ଭୁବନେଶ୍ବର: ଦୁଇ ଦଶନ୍ଧି ହେଲା ଯୋଜନା ବୋର୍ଡ ପଙ୍ଗୁ ହୋଇଯାଇଥିଲା। କେବଳ ସରକାରୀ ଦଳର ନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଥିଲା। କାହାକୁ ମିଳୁଥିଲା କ୍ୟାବିନେଟ୍‌ ପାହ୍ୟା ତ କାହାକୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା। ଲୋକସେବା ଭବନରେ ଚାମ୍ବର୍‌ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ବି ମିଳୁଥିଲା। କେବଳ ଧଳା ହାତୀ ପୋଷା ଥିଲା ଯୋଜନା ବୋର୍ଡର ମୁଖ୍ୟ କାମ। ଏହାକୁ ବିଭିନ୍ନ ସମୟରେ କଡ଼ା ଭାଷାରେ ସମାଲୋଚନା କରୁଥିଲେ ବିରୋଧୀ ବିଜେପି ନେତାମାନେ। ଏବେ ସରକାର ବଦଳିଲା ପରେ ଯୋଜନା ବୋର୍ଡର ସ୍ଥିତି କ’ଣ ହେବ, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌ ଧରିଲାଣି। ବୋର୍ଡକୁ କ୍ରିୟାଶୀଳ କରାଯିବ ନା ନିତି ଆୟୋଗର ରାଜ୍ୟ ଶାଖା ଖୋଲି ବୋର୍ଡକୁ ଉଚ୍ଛେଦ କରାଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତି। ଉପାଧ୍ୟକ୍ଷଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କୁ ସରକାର ନିଯୁକ୍ତି ଦେଇଥା’ନ୍ତି। ପେସାଦାର ଲୋକ ଯଥା ଅର୍ଥନୀତିଜ୍ଞ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ଶିକ୍ଷାବିତ୍‌ମ‌ାନଙ୍କୁ ଏଥିରେ ସଦସ୍ୟ ନେବାର ପରମ୍ପରା ପୂର୍ବରୁ ରହିଥିଲା। ଫଳରେ ରାଜ୍ୟର ଯୋଜନା ପ୍ରସ୍ତୁତିରେ ଯୋଜନା ବୋର୍ଡ ବଡ଼ ଭୂମିକା ନିଏ। କିନ୍ତୁ ପୂର୍ବ ସରକାର ସମୟରେ ଏଥିରେ ବ୍ୟତିକ୍ରମ ହୋଇଛି। କେବଳ ରାଜନେତାମାନଙ୍କ ଥଇଥାନ କେନ୍ଦ୍ର ପାଲଟିଛି ଯୋଜନା ବୋର୍ଡ। ଶେଷ ଥର ପାଇଁ ୨୦୨୦ ମସିହାରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିଲେ। ୨୦୨୨ ଜୁନ୍ ମାସ ପର୍ଯ୍ୟନ୍ତ ସେ ଏହି ପଦବିରେ ଥିଲେ। ତାଙ୍କ ପରେ ଅନ୍ୟ କାହାରିକୁ ଉପାଧ୍ୟକ୍ଷ ପଦରେ ବସାଯାଇ ନାହିଁ। ଅନ୍ୟପକ୍ଷରେ ସେହିବର୍ଷ ଅକ୍ଟୋବର ମାସରେ ଯୋଜନା ବୋର୍ଡର ସଦସ୍ୟ ଭାବେ ବିଜେଡି ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ ଓ ସାଧୁ ନେପାକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏମାନଙ୍କୁ ମନ୍ତ୍ରୀ ପାହ୍ୟା ଦିଆଯାଇଥିଲା। ଯୋଜନା ବୋର୍ଡର ଉପାଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ସେମାନଙ୍କ ପାହ୍ୟା ଅନୁଯାୟୀ ଘର, ଗାଡ଼ି ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥାଏ। କିନ୍ତୁ ପରିତାପର ବିଷୟ ହେଲା ଯେ ଓଡ଼ିଶା ଯୋଜନା ବୋର୍ଡର ବୈଠକ ଗତ ୧୭ ବର୍ଷ ଧରି ଥରୁଟିଏ ମଧ୍ୟ ହୋଇନାହିଁ। ଶେଷଥର ପାଇଁ ୨୦୦୭ ଅକ୍ଟୋବର ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ଏଭଳି ସ୍ଥିତିରେ ୨୪ ବର୍ଷ ପରେ ରାଜ୍ୟରେ ସରକାର ବଦଳିଛି। ‌ତେଣୁ ରାଜ୍ୟ ଯୋଜନା ବୋର୍ଡକୁ ନେଇ ନୂଆ ସରକାର କି ଯୋଜନା କରୁଛନ୍ତି, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ଆରମ୍ଭ ହେଲାଣି। ଅର୍ଥନୀତି ବିଶାରଦଙ୍କ ମତରେ ମୋଦୀ ସରକାର ୨୦୧୫ ମସିହାରୁ ନେହରୁଙ୍କ ଅମଳରୁ କାର୍ଯ୍ୟକରି ଆସୁଥିବା ଯୋଜନା ଆୟୋଗକୁ ଭାଙ୍ଗି ନିତି ଆୟୋଗ ଗଠନ କରିଛନ୍ତି। ଯେହେତୁ ଓଡ଼ିଶାରେ ଏବେ ବିଜେପି ସରକାର ଆସିଛି, ତେଣୁ ରାଜ୍ୟରେ ଯୋଜନା ବୋର୍ଡ ପରିବର୍ତ୍ତେ ନିତି (ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଆୟୋଗର ରାଜ୍ୟ ଶାଖା ଖୋଲିବା ସମ୍ଭାବନାକୁ ଏଡ଼ାଇ ହେବନାହିଁ। ଏହି ସଂସ୍ଥା ଗୋଟିଏ ପଟେ ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରୁ ଆସୁଥିବା ଦୀର୍ଘମିଆଦୀ ଯୋଜନା ବା ଉନ୍ନୟନମୂଳକ ପ୍ରସ୍ତାବଗୁଡ଼ିକୁ ତର୍ଜମା କରି ନିତି ଆୟୋଗ ନିକଟକୁ ପଠାଇ ପାରିବ। ଅନ୍ୟପକ୍ଷରେ ନିତି ଆୟୋଗ ପକ୍ଷରୁ ଦିଆଯାଉଥିବା ପରାମର୍ଶ ଏବଂ ନିର୍ଦ୍ଦେଶଗୁଡ଼ିକୁ ମଧ୍ୟ ତୃଣମୂଳ ସ୍ତରରେ ଏହା ଜରିଆରେ କାର୍ଯ୍ୟକାରୀ କରିବା ନେଇ ବାଟ ଖୋଲିବ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ମତରେ ତାମିଲନାଡ଼ୁ ଓ କର୍ଣ୍ଣାଟକ ଭଳି ଅନେକ ରାଜ୍ୟରେ ଏବେ ବି ଯୋଜନା ବୋର୍ଡ କାର୍ଯ୍ୟ କରୁଛି। କିନ୍ତୁ ଓଡ଼ିଶାରେ ଯୋଜନା ବୋର୍ଡ ୨୦୦୦ ମସିହାରୁ ପ୍ରାୟତଃ କାମ କରୁନାହିଁ। ଏହା ରାଜନେତାଙ୍କ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି। ରାଜ୍ୟରେ ଯଦି ଯୋଜନା ବୋର୍ଡ ଠିକ୍‌ ଭାବରେ କାର୍ଯ୍ୟ ନକରିବ ତା’ହେଲେ ବିଭିନ୍ନ ବିକାଶମୂଳକ ଯୋଜନାର ଅଧ୍ୟୟନ କରିବା ସମ୍ଭବ ହେବ ନାହିଁ।

ଅର୍ଥନୀତିଜ୍ଞ ପ୍ରଭାସ ମିଶ୍ରଙ୍କ କହିବାନୁଯାୟୀ, କେନ୍ଦ୍ରରେ ଯୋଜନା କମିସନ ଥିବା ସମୟରେ ଯୋଜନା ବୋର୍ଡ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ରାସ୍ତା ଆଦି ଭିତ୍ତିଭୂମି ପାଇଁ ଆବଶ୍ୟକ ପାଣ୍ଠି ସଂପର୍କରେ ଜଣାଉଥିଲେ। ଏହାଦ୍ବାରା ରାଜ୍ୟର ଯୋଜନା କେନ୍ଦ୍ର ବଜେଟରେ ପ୍ରତିଫଳିତ ହେବାର ସୁଯୋଗ ରହୁଥିଲା। କିନ୍ତୁ କେନ୍ଦ୍ରରେ ନିତି ଆୟୋଗ ଆସିବା ପରେ ସେହି ସୁଯୋଗ ଆଉ ନାହିଁ। ତେଣୁ ନିତି ଆୟୋଗର ରାଜ୍ୟ ଶାଖା ଗଠନର ଆବଶ୍ୟକତା ରହିଛି। ଅନ୍ୟ କିଛି ବିଶେଷଜ୍ଞଙ୍କ ମତରେ ରାଜ୍ୟ ସରକାର ଯୋଜନା ବୋର୍ଡ ରଖନ୍ତୁ କିମ୍ବା ନିତି ଆୟୋଗ ଗଠନ କରନ୍ତୁ ସେଥିରେ କିଛି ଯାଆସ ନାହିଁ। ଯେଉଁ ସଂସ୍ଥା ରହୁଛି ତାହା ଠିକ୍‌ରେ କାର୍ଯ୍ୟ କରିବା ଆବଶ୍ୟକ। ଲୋକଙ୍କ ଟିକସ ଅର୍ଥରେ ପର୍ଯ୍ୟାପ୍ତ ସୁବିଧାସୁଯୋଗ ପାଇ ଏଭଳି ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ପଦପଦବିରେ ବସୁଥିବା ବ୍ୟକ୍ତିମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ବ ନିର୍ବାହ କରିବା‌ ଉଚିତ। ଏହା‌ହେଲେ ରାଜ୍ୟର ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହୋଇପାରିବ ଏବଂ ବିଭିନ୍ନ ପ୍ରକାର ସାମାଜିକ ମଙ୍ଗଳ ଯୋଜନାକୁ ଠିକ୍‌ ଭାବେ ଲାଗୁ କରିବା ସହଜ ହେବ।