‘ସାମାନ୍ୟ ଚିକିତ୍ସା ଯଦି ଦେଇପାରୁନ, ଗାର୍ଡ ଅଫ୍‌ ଅନରର ମାନେ କ’ଣ’?

କରୋନାରେ ମୃତ ଡାକ୍ତରଙ୍କୁ ନେଇ ଉଠିଲା ଅଭିଯୋଗ

ବାଲେଶ୍ବର: କରୋନାରେ ଆକ୍ରାନ୍ତ ହୋଇ ଗତ ୨୭ ତାରିଖ ଦିନ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କର ମୃତ୍ୟୁ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କ ମରଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଘଟଣାକୁ ୪ଦିନ ବିତିଥିବା ବେଳେ ସମ୍ପୃକ୍ତ ଡାକ୍ତର ଚିକିତ୍ସାଧୀନ ସମୟରେ କିପରି ସାମାନ୍ୟତମ ଚିକିତ୍ସା ସୁବିଧା ପାଇ ନଥିଲେ ଏବଂ ‌ଯେଉଁଥିପାଇଁ ସେ ପ୍ରାଣ ହରାଇଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉ ନଥିବା ଓ ଅନ୍ୟ ରୋଗୀମାନେ ମଧ୍ୟ ଏହି ସମାନ ଅବହେଳାର ଶିକାର ହେଉଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ବିରୋଧରେ ବହୁ ସଂଖ୍ୟାରେ ଅଭିଯୋଗ ଆସୁଥିବା ବେଳେ କରୋନାଯୋଦ୍ଧା ଡାକ୍ତରମାନେ ବି ସେଥିରୁ ବାଦ୍‌ ପଡ଼ୁ ନଥିବ‌ା ଜାଣି ସାଧାରଣରେ ତୀବ୍ର ପ୍ରତିକ୍ରିୟା‌ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବସ୍ତା ଥାନା କମର୍ଦ୍ଦା ଅଞ୍ଚଳର ଡାକ୍ତର ନିହାର ରଂଜନ ପରିଡ଼ା ଭବାନୀପାଟଣାସ୍ଥିତ ଜୟପାଟଣା ଡାକ୍ତରଖାନାରେ ଥିଲେ। ସେଠାରେ ସେ କାର୍ଯ୍ୟରତ ଥିବା ସମୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କୁ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସୁସ୍ଥ ହେବା ପରେ ୨୪ ତାରିଖ ଦିନ ଡିସ୍‌ଚାର୍ଜ ହୋଇ ବା‌ଲେଶ୍ବର ପଳାଇ ଆସିଲେ। କିନ୍ତୁ ମଙ୍ଗଳବାର ଦିନ ପୁଣି ତାଙ୍କର ଦେହ ବିଗିଡ଼ି ଯାଇଥିଲା। ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକ ତୁରନ୍ତ ତାଙ୍କୁ କୁରୁଡ଼ା ସ୍ଥିତ ଜ୍ୟୋତି କୋଭିଡ ହସ୍ପିଟାଲକୁ ନେଇଆସିଥିଲେ। ତେବେ ଜିଲ୍ଲା ହସ୍ପିଟାଲରୁ ‌ସ୍ଥାନାନ୍ତର ହୋଇ ନଆସିଲେ କୋଭିଡ ହସ୍ପିଟାଲରେ ରଖାଯିବ ନାହିଁ ବୋଲି କହି କର୍ତ୍ତୃପକ୍ଷ ଫେରାଇ ଦେଇଥିଲେ। ତେଣୁ ସେଦିନ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଏହାପରେ ତାଙ୍କୁ ଫକୀରମୋହନ କଲେଜ ପରିସରରେ ଥିବା‌ କୋଭିଡ ଆଇସୋଲେସନ ୱାର୍ଡକୁ ପଠାଯାଇଥିଲା। ସେଠାରେ ୨୭ତାରିଖ ଦିନ ବିଳମ୍ବିତ ରାତିରେ ଡାକ୍ତର ପରିଡ଼ାଙ୍କର ମୃତ୍ୟୁ ହୋଇଥିଲା। ୨୮ ତାରିଖ ସକାଳେ ଡାକ୍ତରଖାନା ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ସେମାନେ ପହଞ୍ଚିବା ପରେ ଜିଲ୍ଲା ହସ୍ପିଟାଲ ପରିସରରେ ତାଙ୍କ ମରଶରୀରକୁ କରୋନା ଯୋଦ୍ଧା ଭାବେ ସମ୍ମାନ ସହକାରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା।

ତେବେ ତାଙ୍କ ପରିବାର ଲୋକ ଡାକ୍ତର ପରିଡ଼ାଙ୍କ ମୃତଦେହକୁ ଯେଉଁ ଅବସ୍ଥାରେ ଦେଖିଥିଲେ ସେନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ଡାକ୍ତର ପରିଡ଼ାଙ୍କ ଭଣଜା ଡାକ୍ତର ଅନୁପମ ମହାପାତ୍ର ନିଜ ଫେସବୁକ୍‌ ପେଜ୍‌ରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ସେଥିରେ ସେ କହିଛନ୍ତି, ଡାକ୍ତର ପରିଡ଼ା ଚିକିତ୍ସାଧୀନ ଥିବା ‌ସମୟରେ ଡାକ୍ତରମାନେ ଠିକ୍‌ ସମୟରେ ତାଙ୍କ ପାଖରେ ଉପସ୍ଥିତ ରହୁନଥିଲେ। ତାଙ୍କର ଶ୍ବାସକ୍ରିୟା ଅସୁବିଧା ଥିବା ବେଳେ ଅକ୍ସିଜେନ୍‌ ସୁବିଧା ଯୋଗାଇ ଦିଆଯାଇନଥିଲା। ଏପରିକି ତାଙ୍କ ଶଯ୍ୟାରେ ବେଡ୍‌ସିଟ୍‌ଟିଏ ପଡ଼ିନଥିବା ବେଳେ ଫୁଙ୍ଗୁଳା ଦେହରେ ବିନା ମାସ୍କରେ ରଖାଯାଇଥିଲା। ସେହିପରି ତାଙ୍କର ମୃତ୍ୟୁ ପରେ ବି ଅନ୍ତଃତ କରୋନାଯୋଦ୍ଧା ଦୃଷ୍ଟିରୁ ନହେଲା ନାହିଁ ମଣିଷପଣିଆ ଦୃଷ୍ଟିରୁ ମୃତଦେହ ଉପରେ ଖଣ୍ଡେ କପଡ଼ା ବି ପଡ଼ିନଥିଲା। ଗୋଟିଏ ପଶୁର ଶବ ପରି ତାଙ୍କୁ ଏକ କୋଣରେ ଶୋଇ ଦେଇଥିବା ଦେଖି ସେ ଓ ତାଙ୍କ ପରିବାର ମର୍ମାହତ ହୋଇଥିବା ଡାକ୍ତର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଶେଷରେ ସେ ଏହା ମଧ୍ୟ କହିଛନ୍ତି ଯେ, ଜଣେ ଡାକ୍ତର ୩୦ ବର୍ଷ ଧରି ଓଡ଼ିଶା ସରକାରଙ୍କ ଅଧୀନରେ ସେବା ପ୍ରଦାନ କରିବା ସହ କରୋନା ଯୁଦ୍ଧରେ ସାମିଲ ହୋଇଥିଲେ। ତାଙ୍କୁ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଯଦି ସାମାନ୍ୟତମ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ, ତେବେ ଏଭଳି ଗାର୍ଡ ଅଫ୍‌ ଅନର ଦିଆଯାଇ ପ୍ରହସନ କରାନଯାଉ।

ଡାକ୍ତର ମହାପାତ୍ର ନିଜେ ଜଣେ ଡାକ୍ତର ହୋଇଥିବା ଯୋଗୁଁ ଏହି ଘଟଣାରେ ସେ ଲଜ୍ଜିତ ଏବଂ ଦୁଃଖିତ ବୋଲି କହିଛନ୍ତି। ଯଦି ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଏପରି ଅବ୍ୟବସ୍ଥିତ ଚିକିତ୍ସା ହେଉଛି, ତାହେଲେ ସାଧାରଣ ରୋଗୀଙ୍କ ଅବସ୍ଥା କିପରି ଥିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ଘଟଣାର ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଦୋ‌ଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ବାଲେଶ୍ବର ଜିଲ୍ଲାର ବିପର୍ଯ୍ୟସ୍ତ ଚିକିତ୍ସା ବ୍ୟବସ୍ଥାର ସୁଧାର ଆଣନ୍ତୁ ବୋଲି ସେ ଦାବି କରିଛନ୍ତି। ଡାକ୍ତର ମହାପାତ୍ର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଥିବା ବେଳେ ଖୁବ୍‌ଶୀଘ୍ର ବାଲେଶ୍ବର ଆସି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର