ପ୍ରଥମ ଓଡ଼ିଆ ଭାବେ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟର ବିଭିନ୍ନ ମହଲରେ ତାଙ୍କୁ ସ୍ବାଗତ କରାଯାଇଛି। ଅର୍ଥନୀତିଜ୍ଞ ଓ ବିଶେଷଜ୍ଞମାନେ ତାଙ୍କର ଅଭିଜ୍ଞତା ଓ ପ୍ରତୀକ୍ଷିତ କାର୍ଯ୍ୟଧାରା ଉପରେ ମନ୍ତବ୍ୟ ପ୍ରଦାନ କରିଛନ୍ତି।
ଶକ୍ତିକାନ୍ତଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି
ଉର୍ଜିତ ପଟେଲ ଜଣେ ଅର୍ଥନୀତିଜ୍ଞ। ସେ ନିୟମକାନୁନ ଓ ଥିଓରି ଅନୁଯାୟୀ କାମ କରୁଥିଲେ। ଆର୍ବିଆଇ ଗଚ୍ଛିତ ଟଙ୍କା ଦେବା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କ ଉପରେ ଚାପ ପକାଗଲା। ମାତ୍ର ଶ୍ରୀ ପଟେଲ ଟଙ୍କା ଦିଆଗଲେ ମୁଦ୍ରାସ୍ଫୀତି ହେବ। ଦରଦାମ ବଢ଼ିବ ଓ ବଜାରରେ ଏହାର ପ୍ରଭାବ ପଡ଼ିବ ଚିନ୍ତାକରି ସେ ଏହାକୁ ଦେବାକୁ ଇଚ୍ଛୁକ ନ ଥିଲେ। ତେବେ ଶକ୍ତିକାନ୍ତ ଦାସ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଛନ୍ତି। ଯଦିଓ ସେ ଅର୍ଥନୀତିଜ୍ଞ ନୁହନ୍ତି ତେବେ ଦୀର୍ଘଦିନ ଧରି ବିଭିନ୍ନ ସ୍ତରରେ କାର୍ଯ୍ୟ କରିବା ଫଳରେ ତାଙ୍କର ପ୍ରାକ୍ଟିକାଲ ଅଭିଜ୍ଞତା ରହିଛି। ତେଣୁ ସେ ସରକାରଙ୍କ ସହିତ ଆପୋସ ସମାଧାନ କରି ଭାରତୀୟ ଅର୍ଥନୀତିକୁ କ୍ଷତି ନ କରି କିଛିଟା ସାହାଯ୍ୟ କରିବେ ବୋଲି ଆଶା କରାଯାଉଛି।
ନଟବର ଖୁଣ୍ଟିଆ, ସ୍ତମ୍ଭକାର
ଉତ୍ତମ ବୁଝାମଣା ଜରୁରୀ’
ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକି ଉର୍ଜିତ ପଟେଲଙ୍କ ଇସ୍ତଫା ପର୍ଯ୍ୟନ୍ତ କଥା ଗଲା। ଫଳରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା। ସାଧାରଣତଃ ରିଜର୍ଭ ବ୍ୟାଙ୍କ ଭିତରୁ ଉପ-ଗଭର୍ଣ୍ଣରଙ୍କୁ ସୁବିଧା ଦିଆଯାଇଥାଏ। ବହୁ ସମୟରେ ଅର୍ଥ ମନ୍ତ୍ରଣାଳୟରୁ ଅବସର ନେଇଥିବା ସଚିବମାନଙ୍କୁ ଗଭର୍ଣ୍ଣର ପଦବି ଦିଆଯାଉଥିବାର ଇତିହାସ ରହିଛି। ଏ କ୍ଷେତ୍ରରେ ତତ୍କାଳ ଓ ସମୟ ଉପଯୋଗୀ ସମାଧାନ ପାଇଁ ଶ୍ରୀ ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କର ମଧ୍ୟ ଅଭିଜ୍ଞତା ରହିଛି। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟରେ କାମ କରିଛନ୍ତି। ଏହାଛଡ଼ା ସରକାରଙ୍କ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ତାଙ୍କର ସଂପୃକ୍ତି ଥିଲା। ତାଙ୍କର ନିଯୁକ୍ତି ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ ସରକାରଙ୍କ ମଧ୍ୟରେ ଭଲ ବୁଝାମଣା ରହିବା ଦରକାର।
ପ୍ରଫେସର ସୁଧାକର ପଣ୍ଡା, କୁଳପତି, ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟର
ସୁସ୍ଥ ଅର୍ଥନୀତି ଆଣିପାରିବା ନେଇ ସନ୍ଦେହ
ଓଡ଼ିଶାର ଲୋକଭାବେ ମୁଁ ଗର୍ବ କରିବି। ପୂର୍ବରୁ ରିଜର୍ଭ ବ୍ୟାଙ୍କରେ ଓଡ଼ିଆ ଲୋକ ଉପ-ଗଭର୍ଣ୍ଣର ଦାୟିତ୍ବ ତୁଲାଇଥିଲେ। ମାତ୍ର ବିମୁଦ୍ରୀକରଣ ସମୟରେ ତାଙ୍କର କାର୍ଯ୍ୟାକଳାପକୁ ଲକ୍ଷ୍ୟ କଲେ ସେ ଏକ ସୁସ୍ଥ ଅର୍ଥନୀତି ଆଣିବାରେ ସହାୟକ ହୋଇପାରିବେ ବୋଲି ସନ୍ଦେହ ରହିଛି। ସରକାର ଭୁଲ ନିଷ୍ପତ୍ତି ନେଉଥିବା ବେଳେ ସେ ଗଣମାଧ୍ୟମକୁ ଆସି ସରକାରଙ୍କ ପକ୍ଷ ରଖୁଥିଲେ। ଉର୍ଜିତ ପଟେଲ ଗଣମାଧ୍ୟମକୁ ଆସୁ ନ ଥିଲେ। ୧୯୩୪/୩୫ ମସିହାରୁ ରିଜର୍ଭ ବ୍ୟାଙ୍କର ସ୍ବତନ୍ତ୍ରତା ଯେପରି ବଜାୟ ରହିବ ତାହାକୁ ଗୁରୁତ୍ବ ଦେବାକୁ ହେବ। ଏହା ଯେପରି ସରକାରଙ୍କ ଅଧୀନସ୍ଥ ନ ହେବ ଓ ଅର୍ଥନୀତିର ନିୟନ୍ତ୍ରଣକର୍ତା ଭାବେ ଏହା ଯେପରି କାର୍ଯ୍ୟ କରିବ ତାହା ଶ୍ରୀ ଦାସଙ୍କୁଠାରୁ ଆଶା ରଖୁଛୁ। ଉର୍ଜିତ ପଟେଲ ସରକାରଙ୍କ କ୍ଷେତ୍ରରେ ଚାଲିବେ ବୋଲି ଅନେକ ଆଶା କରୁଥିଲେ। ମାତ୍ର ତାହା ହେଲାନାହିଁ। ଆଗାମୀ ଦିନରେ ଯଦି ସରକାର ରିଜର୍ଭ ବ୍ୟାଙ୍କର କାର୍ଯ୍ୟ କଳାପରେ ଅଯଥା ମୁଣ୍ଡ ପୂରାଇବେ ତାହାଲେ ବିବାଦ ବଢ଼ିବ।
ପଞ୍ଚାନନ କାନୁନ୍ଗୋ, ପୂର୍ବତନ ଅର୍ଥମନ୍ତ୍ରୀ
ସରକାର ଓ ଆର୍ବିଆଇ ମଧ୍ୟରେ ସମନ୍ବୟ ବଢ଼ିବ
ଜଣେ ଓଡ଼ିଆ ଆର୍ବିଆଇର ଗଭର୍ଣ୍ଣର ହେବା ସ୍ବାଗତଯୋଗ୍ୟ। ଏହାସହ ସେ ରାଜସ୍ବ ଓ ଅର୍ଥନୈତିକ ବିଭାଗର ସଚିବଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କର ଅବଦାନ ରହିଛି। ଏହାସହ ବାର୍ଷିକ ବଜେଟ ପ୍ରସ୍ତୁତିରେ ତାଙ୍କର ବଡ଼ ଅବଦାନ ରହି ଆସିଛି। ଜଣେ ବଜେଟ ପ୍ରସ୍ତୁତ କରୁଥିବା ଲୋକ ଆର୍ବିଆଇର ମୁଖ୍ୟ ହୋଇଛନ୍ତି। ତାଙ୍କ ସମ୍ମୁଖରେ ଏକାଧିକ ଚ୍ୟାଲେଞ୍ଜ ରହିଛି। ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଯେଉଁ ବାଦ ବିବାଦ ଚାଲିଥିଲା ଏହାର ଅବସାନ ଘଟିବ। ସମନ୍ବୟ ରହିବ। ମୁଦ୍ରାସ୍ଫୀତି ଉପରେ ନଜର ରଖିବା ସହିତ ବିକାଶକୁ ବଢ଼ାଯିବ ତାହାକୁ ଦୃଷ୍ଟି ଦେବେ ବୋଲି ଆଶା।
ଦିଲ୍ଲୀପ ଶତପଥୀ, ବରିଷ୍ଠ ସାମ୍ବାଦିକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/1-2.jpg)