ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧିର କାରଣ କ’ଣ ଶୀତ ଦିନ: ନିରଞ୍ଜନ

ତଣ୍ଟି ଚିପି କର ଆଦାୟ କରିବା‌ ନୂଆ ଭା‌ରତର ସ୍ବପ୍ନ କି ?
ଅର୍ଥନୀତିକୁ ପରିଚାଳନା କରିବାରେ ଦକ୍ଷତାର ଅଭାବ

ଭୁବନେଶ୍ବର : ତୈଳ ଓ ରନ୍ଧନ ଗ୍ୟାସ୍‌ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ତାହାକୁ ତୀବ୍ର ସମା‌େ‌ଲାଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଦକ୍ଷତାର ଅଭାବ ରଖିଥିବା ‌େକନ୍ଦ୍ର ସରକାର ଦର ବୃଦ୍ଧି ପାଇଁ ଶୀତ ଦିନକୁ ଦାୟୀ କରୁଛନ୍ତି ବୋଲି ସେ ଭର୍ତ୍ସନା କରିଛନ୍ତି। କଡ଼ା ଟିପ୍ପଣୀ ଦେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ତଣ୍ଟି ଚିପି କର ଆଦାୟ କରିବା କ’ଣ ଆପଣଙ୍କର ନୂଆ ଭାରତର ସ୍ବପ୍ନ କି ? ମିଛ କହିବା ଓ ମିଛକୁ ବାରମ୍ବାର କହିବା ଏବଂ ଆପଣଙ୍କ ଦ୍ବାରା ପୋଷାଯାଉଥିବା ଗଣମାଧ୍ୟମରେ କୁହାଇବା ଆପଣଙ୍କର ବୃତ୍ତିଗତ ପେସା। କିନ୍ତୁ ଶାସନ କରିବାର ଦକ୍ଷତା ସର୍ବୋପରି ଅପରିହାର୍ଯ୍ୟ।

ଏକ ପ୍ରେସ୍‌ ବିବୃତିରେ ପିସିସି ସଭାପତି କହିଛନ୍ତି, ତୈଳ ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପାଇଁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାରଣ ଦର୍ଶାଇଛନ୍ତି ଯେ ଶୀତ ଦିନ ପାଇଁ ଦର ବୃଦ୍ଧି ପାଉଛି। ଶୀତ ସରିଗଲେ ଦର ହ୍ରାସ ପାଇବ। ଏହା ସହ ଡିଜେଲ୍‌ ଓ ପେଟ୍ରୋଲ ତଥା ଗ୍ୟାସ୍‌ ଚାହିଦା ବୃଦ୍ଧି ଯୋଗୁ ଓ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଏଠାରେ ଦର ବୃଦ୍ଧି ହେଉଛି। ଏହି ତିନିଟି ଯାକ କାରଣ ଅସତ୍ୟ ଓ ମନଗଢ଼ା କାହାଣୀ। ଯଦି ଶୀତ ଦିନ ଯୋଗୁ ଦର ବୃଦ୍ଧି ହୋଇଛି, ତେବେ ଗତ ତିନି ବର୍ଷର ଶୀତ ଦିନରେ ଏହାର ଦାମ ଆଜି ଦିନ ଠାରୁ କିପରି କମ୍ ଥିଲା ? ୨୦୧୭ ମସିହାରୁ କ୍ରମାଗତ ଭାବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ ବହୁ ମାତ୍ରାରେ କମିଯାଇଛି। ୨୦୨୦ ମସିହା କୋଭିଡ୍‌ ଲକ୍‌ଡାଉନ୍ ସମୟରେ ଅଶୋଧିତ ତୈଳ ଦର ବିଶ୍ବ ବଜାରରେ ସବୁଠାରୁ କମ୍‌ ଥିଲା। କିନ୍ତୁ ସେହି ସମୟରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ କେନ୍ଦ୍ର ସରକାର ଅଧିକରୁ ଅଧିକ ବଢ଼ାଇ ଚାଲିଲେ। ମହାମାରୀ ସମୟରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୧୬ ଟଙ୍କା ଓ ୧୩ ଟଙ୍କା ଅଧିକ କର ବସାଇଲେ। କେନ୍ଦ୍ର ସରକାରଙ୍କ ରାଜସ୍ବ ଆୟ କ୍ରମାଗତ ଭାବେ କମୁଥିବାରୁ ‌ରାଜସ୍ବ ବୃଦ୍ଧି ପାଇଁ ତୈଳ ଓ ରନ୍ଧନ ଗ୍ୟାସ୍‌ ଛଡ଼ା ଆଉ କିଛି ବିକଳ୍ପ ନାହିଁ। ଗରିବ ଲୋକଙ୍କ ପକେଟରୁ ପଇସା ଟାଣି ନେଇ ପୁଞ୍ଜିପତିମାନଙ୍କୁ ସହାୟତା କରିବା ଏଇ ସରକାରଙ୍କ ନୀତି।

ତୈଳ ଓ ରନ୍ଧନ ଗ୍ୟାସ୍‌ର ଚାହିଦା ବୃଦ୍ଧି ମନ୍ତବ୍ୟକୁ ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୨୦ ମସିହା ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଭାରତରେ ପେଟ୍ରୋଲର ଚାହିଦା ପୂର୍ବ ବର୍ଷ ତୁଳନାରେ ପାଖାପାଖି ୯.୩ ପ୍ରତିଶତ ଥିଲା। ଏହି ସମୟରେ ଭାରତ ୩୨.୩ ମିଲିୟନ୍ ଟନ୍‌ ପେଟ୍ରୋଲ ଆବଶ୍ୟକ କରିଥିଲା। ସେହିପରି ଭାବେ ଡିଜେଲ୍‌ର ଚାହିଦା ପୂର୍ବ ବର୍ଷ ତୁଳନାରେ ୧୪.୫ ପ୍ରତିଶତ କମ୍ ଥିଲା। ଏହି ସମୟରେ ପାଖାପାଖି ୭୧.୯୧ ମିଲିୟନ୍ ଟନ୍‌ର ଡିଜେଲ୍‌ ବ୍ୟବହାର ହୋଇଛି। ସାରା ଏସିଆ ମହାଦେଶରେ ତୈଳର ଚାହିଦା ପୂର୍ବ ବର୍ଷ ତୁଳନାରେ ୧୩% କମିଛି। ଏହା ସତ୍ତ୍ବେ କାହିଁକି ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଲାଣି ଓ ଡିଜେଲ୍‌ ପାଖାପାଖି ୯୬ ଟଙ୍କା ହେଲାଣି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ନେପାଳ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନ ଆଦି ଦେଶ ବିଦେଶରୁ ତୈଳ ଆମଦାନୀ କରି ନିଜ ଦେଶର ଜନତାଙ୍କୁ ‌େଯାଗାଇଥା’ନ୍ତି। ଯଦି ସେସବୁ ଦେଶରେ ତେଲର ଦାମ ପାଖାପାଖି ୫୬ରୁ ୬୦ ଟଙ୍କା ଭିତରେ ରହୁଛି, ତାହା ହେଲେ ଆମର କାହିଁକି ଏତେ ଅଧିକ ରହୁଛି ? ୨୦୧୬ ମସିହାରେ ଉଜ୍ଜଳା ଗ୍ୟାସ୍‌ର ଶୁଭାରମ୍ଭ କଲା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୮ କୋଟି ମା’ଙ୍କ ଆଖିରୁ ଲୁହ ନ ଗଡ଼ାଇବା ପାଇଁ ଏହି ଉଦ୍ୟମ। କିନ୍ତୁ ଏବେ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପାଇଁ ୨୮.୧୩ ମହିଳା ସବୁଦିନେ ଆଖିରୁ ଲୁହ ଗଡ଼ାଉଛନ୍ତି। ଡିଜେଲ ଦାମ ହୁ ହୁ ହୋଇ ବଢ଼ିବା ଯୋଗୁ ପାଇକାରୀ ମୁଦ୍ରାସ୍ଫୀତି ଆଜି ୭.୫%ରେ ପହଞ୍ଚିଲାଣି। ଫଳରେ ଖାଦ୍ୟଦ୍ରବ୍ୟର ମୁଦ୍ରାସ୍ଫୀତି ୩୫%ରୁ ଅଧିକ ହେଲାଣି। ଏହାର ପ୍ରଭାବ ହାଣ୍ଡିଶାଳ ଠାରୁ ଆରମ୍ଭ କରି ଭାତଥାଳି ପର୍ଯ୍ୟନ୍ତ ପଡ଼ିସାରିଲାଣି। ତେଣୁ ଅହଙ୍କାରକୁ ବର୍ଜନ କରି ଶୀଘ୍ର କେନ୍ଦ୍ର ସରକାର କୋଟି କୋଟି ଜନତାଙ୍କ ସ୍ବାର୍ଥରକ୍ଷା କରିବା ଦିଗରେ ଖୁବ୍ ଶୀଘ୍ର ତୈଳ ଓ ରନ୍ଧନ ଗ୍ୟାସ୍‌ର ଦାମ କମାଇବାକୁ ପିସିସି ସଭାପତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର