ବାଲେଶ୍ବର: ଜିଲ୍ଲାର ରେମୁଣାଠାରେ ଫକୀରମୋହନ ସରକାରୀ ମେଡିକାଲ୍ କଲେଜର ପ୍ରଶିକ୍ଷଣ ହସ୍ପିଟାଲ୍ (ଟିଚିଂ ହସ୍ପିଟାଲ୍) ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବାଲେଶ୍ବରରେ ମେଡିକାଲ୍ କଲେଜ ଆରମ୍ଭ ହେବାଠାରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶିକ୍ଷଣ ହସ୍ପିଟାଲ୍ ଭାବେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟବହାର ହୋଇଆସୁଥିଲା। ମାତ୍ର ଏବେ ତାହା ନିଜ କ୍ୟାମ୍ପସ୍କୁ ସ୍ଥାନାନ୍ତର ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଜନସାଧାରଣଙ୍କ ମନରେ ଗୋଟିଏ କଥା ଉଙ୍କି ମାରିଛି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମେଡିକାଲ୍ କଲେଜ ପ୍ରଶିକ୍ଷଣ ହସ୍ପିଟାଲ୍ ସ୍ଥାନାନ୍ତର ହୋଇଗଲେ ଏଠାରେ ମିଳିଆସୁଥିବା ଚିକିତ୍ସା ସୁବିଧା ପୂର୍ବଭଳି ଉପଲବ୍ଧ ରହିବ ନା ଧୀରେ ଧୀରେ ଏଠାରେ ବିଭିନ୍ନ ବିଭାଗରେ ତାଲା ଝୁଲିବ ଏବଂ ଉତ୍ତମ ଚିକିତ୍ସା ସୁବିଧା ପାଇବା ଆଶାରେ ଲୋକେ ମେଡିକାଲ୍ କଲେଜ ପ୍ରଶିକ୍ଷଣ ହସ୍ପିଟାଲ୍ ଉପରେ ନିର୍ଭର କରି ରେମୁଣା ଯାଏ ଯିବେ?
ମିଳିଥିବା ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରେମୁଣା ମେଡିକାଲ୍ କଲେଜ ପରିସରକୁ ମେଡିସିନ୍ ବିଭାଗ ସମେତ ଚର୍ମରୋଗ ବିଭାଗ, ଶିଶୁ ବିଭାଗ, ଅର୍ଥୋପେଡିକ୍ ଭଳି କିଛି ବିଭାଗକୁ ସ୍ଥାନାନ୍ତର କରାଯାଉଛି। ଏଥିସହ ଏମ୍ଆର୍ଆଇ, ସିଟିସ୍କାନ୍, ଡାୟଲିସିସ୍ ଭଳି ସୁବିଧା ମଧ୍ୟ ସେଠାକୁ ସ୍ଥାନାନ୍ତର ହୋଇଯିବ। ପ୍ରଫେସର, ଆସିଷ୍ଟାଷ୍ଟ ପ୍ରଫେସର, ବିଶେଷଜ୍ଞ ଡାକ୍ତର, ସିନିୟର ରେସିଡେଣ୍ଟ, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ମଧ୍ୟ ଢେର କମିଯିବ। ଏହିଭଳି ଧୀରେ ଧୀରେ ଆଉ ବର୍ଷେ କିମ୍ବା ଦେଢ଼ବର୍ଷ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମେଡିକାଲ୍ କଲେଜ ପ୍ରଶିକ୍ଷଣ ହସ୍ପିଟାଲ୍ର ସମସ୍ତ ଚିକିତ୍ସା ସୁବିଧା ସ୍ଥାନାନ୍ତର ହୋଇଯିବ। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ କଲେଜର ପ୍ରଶିକ୍ଷଣ ହସ୍ପିଟାଲ୍ ଆରମ୍ଭ ହେବା ପୂର୍ବରୁ ଯେପରି ଚିକିତ୍ସା ସୁବିଧା ମିଳି ଆସୁଥିଲା ତାହା ଆଗକୁ ଆଉ ମିଳିବ କି ତା’ର ଗୁରୁତ୍ବ କମାଇ ଦିଆଯିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ। ଏନେଇ ତୁରନ୍ତ ବାଲେଶ୍ବରର ଜନସାଧାରଣ, ବୁଦ୍ଧିଜୀବୀ, ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି, ବରିଷ୍ଠ ନାଗରିକ ମଂଚ, ସିଭିଲ୍ ସୋସାଇଟି, ରାଜନେତା ପ୍ରମୁଖ ଦାବି ଉଠାଇ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବା ଜରୁରୀ ହୋଇପଡ଼ିଛି।
ଗତ ମାର୍ଚ୍ଚ ମାସରେ ହୋଇଥିବା ଜିଲ୍ଲା ପରିଷଦ ବୈଠକରେ ଏବଂ ଚଳିତ ମାସ ୧୧ ତାରିଖରେ ହୋଇଥିବା ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମେଡିକାଲ୍ କଲେଜର ପ୍ରଶିକ୍ଷଣ ହସ୍ପିଟାଲ୍ ତୁରନ୍ତ ସ୍ଥାନାନ୍ତର କରାଯିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆଲୋଚନାରେ ସମିତିର ଅଧ୍ୟକ୍ଷ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆର୍ଡିସି ସୁରେଶ ଚନ୍ଦ୍ର ଦଳାଇ, ସଦର ବିଧାୟକ ସ୍ବରୂପ କୁମାର ଦାସ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ମେଡିକାଲ୍ କଲେଜର ଡିନ୍ ଡା. ରାମଚନ୍ଦ୍ର ଗିରି, ସୁପରିନ୍ଟେଣ୍ଡେଣ୍ଟ ଡା. ନିର୍ମଳ ଚନ୍ଦ୍ର ସାହାଣୀ, ପ୍ରଶାସନିକ ଅଧିକାରିଣୀ ମନୋରମା ଭୂୟାଁ, ଡା. ମୃତ୍ୟୁଞ୍ଜୟ ମିଶ୍ର ଉପସ୍ଥିତ ରହି ନୂତନ ପ୍ରଶିକ୍ଷଣ ହସ୍ପିଟାଲ୍ର ନିର୍ମାଣ କାର୍ଯ୍ୟ ଏବଂ ତୁରନ୍ତ ସେଥିରେ ଚିକିତ୍ସା ସେବା ଆରମ୍ଭ ପ୍ରସଙ୍ଗରେ ଆଲୋଚନା କରିଥିଲେ। ତେବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଗୁରୁତ୍ବ ପ୍ରସଙ୍ଗରେ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ପ୍ରଶାସନିକ ଅଧିକାରିଣୀ ମନୋରମା ଭୂୟାଁଙ୍କୁ ପଚାରିବାରୁ ସେ କହିଥିଲେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୌଣସି ଭାବେ ଗୁରୁତ୍ବ କମିବ ନାହିଁ। ପୂର୍ବରୁ ତାହା ଯେମିତି ଚାଲିଥିଲା ଚାଲିବ। ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାସଂଖ୍ୟା ୩୩୦ ରହିଥିବା ବେଳେ ମେଡିକାଲ୍ କଲେଜର ପ୍ରଶିକ୍ଷଣ ହସ୍ପିଟାଲ୍ ଆରମ୍ଭ ହେଲେ ଆହୁରି ୬୫୦ ଶଯ୍ୟାର ସୁବିଧା ମିଳିପାରିବ। ତେବେ ଏହା ଜିଲ୍ଲା ସଦର ମହକୁମାରୁ ରେମୁଣା ମେଡିକାଲ୍ କଲେଜକୁ ଏକ ରେଫେରାଲ୍ ୟୁନିଟ୍ କାମ କରିବ ବୋଲି ଶ୍ରୀମତୀ ଭୂୟାଁ ସ୍ପଷ୍ଟ କରିଛନ୍ତି।