ଏ କି ପ୍ରକାର କରୋନା ମୁକାବିଲା? ଜିଲ୍ଲାକୁ ଡ୍ୟୁଟିରେ ଯିବେ ୯ ଶହ ପିଜି ଡାକ୍ତର
ଜିଲ୍ଲାୱାରୀ ତାଲିକାକୁ ନେଇ ଡାକ୍ତର ମହଲରେ ପ୍ରଶ୍ନ
କଟକ: କରୋନା ମୁକାବିଲା ପାଇଁ ସବୁ ଜିଲ୍ଲାରେ ଖୋଲିଲା କୋଭିଡ୍ ହସ୍ପିଟାଲ। ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଡାକ୍ତରଙ୍କୁ ଏସ୍ସିବିରେ ଦିଆଗଲା ତାଲିମ୍। ହଠାତ୍ ଗୁରୁତର ରୋଗୀ ଆସିଲେ ତାଙ୍କୁ କେମିତି ଚିକିତ୍ସା କରିବେ, କେଉଁ ସବୁ ଲକ୍ଷଣ ଦେଖାଦେଲେ କରୋନା ବୋଲି ସନ୍ଦେହ କରିବେ, ଏ ନେଇ ପର୍ଯ୍ୟାୟ ଭିତ୍ତିରେ ତାଲିମ୍ ଦିଆଯାଇଛି। ପାଖାପାଖି ୪ଶହ ଡାକ୍ତର ବିଭିନ୍ନ ପର୍ଯ୍ୟାୟରେ ତାଲିମ୍ ନେଇ ଜିଲ୍ଲାକୁ ଫେରି ସାରିଲେଣି। କେବଳ ଡାକ୍ତର ନୁହନ୍ତି; ନର୍ସ, ପାରାମେଡିକାଲ କର୍ମଚାରୀଙ୍କୁ ମଧ୍ୟ ତାଲିମ୍ ଦିଆଯାଇଛି। ହେଲେ, ଏବେ ଏସ୍ସିବି ସମେତ ତିନୋଟି ବଡ଼ ଡାକ୍ତରଖାନାର ୯୦୦ ପିଜି ଡାକ୍ତରଙ୍କ ତାଲିକା ଜିଲ୍ଲାରେ ଡ୍ୟୁଟି ପାଇଁ ସ୍ବାସ୍ଥ୍ୟବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଆଗକୁ ପରିସ୍ଥିତି ଖରାପ ହେଲେ ତାଲିକାରେ ନାମ ଥିବା ଡାକ୍ତରମାନେ ଜିଲ୍ଲାକୁ ଡ୍ୟୁଟି କରିବାକୁ ଯିବେ। କେଉଁ ଡାକ୍ତର କେଉଁ ଜିଲ୍ଲାକୁ ଯିବେ ତାର ଜିଲ୍ଲାୱାରୀ ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ଡାକ୍ତର ଓ ଅନ୍ୟମାନଙ୍କୁ କରୋନା ସମ୍ପର୍କିତ ତାଲିମ ଦିଆଯିବା ପରେ କେଉଁ କାରଣରୁ ଏଭଳି ତାଲିକା ପ୍ରକାଶ କରାଯାଇଛି ତାହାକୁ ନେଇ ସମସ୍ତଙ୍କ ମନରେ ସଂଶୟ ପ୍ରକାଶ ପାଇଲାଣି। ଅନ୍ୟପଟେ ପିଜି ଛାତ୍ର ଓ ଏମ୍ବିବିଏସ୍ ଛାତ୍ରଙ୍କ ପରୀକ୍ଷା କେବେ ହେବ ସେ ନେଇ ଆଜି ପର୍ଯ୍ୟନ୍ତ ତାରିଖ ଘୋଷଣା ହେଉ ନଥିବାରୁ ତାକୁ ନେଇ ଚିନ୍ତାରେ ଡାକ୍ତରୀ ଛାତ୍ରଛାତ୍ରୀ।
ମେଡିକାଲ କଲେଜ ପିଜି ଡାକ୍ତରଙ୍କ ନାମ ତାଲିକାରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି। ଏତେ ଟଙ୍କା ଖର୍ଚ୍ଚ କରି ଜିଲ୍ଲାର ଡାକ୍ତରମାନଙ୍କୁ ତାଲିମ୍ ଦିଆଯିବା ସତ୍ତ୍ବେ ବଡ଼ ଡାକ୍ତରଖାନାର ଡାକ୍ତରମାନେ ଜିଲ୍ଲାକୁ ଯିବେ କାହିଁକି?ଏହାକୁ ନେଇ ଏସ୍ସିବିରେ ପିଜି ଡାକ୍ତରଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଜିଲ୍ଲା ଡାକ୍ତରଙ୍କୁ ଏସ୍ସିବିରେ ଦିଆଯାଉଥିବା ତାଲିମ୍ କଣ ପର୍ଯ୍ୟାପ୍ତ ହେଉନି କି ବୋଲି ସେମାନେ କହୁଛନ୍ତି। ଆଉ କେଉଁ ପ୍ରକାର ତାଲିମ୍ ଦରକାର? ଏତେ ବଡ଼ ବଡ଼ ବିଶେଷଜ୍ଞମାନେ ତାଲିମ୍ ଦେବା ସତ୍ତ୍ବେ ସେମାନଙ୍କର କେଉଁଠି କମି ରହିଯାଉଛି ଯେ, ବଡ଼ ଡାକ୍ତରଖାନାର ଡାକ୍ତରମାନେ ଜିଲ୍ଲାକୁ ଯିବେ? ସେମାନେ ଜିଲ୍ଲାକୁ ଗଲେ ଏସ୍ସିବି ସମେତ ରାଜ୍ୟର ସମସ୍ତ ବଡ଼ ଡାକ୍ତରଖାନାରେ ରୋଗୀ ସେବା ପ୍ରଭାବିତ ହେବନି ତ? ଜିଲ୍ଲାୱାରୀ ଡାକ୍ତରଙ୍କ ତାଲିକା ପ୍ରକାଶ ପାଇବା ପରେ ଅନେକ ପ୍ରଶ୍ନ ଉପରେ ବିତର୍କ ଆରମ୍ଭ ହୋଇଛି। ଗୋଟିଏ ପଟେ ଡାକ୍ତରୀ ପିଜି ଛାତ୍ରଙ୍କ ପରୀକ୍ଷା ନେଇ ଏବେ ବି ଅନିଶ୍ଚିତତା ଜାରି ରହିଥିବାବେଳେ ଅତିରିକ୍ତ ଡିଏମ୍ଇଟିଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସେମାନେ ବିଭିନ୍ନ ଜିଲ୍ଲାକୁ ଯାଇ କାମ କରିବାକୁ କୁହାଯାଇଛି। ରାଜ୍ୟର ସମସ୍ତ ମେଡିକାଲ କଲେଜକୁ ଦିଆଯାଇଥିବା ଚିଠି ଅନୁସାରେ, ଯେଉଁ ଜିଲ୍ଲାରେ କରୋନା ସଂକ୍ରମଣ ହାର ଅଧିକ ରହିବ ଉକ୍ତ ଜିଲ୍ଲାର ସିଏଡିଏମ୍ଓ ତାଙ୍କ ନିକଟସ୍ଥ ମେଡିକାଲ କଲେଜ ପ୍ରିନ୍ସିପାଲଙ୍କୁ ଚିଠି ଲେଖିବେ। ଚିଠି ପରେ ଆବଶ୍ୟକତା ଅନୁସାରେ ପିଜି ଡାକ୍ତରଙ୍କୁ ସେହି ଜିଲ୍ଲାକୁ ପଠାଯିବ। ଚିଠି( ନଂ-୯୬୪୯, ମେ-୭,୨୦୨୦) ଅନୁସାରେ ଏସ୍ସିବିରୁ ୧୦୩ଜଣ ଡାକ୍ତର କରୋନା ମୁକାବିଲା ପାଇଁ ଜିଲ୍ଲାକୁ ଯିବେ ବୋଲି ପ୍ରକାଶିତ ତାଲିକାରୁ ଜଣାପଡିଛି। ଅତିରିକ୍ତ ଡିଏମ୍ଇଟିଙ୍କ ପକ୍ଷରୁ ସବୁ ମେଡିକାଲ କଲେଜ ପ୍ରିନ୍ସିପାଲ୍ଙ୍କୁ ଲେଖିଥିବା ଚିଠିର ଜିଲ୍ଲାୱାରୀ ତାଲିକା ଅନୁସାରେ ଢେଙ୍କାନାଳ ଜିଲ୍ଲାକୁ ୪୦, ବୌଦ୍ଧକୁ ୭୮, ଦେବଗଡକୁ ୧୧୮, ଜଗତ୍ସିଂହପୁରକୁ ୧୬, ଝାରସୁଗୁଡାକୁ ୪୧, କଳାହାଣ୍ଡିକୁ ୮୩, କୋରାପୁଟକୁ ୫୩, ମାଲକାନଗିରିକୁ ୨୨, ନୟାଗଡକୁ ୧୧୨, ନୂଆପଡ଼ାକୁ ୯୬, ପୁରୀକୁ ୩୧, ସୁବର୍ଣ୍ଣପୁରକୁ ୪୦, ସୁନ୍ଦରଗଡକୁ ୧୪, ରାୟଗଡାକୁ ୬୨, ସମ୍ବଲପୁରକୁ ଶହେ ଡାକ୍ତର ଯିବେ ବୋଲି ଦର୍ଶାଯାଇଛି। ଏହାକୁ ନେଇ ତର୍ଜମା ଆରମ୍ଭ ହୋଇଛି।