷରୁ ଅଧିକ ବର୍ଗଫୁଟର କୋଠା ନିର୍ମାଣ କରାଯାଇଛି। ୬ଟି ହଷ୍ଟେଲ, ପ୍ରାଶାସନିକ କୋଠା, ଡାକ୍ତରଖାନା, ନିଦାନ ଓ ଅନ୍ୟ ବିଭାଗକୁ ମିଶାଇ ୧୫ଟି ବିଶାଳ କୋଠା ନିର୍ମାଣ ସରିଛି। ଏବେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇ ୫୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହି ନବନିର୍ମିତ କୋଠାର ନିର୍ମାଣ କାର୍ଯ୍ୟ ଏକ ଘରୋଇ ସଂସ୍ଥା କରୁଛି।