ପରୀକ୍ଷା ନଦେବା ପଛର ସତ କ’ଣ? ବାହା ହୋଇଯାଇଥିବା ୧୨ଛାତ୍ରୀଙ୍କ ନାମରେ ଫର୍ମପୂରଣ

ଯାଜପୁରରେ ବି ସମାନ ଚିତ୍ର: ବାହା ହୋଇଗଲେ ୧୧ ପରୀକ୍ଷାର୍ଥୀ

କେନ୍ଦ୍ରାପଡ଼ା/ରାଜନଗର/ମହାକାଳପଡ଼ା : କିଏ ଦେଢ଼ ବର୍ଷ ତଳୁ ତ’ ଆଉ କିଏ ଦୁଇ ବର୍ଷ ତଳୁ ଘର ଛାଡ଼ି ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ନବମରୁ ପାଠରେ ଡୋରି ବନ୍ଧାହୋଇଛି। ସ୍କୁଲ୍‌ ଦୁଆରମୁହଁ ମାଡ଼ୁ ନାହାନ୍ତି। କରୋନାରେ ସ୍କୁଲ୍‌ ବନ୍ଦ ରହିବା ପରଠୁ ଆନ୍ଧ୍ର ଚିଙ୍ଗୁଡ଼ି କାରଖାନାରେ କାମ କରୁଛନ୍ତି। କେହି କେହି ଛାତ୍ରୀ ତ ବାହା ହେଇସାରିଛନ୍ତି। ଅଥଚ ସେମାନଙ୍କ ନାଁରେ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ହେଇଛି। ଗୁୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବାହାହୋଇ ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୧୨ଜଣ ଛାତ୍ରୀଙ୍କ ନାଁରେ ଫର୍ମ ପୂରଣ ହୋଇଥିବା ସାମ୍‌ନାକୁ ଆସିଛି। ସ୍କୁଲ୍‌ ସ୍ବୀକୃତି ବଜାୟ ରଖିବା ସହିତ ସରକାରୀ ସୁବିଧା ସୁଯୋଗ ହାତେଇବା ସକାଶେ ପିଲାଙ୍କ ଅଜାଣତରେ ଯେ ସେମାନଙ୍କ ନାଁରେ ମିଛ ଫର୍ମ ପୂରଣ କରାଯାଉଛି।

ରାଜନଗର ବ୍ଲକ୍‌ ଘଡ଼ିଆମାଳ ପ˚ଚାୟତ ଦାରୁଓରା ଗାଁର ସୁବାସ ମଳିକଙ୍କ ଝିଅ ସସ୍ମିତା ସିଦ୍ଧେଶ୍ବର ହାଇସ୍କୁଲ୍‌ରେ ପାଠ ପଢ଼ୁଥିଲେ। ମାତ୍ର ଏଥର ମାଟ୍ରିକ୍‌ ପରୀକ୍ଷା ଦେଇନାହାନ୍ତି। ନବମ ଶ୍ରେଣୀରୁ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହେଇଛି। କରୋନା ଯୋଗୁ ସ୍କୁଲ୍‌ ବନ୍ଦ ରହିବାରୁ ସସ୍ମିତା ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡ଼ି କାରଖାନାକୁ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ସେବେଠୁ ଆଉ ସ୍କୁଲ୍‌ ଯାଇ ନାହାନ୍ତି। ଅଥଚ ତାଙ୍କ ନାଁରେ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ହେଇଛି। ସସ୍ମିତାଙ୍କ ବାପା ସୁବାସ ଓ ମା’ ଭାମା ମଳିକଙ୍କ କହିବା କଥା ହେଉଛି, ଝିଅ କାମ କରିବାକୁ ଆନ୍ଧ୍ର ଚାଲିଯିବା ପରଠୁ ଆମେ କେବେ ସ୍କୁଲ୍‌ ଯାଇନାହୁଁ। ଝିଅର ମାଟ୍ରିକ୍‌ ପରୀକ୍ଷା କଥା ବି ଆମ ସହିତ କୌଣସି ଶିକ୍ଷକ ଆଲୋଚନା କରିନାହାନ୍ତି। ଏଣୁ ଝିଅର ଫର୍ମ ପୂରଣ କଲା କିଏ, ତାହା ଆମେ କହିପାରିବୁ ନାହିଁ। ଅନୁରୂପ ଚିତ୍ର ସେହି ଗାଁର ଖଗେଶ୍ବର ମଳିକଙ୍କ ଝିଅ ସୋନାଲିଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳିଛି। ସେ ମଧୢ ସସ୍ମିତାଙ୍କ ପରି ଗଲା ଦେଢ଼ ବର୍ଷ ହେବ ଆନ୍ଧ୍ରର ଏକ ଚିଙ୍ଗୁଡ଼ି କାରଖାନାରେ କାମ କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଉପସ୍ଥାନ ଖାତାରେ ଏମାନେ ନିୟମିତ ସ୍କୁଲ୍‌ ଆସନ୍ତି ଏବ˚ ମାଟ୍ରିକ୍‌ ଫର୍ମ ପୂରଣ ନିଜେ କରିଛନ୍ତି।

ସେହିପରି ଏହି ଗାଁର ଭୂମିହୀନ ଦଳିତ ପରିବାର ଧନୁର୍ଜୟ ମଳିକଙ୍କ ଝିଅ ରିତୁ ନବମ ଶ୍ରେଣୀରେ ନାମ ଲେଖାଯିବା ପରଠୁ ଆଉ ସ୍କୁଲ୍‌ ଯାଇନାହାନ୍ତି। ମନୋର˚ଜନ ମଳିକଙ୍କ ଦୁଇ ଝିଅ ସୋନି ଓ ଲୋନି କିନ୍ତୁ ସମ୍ମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ପରୀକ୍ଷା ଦେବାକୁ ମନା କରିଥିଲେ। ହେଲେ ଏମାନେ ସମସ୍ତେ ରେକର୍ଡରେ ଏଥର ମାଟ୍ରିକ୍‌ ପରୀକ୍ଷାର୍ଥୀ। ତେବେ ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ସାହୁଙ୍କ ଏ ସ˚କ୍ରାନ୍ତରେ କହିବା କଥା ହେଉଛି, ସରକାର ନିୟମ କଲେ ଯେ ସମ୍ମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଦେଇନଥିବା ପିଲା ସମ୍ମେଟିଭ୍‌-୨ ପରୀକ୍ଷା ଦେଇପାରିବେ। ସେଥିପାଇଁ ଆମେ ସମସ୍ତଙ୍କ ଫର୍ମ ପୂରଣ କରିଦେଲୁ।

ଅନ୍ୟପକ୍ଷରେ ମହାକାଳପଡ଼ା ବ୍ଲକ୍‌ର ରାମଚଣ୍ତୀ ବିଜୟାନନ୍ଦ ସରକାରୀ ହାଇସ୍କୁଲ୍‌ରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ଆହୁରି ଚକିତ କଲା ଭଳି। ମାଟ୍ରିକ୍‌ ପରୀକ୍ଷା ପାଇଁ ଏହି ହାଇସ୍କୁଲ୍‌ର ୨୩୦ ପିଲାଙ୍କ ଫର୍ମ ପୂରଣ ହୋଇଥିଲା। ହେଲେ ସେମାନଙ୍କ ମଧୢରୁ ୨୫ଜଣ ପରୀକ୍ଷା ଦେଉ ନାହାନ୍ତି। ରୋଚକ କଥା ହେଉଛି, ଅନୁପସ୍ଥିତ ପିଲାଙ୍କ ମଧୢରୁ ୧୨ଜଣ ଛାତ୍ରୀ ବାହା ହେଇ ଯାଇଥିବା ବେଳେ ଅନ୍ୟମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଇଥିବା ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। କିନ୍ତୁ କେଉଁ କାରଣରୁ ସେମାନଙ୍କ ଫର୍ମ ପୂରଣ କରାଗଲା, ତାହାର ସନ୍ତୋଷଜନକ ଉତ୍ତର ସେ ଦେଇ ପାରି ନାହାନ୍ତି।

ଯାଜପୁରରେ ବି ସମାନ ଚିତ୍ର: ବାହା ହୋଇଗଲେ ୧୧ ପରୀକ୍ଷାର୍ଥୀ

କାଳିଆପାଣି  : ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ କରିଥିଲେ। କେହିକେହି ସମ୍ମେଟିଭ୍‌-୧ ବୋର୍ଡ ପରୀକ୍ଷା ଦେଇଥିଲେ। କିନ୍ତୁ ସମ୍ମେଟିଭ୍‌-୨ ବେଳକୁ ୧୧ ଜଣ ପରୀକ୍ଷାର୍ଥୀ ପାଠକୁ ଆଡ଼େଇ ଦେଇ ବାହା ହୋଇଗଲେ। ସେମାନଙ୍କ ମଧ୍ୟରେ ୧୦ ଜଣ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ମିଳିଛି।

ପ୍ରଶାସନ ଫୋକସ୍‌ରେ ଥିବା ନଗଡ଼ା ଓ ପାର୍ଶ୍ବବର୍ତ୍ତୀ ଗୁହିଆଶାଳ ଗାଁର ୩ ଜଣ ଛାତ୍ରୀ ବାହା ହୋଇଛନ୍ତି। ସେହି ନଗଡ଼ାର ଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀ ଏବେ ୪ ମାସର ଅନ୍ତଃସତ୍ତ୍ବା ଥିବା ଅଭିଯୋଗ ହୋଇଛି। ଖଣିଅଞ୍ଚଳରେ ଗତ ଫେବ୍ରୁଆରି ଓ ମାର୍ଚ ମାସରେ ୧୬ ଜଣ ବାଲ୍ୟବିବାହ କରିଥିବା ସ୍ଥଳେ ଏବେ ପୁଣି ଆଉ ୧୦ ଜଣ ସେହି ବେଆଇନ ଓ କୁତ୍ସିତ ପ୍ରଥାକୁ ଆପଣାଇ ନେଇଛନ୍ତି। ସୁକିନ୍ଦା ଆମ୍ପୋଳବା ଗୌରାଙ୍ଗ ମହାପ୍ରଭୁ ହାଇସ୍କୁଲରେ ପଢ଼ୁଥିବା ନଗଡ଼ାର ୨ ଜଣ ଓ ଗୁହିଆଶାଳର ଅନ୍ୟ ଜଣେ ଛାତ୍ରୀ ବାଲ୍ୟବିବାହ କରିଛନ୍ତି। ସେମାନଙ୍କର ଜନୈକ ସହପାଠିନୀ ଏବେ ଗର୍ଭବତୀ ଥିବାରୁ ସେ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି। ଓଏମ୍‌ସି କାଳିଆପାଣି ହାଇସ୍କୁଲର ୨ ଜଣ ଛାତ୍ରୀ ବିବାହ ବନ୍ଧନରେ ଆବଦ୍ଧ ଥିବାରୁ ମାଟ୍ରିକ୍‌ ପରୀକ୍ଷାରୁ ଦୂ‌ରେଇ ରହିଛନ୍ତି। ଜଣେ ଛାତ୍ରୀଙ୍କ ଘର କାଳିଆପାଣି ଥାନା ପାଖାପାଖି ଓ ଅନ୍ୟ ଜଣଙ୍କ ଘର ବିର୍ସାନଗର ବୋଲି ଜଣାପଡ଼ିଛି। ସେହିପରି ପିମ୍ପୁଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଗୋରାମୁଣ୍ଡା, ବାଲିଅଞ୍ଜରି, ପିମ୍ପୁଡ଼ିଆ, ବାଙ୍କିସାହି ଓ ରାଙ୍କିଆ ଗାଁର ଜଣେ ଲେଖାଏଁ ମାଟ୍ରିକ୍‌ ଛାତ୍ରୀ ବିବାହ କରିଥିବା ସୂଚନା ମିଳିଛି। ସେମାନେ ସମସ୍ତେ ପିମ୍ପୁଡ଼ିଆ ପତିତପାବନ ହାଇସ୍କୁଲରେ ପଢ଼ୁଥିଲେ ଓ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ ମଧ୍ୟ ଏବେ ଅନୁପସ୍ଥିତ ଅଛନ୍ତି ବୋଲି ପ୍ରଧାନଶିକ୍ଷକ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ୯ ଜଣ ଛାତ୍ରୀଙ୍କ ବ୍ୟତୀତ ନଗଡ଼ାର ଜନୈକ ମାଟ୍ରିକ୍‌ ପରୀକ୍ଷାର୍ଥୀ ଏବେ ବାପା ହୋଇଛନ୍ତି। ସେ ମାଟ୍ରିକ୍‌ ପରୀକ୍ଷାରୁ ଦୂରେଇ ରହିଥିବା ଜଣାପଡ଼ିଛି।

ଏ ସଂପର୍କରେ ସୁକିନ୍ଦା ସିଡିପିଓ ସଂଯୁକ୍ତା କାନୁନଗୋଙ୍କୁ ଯୋଗାଯୋଗ କରିବାରେ ଏ ସଂପର୍କିତ ଅଧିକାଂଶ ଖବର ବିଷୟରେ ସେ ଅବଗତ ଥିବା କହିଥିଲେ। କିନ୍ତୁ ଯେତେ ସଚେତନତା କାର୍ଯ୍ୟକ୍ରମ କରିବ‌‌ା ସହ ସଂପୃକ୍ତ ପରିବାର ପାଖକୁ ଯାଇ ବୁଝାଇଲେ ମଧ୍ୟ କିଛି ଲାଭ ହୋଇନଥିବା କହନ୍ତି। ବରଂ ସେମାନେ ଏସବୁ କାର୍ଯ୍ୟକୁ ଅତ୍ୟନ୍ତ ଗୋପନୀୟ ଭାବେ କରାଉଥିବା କହି ସେ ମନଦୁଃଖ କରିଥିଲେ।

ସମ୍ବନ୍ଧିତ ଖବର