କଣ ଏହି ‘ବୁଲିବାଇ’ ଆପ୍?

ବୋଲିର ଅର୍ଥ ନିଲାମି। ବୁଲିକୁ ମଧ୍ୟ ସମାନ ଅର୍ଥରେ ବ୍ୟବହାର କରାଯାଏ। ତାହାକୁ ଆଧାର କରି ତିଆରି ହୋଇଛି ‘ବୁଲିବାଇ’ ଆପ୍।

ଏହି ଆପ୍ ଜରିଆରେ ସମାଜ ସେବା, ସାମ୍ବାଦିକତା କ୍ଷେତ୍ରରେ କାମ କରୁଥିବା ମୁସଲିମ୍ ମହିଳାମାନଙ୍କ ଫଟୋକୁ ଚୋରି କରିବା ପରେ ଏଡିଟ୍ କରି ଏହାକୁ ଏହି ଆପ ଜରିଆରେ ଛଡ଼ାଯାଏ।

ଫଟୋ ସହିତ ସମ୍ପୃକ୍ତ ଯୁବତୀ ବ୍ୟବହାର କରୁଥିବା ସୋସିଆଲ୍ ମିଡିଆ ଆକାଉଣ୍ଟ ଟ୍ବିଟର୍, ଫେସବୁକ, ଇନଷ୍ଟାଗ୍ରାମକୁ ଯୋଡ଼ି ଦିଆଯାଏ। ସାଇବର ଜ୍ଞାନକୌଶଳକୁ ବ୍ୟବହାର କରି ଏ ସବୁ କରିଥାନ୍ତି ଅପରାଧୀ। ଏହାକୁ ‘ବୁଲିବାଇ’ ଆପରେ ଛାଡ଼ି ଦିଆଯାଏ।

ଯେଉଁମାନେ ଏହି ଆପ୍ ବିଷୟରେ ଜାଣିଥା’ନ୍ତି ଓ ଅପରାଧିକ କାର୍ଯ୍ୟ କରିବାକୁ ଯୋଜନା ରଖିଥାନ୍ତି ସେମାନେ ଛଡ଼ା ଯାଇଥିବା ଯୁବତୀଙ୍କ ଫଟୋକୁ ନିଲାମି ଡାକନ୍ତି।

ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଜରିଆରେ ନିଲାମୀ ଅର୍ଥ ଦେଇଥାନ୍ତି। ଏପରିକି କ୍ରିପ୍ଟୋ କରେନ୍ସିରେ ମଧ୍ୟ ଦିଆ ଯାଉଥିବା ଜଣାପଡ଼ିଛି।

ଯିଏ ଅଧିକ ନିଲାମି ଡାକିଲା ସମ୍ପୃକ୍ତ ବ୍ୟକ୍ତି ସେହି ଯୁବତୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ସହ ସିଧାସଳଖ ଯୋଡ଼ି ହୋଇଯାଏ।

ସେଥିରେ ଆପତ୍ତିଜନକ, ଅପମାନଜନକ ମନ୍ତବ୍ୟ ଯୁକ୍ତ ମେସେଜ୍ ଛାଡ଼ିଥାଏ। ଯାହା ଦ୍ବାରା ସମ୍ପୃକ୍ତ ଯୁବତୀଙ୍କର ସମ୍ମାନହାନି ହୋଇଥାଏ।

କେଉଁଠୁ ଆସିଲା ଏହି ‘ବୁଲିବାଇ’ ଆପ୍?
‘ବୁଲିବାଇ’ ଆପକୁ ନେଇ ଯେତେବେଳେ ହଇଚଇ ସୃଷ୍ଟି ହୋଇଥିଲା ସେତେବେଳେ ଏହାର ଉତ୍ପତ୍ତିକୁ ନେଇ ଆରମ୍ଭ ହୋଇଥିଲା ଖୋଳତାଡ଼। କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍(ସିଇଆରଟି ବା ସର୍ଟ)କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ସର୍ଟ ତଦନ୍ତ କରି ଜାଣିବାକୁ ପାଇଥିଲା ‘ଗିଟ୍‌ହବ’ରୁ ଏହି ଆପ୍ ବା ଆପ୍ଲିକେସନ୍ ମିଳିଥିଲା। ଗିଟହବ୍‌ରେ ଉପଲବ୍ଧ ହେଉଥିବା ଆପ୍ ସହଜରେ ମିଳିଯାଇ ଥାଏ। ଏହାକୁ ବ୍ୟବହାର କରି କୌଣସି ଏକ ନୂଆ ଆପର ସଫ୍ଟଓ୍ଵେୟାର ବିକାଶ କରା ଯାଇଥାଏ ଓ ଏହାକୁ ଉପଲବ୍ଧ କରାଯାଏ।

‘ସୁଲ୍ଲିଡିଲ’ ଆପରୁ ‘ବୁଲିବାଇ’
ସାଇବର ବିଶେଷଜ୍ଞ ଆକାଶ ମିଶ୍ରଙ୍କ କହିବା ଅନୁସାରେ, ପୂର୍ବରୁ ଗିଟ ହବରେ ‘ସୁଲ୍ଲିଡିଲ’ ଆପ୍ ଉପଲବ୍ଧ ଥିଲା। ଏଥିରେ ପ୍ରାୟ ୯୦ ଜଣ ଯୁବତୀ ଓ ମହିଳାଙ୍କର ଫଟୋକୁ ନିଲାମି ପାଇଁ ଛଡ଼ା ଯାଇଥିଲା। ଏହା ଜଣାପଡ଼ିବା ପରେ ବିଭିନ୍ନ ଆପତ୍ତି, ଅଭିଯୋଗ ଆସିଥିଲା। ୪ଟି ରାଜ୍ୟରେ ୧୫ଟି ଏତଲା ଦାୟର ହୋଇଥିଲା। ୨୦୨୧ ଜୁଲାଇରେ ‘ସୁଲ୍ଲିଡିଲ’ ଆପକୁ ଅପସାରଣ କରା ଯାଇଥିଲା। ପ୍ରାୟ ୬ ମାସ ପରେ ସାଇବର ଅପରାଧୀମାନେ ସୁଲ୍ଲିଡିଲ ଆପକୁ କ୍ଲୋନିଂ ବା ନକଲ କରି ଏହାକୁ ବିକଶିତ କରାଇ ବୁଲିବାଇ ଆପ୍ ତିଆରି କରିଥିଲେ। ସବୁଠୁ ବଡ଼ କଥା ହେଲା ସୁଲ୍ଲିଡିଲ ଆପରେ ମହିଳାଙ୍କୁ ନିଲାମି କଥା ଯେତେବେଳେ ଜଣାପଡ଼ିଥିଲା, କେବଳ ମାମଲା ରୁଜୁ ହୋଇଥିଲା। କିନ୍ତୁ ଅପରାଧୀଙ୍କ ବିରୋଧରୋ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଫଳରେ ବୁଲିବାଇ ଆପ୍ ଜନ୍ମ ନେଇଥିଲା। ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କେମିତି ସାମ୍ନାକୁ ଆସିଲା?
ଜଣେ ମହିଳା ସାମ୍ବାଦିକା ତାଙ୍କ ଫଟୋ ‘ବୁଲିବାଇ’ ଆପରେ ଥିବା ଦେଖିଥିଲେ। ସେ ଟ୍ବିଟ୍ କରି ଏକଥା ଜଣାଇଥିଲେ। ସେ ଟ୍ବିଟରେ ଉଲ୍ଲେଖ କରିଥିଲେ ଯେ, ‘ଏହା ଅତି ଦୁଃଖଦାୟକ ଯେ ଜଣେ ମୁସଲମାନ ମହିଳା ଭାବେ ମୋତେ ଭୟ ଓ ଘୃଣା ମଧ୍ୟ ଦେଇ ନୂଆବର୍ଷ ଆରମ୍ଭ କରିବାକୁ ପଡ଼ିଲା। ସୁଲ୍ଲିଡିଲର ଏହି ନୂତନ ସଂସ୍କରଣରେ ସେ ଏହାର ଶିକାର ହେବା ଏକୁଟିଆ ନୁହଁନ୍ତି ବୋଲି ଉଲ୍ଲେଖ କରିଥିଲେ। ଜାନୁଆରି ୧ ତାରିଖରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେହିଦିନ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା।

ଆପ୍ ତିଆରି କରିଥିବା ନିରଜ ବିଷ୍ଣୋଇ କିଏ ଓ କେମିତି ଧରାପଡ଼ିଲା?

ଦିଲ୍ଲୀ ପୁଲିସର ତଦନ୍ତରୁ ଜଣାପଡ଼ିଥିଲା ଆସାମ ଜୋରହାଟର ନିରଜ ବିଷ୍ଣୋଇ ଏହି ଆପ୍ ତିଆରି କରିଥିଲା।

ନିରଜର ଲାପଟପରୁ ଏହି ଆପ୍ ତିଆରି କରାଯାଇଥିବା ଆଇପି(ଇଣ୍ଟରନେଟ୍ ପ୍ରୋଟକଲ) ଆଡ୍ରେସରୁ ଜଣାପଡ଼ିଥିବା କୁହାଯାଉଛି। ଏହି ମାମଲାରେ ଅଭିଯୁକ୍ତର ଲାପଟପ୍, ମୋବାଇଲ ଫୋନ୍ ଜବତ କରାଯାଇଥିଲା।

ସେହିପରି ଅନଲାଇନ ଆର୍ଥିକ କାରବାର ଯୋଗୁ ମଧ୍ୟ ନିରଜକୁ ଠାବ କରା ଯାଇଥିବା ସନ୍ଦେହ କରାଯାଉଛି।

କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍(ସିଇଆରଟି ଇନ୍) ଓ ଇଣ୍ଟରନେଟ୍ ଫ୍ୟୁଜନ୍ ଏବଂ ଷ୍ଟ୍ରାଟେଜିକ୍ ଅପସ୍ (ଆଇଏଫଏସ୍ଓ) ୟୁନିଟର ମିଳିତ ତଦନ୍ତରେ ଅଭିଯୁକ୍ତ ପାଖରେ ତଦନ୍ତକାରୀ ଟିମ୍ ପହଞ୍ଚିବାରେ ସକ୍ଷମ ହୋଇଥିଲା।

ନିରଜ ବିଷ୍ଣୋଇ ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦ୍ବିତୀୟ ବର୍ଷର ବି.ଟେକ୍ ଛାତ୍ର।

ଅଭିଭାବକଙ୍କ ସହ ଆସାମ ଜୋରହାଟର ଦିଗମ୍ବର ଚୌକ ଅଞ୍ଚଳରେ ରୁହେ।

ନିରଜର ବାପା ଜଣେ ଦୋକାନୀ।

ସମ୍ବନ୍ଧିତ ଖବର