ଶିମିଳିପାଳ ନିଆଁକୁ ନେଇ ସତ କ’ଣ?

ପିସିସିଏଫ୍‌ କହୁଛନ୍ତି ନିଆଁ ସମ୍ପୂର୍ଣ୍ଣ ଆୟତ୍ତରେ ଅଛି
ପରିବେଶବିତ୍‌ଙ୍କ ମତ, ଏବେ ବି ନିଆଁ ଜଳୁଛି
ଠାକୁରମୁଣ୍ଡା ଓ ପୋଡ଼ାଡିହା ରେଞ୍ଜ ସର୍ବାଧିକ ପ୍ରଭାବିତ

ବାରିପଦା : ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି।

ଗତକାଲିଠାରୁ ଶିମିଳିପାଳ ଗସ୍ତରେ ଥିବା ପିସିସିଏଫ(ବନ୍ୟପ୍ରାଣୀ) ଶଶୀ ପଲଙ୍କ ମତରେ ଶିମିଳିପାଳରେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତରେ ଅଛି। ଶିମିଳିପାଳର ଠାକୁରମୁଣ୍ଡା ଓ ପୋଡ଼ାଡିହା ରେଞ୍ଜ ସର୍ବାଧିକ ପ୍ରଭାବିତ ହୋଇଛି। ଜିଲ୍ଲାରେ ଥିବା ୨୦୯ ବିଟ୍‌ରୁ ମାତ୍ର ୩-୪ଟି ବିଟ୍‌ରେ ନିଆଁର ମାତ୍ରା ଅଧିକ ଥିଲା। ସେହିପରି ନିଆଁରେ କୌଣସି ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହୋଇନାହାନ୍ତି। ବଡ଼ ଗଛ କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ସମ୍ପତ୍ତି ମଧ୍ୟ ଜଳିନଥିବା ଶ୍ରୀ ପଲ୍‌ ସୂଚନା ଦେଇଛନ୍ତି। ନିଆଁକୁ ଆୟତ୍ତ କରିବାକୁ ଏସ୍‌ଟିଆରର ୧ ହଜାରରୁ ଅଧିକ କର୍ମଚାରୀ ଏବଂ ୪୦ଟି ଗାଡ଼ି ନିୟୋଜିତ ଅଛି। ୭୫୦ ନିୟମିତ କର୍ମଚାରୀ ଥିବାବେଳେ ୨୫୦ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ତେବେ ଆଜି ଆସିଥିବା ସାଟେଲାଇଟ୍‌ ଚିତ୍ରରୁ ପ୍ରାୟ ୧୮ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଶିମିଳିପାଳର ୮/୯ଟି ସ୍ଥାନ ଏହି ଚିତ୍ରରେ ରହିଥିବା ପିସିସିଏଫ୍‌ କହିଛନ୍ତି। ଠାକୁରମୁଣ୍ଡା ରେଞ୍ଜ୍‌ର ଡଙ୍ଗାଡିହା, ପୁରୁଣାପାଣି ଭଳି କେତୋଟି ବିଟ୍‌ରେ ନିଆଁର ବ୍ୟାପକତା ଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇସାରିଛି। ସେହିପରି ସାଟେଲାଇଟ୍‌ ଦେଖାଇଥିବା ବନାଗ୍ନି ସ୍ଥାନଗୁଡ଼ିକରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଶ୍ରୀ ପଲ୍‌ କହିଛନ୍ତି। ଏହି ଘଟଣାରେ କୌଣସି ତଦନ୍ତ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଏବଂ ଆଗୁଆ ପ୍ରସ୍ତୁତିର ଅଭାବକୁ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ପଲ୍‌ ସୂଚନା ଦେଇଛନ୍ତି। ତେବେ ପିସିସିଏଫ୍‌ଙ୍କ ମତକୁ ପରିବେଶବିତ୍‌ମାନେ ଗ୍ରହଣ କରିପାରିନାହାନ୍ତି।

ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ ପୋଡ଼ାଡ଼ିହା ରେଞ୍ଜ ଅନ୍ତର୍ଗତ ବାଘଅନ୍ତ ଓ ଠାକୁରାଣୀ ଘାଟିରେ ବର୍ତ୍ତମାନ ବି ନିଆଁ ଜଳୁଛି। ନିଗିଲଦା, ମକାବାଡ଼ି, ଅନ୍ଧାରୀତୋଟା, କଚୁଦହମ୍‌ ଆଦି ସ୍ଥାନରେ ମଧ୍ୟ ନିଆଁ ଲାଗିଛି। ନିଆଁ ଏବେବି ଜଳୁଥିବା ବେଳେ ବଡ଼ ଗଛ, ବିରଳ ବନ୍ୟପ୍ରାଣୀ କାହାର କିଛି କ୍ଷତି ହୋଇନାହିଁ ବୋଲି ବିଭାଗୀୟ ଉଚ୍ଚ ପଦାଧିକାରୀ କେମିତି କହୁଛନ୍ତି। ବିନା କୌଣସି ସରଜମିନ୍‌ ତଦନ୍ତରେ ଏଭଳି ମନ୍ତବ୍ୟ ଦିଆଯିବା ଆଶ୍ଚର୍ଯ୍ୟଜନକ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ସେହିପରି, ପରିବେଶବିତ୍‌ ପ୍ରଦୀପ୍ତ କବିଙ୍କ ଅଭିଯୋଗ ଅନୁଯାୟୀ, ବନବିଭାଗ କହୁଛି ନିଆଁ ପ୍ରାୟ ୧୦ ଦିନ ଧରି ଜଳୁଥିଲା। ତେଣୁ ଗୋଟିଏ ଦୁଇ ଦିନରେ ନିଆଁ ଲିଭିବା ସମ୍ଭବପର ନୁହେଁ। ବହଳ ପତ୍ରରେ ନିଆଁ ଲାଗିଥିବାରୁ ସରୀସୃପ ଜାତୀୟ ପ୍ରାଣୀ କ୍ଷତିଗ୍ରସ୍ତ ହୋଇଥିବା ନିଶ୍ଚିତ।

ସମ୍ବନ୍ଧିତ ଖବର