ରାଉରକେଲା: ବର୍ଷ ବର୍ଷ ହେଲା ରାଉରକେଲା ରେଳ ମଣ୍ଡଳ ସ୍ଥାପନ ଦାବି ହେଉଛି। ରେଳ ମଣ୍ଡଳ ସ୍ଥାପନ ନେଇ ରାଜ୍ୟ ସରକାର ମଧ୍ୟ ଦୁଇ ଦୁଇ ଥର କେନ୍ଦ୍ରକୁ ପତ୍ର ଲେଖିଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନର ପ୍ରତିନିଧି ରେଳମନ୍ତ୍ରୀଙ୍କୁ ଭେଟି ଦାବି ଦୋହରାଇଥିଲେ। ସମସ୍ତ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ବେ ଏହି ଦାବିକୁ କିନ୍ତୁ ରେଳ ମନ୍ତ୍ରାଳୟ ଅଣଦେଖା କରିଚାଲିଛି। ଏବେ ସାଂସଦ ଜୁଏଲ ଓରାମ ଦାବିକୁ ସମର୍ଥନକରି ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।
Advertisment
ଶ୍ରୀ ଓରାମ ପତ୍ରରେ ସାମଗ୍ରିକ ବିକାଶ ପାଇଁ ରାଉରକେଲା ରେଳ ମଣ୍ଡଳର ଆବଶ୍ୟକତା ଥିବା କହିଛନ୍ତି। ଖଣିଖମାରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାକୁ ମିଶାଇ ରାଉରକେଲା ରେଳ ମଣ୍ଡଳ ସ୍ଥାପନ ହେଉ। ବର୍ତ୍ତମାନ ରାଉରକେଲା ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନ ଅଧୀନରେ ରହିଛି। ତୁରନ୍ତ ଏହାକୁ ପୂର୍ବତଟ ରେଳବାଇ ଅଧୀନକୁ ଅଣାଯାଉ। ଚକ୍ରଧରପୁର ଡିଭିଜନରେ ବାର୍ଷିକ ପ୍ରାୟ ୧୮୦ ମିଲଅନ ଟନ୍‌ ବିଭିନ୍ନ ସାମଗ୍ରୀ, ଯଥା-ଲୁହାପଥର, କୋଇଲା, ପିଗ୍‌ ଆଇରନ, ଇସ୍ପାତ, ପେଟ୍ରୋଲିୟମ ସାମଗ୍ରୀ, ସିମେଣ୍ଟ୍‌, ଖାଦ୍ୟ ସାମଗ୍ରୀ, ସାରବିହନ ଆଦି ଲୋଡିଂ ହେଉଛି। ଏଥିମଧ୍ୟରୁ ୬୦% ସାମଗ୍ରୀ କେବଳ ରାଉରକେଲାରେ ହିଁ ଲୋଡିଂ ହେଉଛି।
publive-image
ରାଉରକେଲାଠାରୁ ମାତ୍ର ୬ କିଲୋମିଟର ଦୂରତାରେ ଥିବା ବନ୍ଧମୁଣ୍ଡା ହେଉଛି ଏସିଆର ଦ୍ବିତୀୟ ବୃହତ୍ତମ ରେଲୱେ ଷ୍ଟକ୍‌ୟାର୍ଡ। ଏଠାରେ ପର୍ଯ୍ୟାପ୍ତସଂଖ୍ୟକ ଭିତ୍ତିଭୂମି ଥିବାରୁ ଡିଭିଜନ ହେଲେ ନୂଆ ଭିତ୍ତିଭୂମି ବିକାଶ କରିବାକୁ ପଡ଼ିବନି। ଏଣୁ ଯଥାଶୀଘ୍ର ରାଉରକେଲା ଡିଭିଜନ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ହେଲା ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଥିବା ରାଉରକେଲା ଓ ଝାରସୁଗୁଡ଼ା ଏବଂ ପୂର୍ବତଟ ରେଳବାଇ ଅଧିନସ୍ଥ କେନ୍ଦୁଝରକୁ ମିଶାଇ ରାଉରକେଲା ରେଳ ମଣ୍ଡଳ ସ୍ଥାପନ କରିବାକୁ ଦାବି ହେଉଛି। ଏହି ତିନିଟି ଜିଲ୍ଲାରେ କୋଇଲା, ଲୁହାପଥର, ମାଙ୍ଗାନିଜ୍‌, କ୍ରୋମାଇଟ୍, କ୍ୱାର୍ଟାଇଟ୍, ବକ୍ସାଇଟ୍, ପିରୋଫାଇଲାଇଟ୍, ଚୂନ ପଥର ଆଦି ବିଭିନ୍ନ ଖଣି ରହିଛି। ଏତଦ୍‌ବ୍ୟତୀତ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି), ଓସିଏଲ୍‌ (ରାଜଗାଙ୍ଗପୁର), ଟାଟା ରିଫ୍ରାକ୍ଟୋରିଜ୍‌(ବେଲପାହାଡ଼), ଲିବର୍ଟି ହାଉସ୍‌(କୁଆରମୁଣ୍ଡା), ଏଲ୍‌ ଆଣ୍ଡ୍‌ ଟି(କାଂଶବାହାଲ), ବେଦାନ୍ତ (ଝାରସୁଗୁଡ଼ା) ଆଦି ଏକାଧିକ ଶିଳ୍ପସଂସ୍ଥା ରହିଛି। ଏଣୁ ରାଉରକେଲା ରେଳ ଡିଭିଜନ ସ୍ଥାପନ ହେଲେ ଅଧିକ ରାଜସ୍ବ ଆଦାୟ ହେବାସହ ସହରର ବିକାଶ ହେବବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।