ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୦ଟିରେ ନିୟମିତ କୁଳପତି ନାହାନ୍ତି। ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୬ ମାସ ଲେଖାଏଁ ବୃଦ୍ଧି ହୋଇଛି। ବିକ୍ରମଦେବ ଓ ଧରଣୀଧର ବିଶ୍ବବିଦ୍ୟାଳୟ ଏବେ ମଧ୍ୟ ଓଏସ୍ଡିରେ ଚାଲିଛି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ରହିଛନ୍ତି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ତିନିଜଣ କୁଳପତି ଅତିରିକ୍ତ ଦାୟିତ୍ବରେ। ଆସନ୍ତା ୩ ମାସ ମଧ୍ୟରେ ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ମଧ୍ୟ ସରିଯିବ।
କୁଳାଧିପତିଙ୍କ ଅନୁମୋଦନ ପରେ ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁ ହେବା ସହିତ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ ଏବେ ସରକାରଙ୍କ ପାଇଁ ଆହ୍ବାନ ପାଲଟିଛି। ଏଇଥିପାଇଁ ଯେ ନୂଆ ନିୟମ ଅନୁସାରେ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାର ୬ ମାସ ପୂର୍ବରୁ ନୂତନ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହେବା କଥା। ହେଲେ ଉପରୋକ୍ତ ପରିସ୍ଥିତିରେ ତାହା ସମ୍ଭବ ନୁହେଁ। ଅତଏବ ୧୨ଟି ବିଶ୍ବବିଦ୍ୟାଳୟ ପାଇଁ ଏକାସଙ୍ଗରେ କୁଳପତି ନିଯୁକ୍ତି କରିବାକୁ ହେବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଧରଣୀଧର ଓ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ସିଣ୍ଡିକେଟ୍ ଗଠନ ହୋଇପାରି ନାହିଁ। ଓଏସ୍ଡି ସେଠାରେ ଦାୟିତ୍ବରେ ରହିଛନ୍ତି। ତେଣୁ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା କିଭଳି ହେବ, ସେ ନେଇ ପ୍ରଶ୍ନ ଉଠିଛି। ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ସହଯୋଗୀ ପ୍ରଫେସର ଏବେ କୁଳପତି ପଦବିରେ ଅଧିଷ୍ଠିତ ଅଛନ୍ତି।
ଭାରପ୍ରାପ୍ତମାନେ ତଞ୍ଚକତା କରିବା ନେଇ ସନ୍ଦେହ
ବିନା ସିଣ୍ଡିକେଟ୍ରେ କିଭଳି ହେବ ନିଯୁକ୍ତି ପ୍ରକ୍ରିୟା
ଶିକ୍ଷାବିତ୍ ଆଶଙ୍କା କଲେଣି, ପୁଣି ବିଗିଡ଼ିଯାଇପାରେ
ପ୍ରଫେସର ନିଯୁକ୍ତି କରିବାର କ୍ଷମତା ତାଙ୍କର ଅଛି ତ? ନିୟମ ଅନୁଯାୟୀ ଭାରପ୍ରାପ୍ତ କୁଳପତିମାନେ କୌଣସି ପ୍ରକାର ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। ମାତ୍ର ତାହାକୁ ଅଣଦେଖା କରାଯାଇ ନିଯୁକ୍ତି ପ୍ରକ୍ରିୟା କରିବାକୁ କୁଳପତିମାନଙ୍କୁ କହିବା କେତେଦୂର ଯଥାର୍ଥ? ନିଯୁକ୍ତି ପ୍ରକ୍ରିୟା ଏକ ନୀତିଗତ ନିଷ୍ପତ୍ତି ହୋଇଥିବାରୁ ତାହାକୁ ଭାରପ୍ରାପ୍ତ କୁଳପତିଙ୍କ ଦ୍ବାରା କରାଯିବା ଫଳରେ ପୁଣିଥରେ ବିବାଦ ସୃଷ୍ଟି ହେବ ନାହିଁ ତ? ସେହିପରି ନୂତନ ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ଆଧାରରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ସିଣ୍ଡିକେଟ୍ ଗଠନ ହୋଇ ପାରି ନ ଥିବାରୁ ନୀତିଗତ ନିଷ୍ପତ୍ତି କିଭଳି ନିଆଯିବ ବୋଲି କେତେଜଣ ପ୍ରଫେସର ପ୍ରଶ୍ନ ଉଠାଇଛନ୍ତି।
ଶିକ୍ଷାବିତ୍ଙ୍କ ମତରେ ଯାହା ବି କିଛି ନିଷ୍ପତ୍ତି ନିଆଯାଉଛି ସରକାର ଭାବିଚିନ୍ତି ନିଅନ୍ତୁ। କାରଣ ଏମିତିରେ ୪ ବର୍ଷ ହେଲା କୋର୍ଟରେ ମାମଲା ଗଡ଼ୁଥିବାରୁ ନିଯୁକ୍ତି ପ୍ରକ୍ରିୟା ହୋଇ ପାରୁ ନଥିଲା। ନୂତନ ଅଧିନିୟମ ଆସିବା ପରେ କିଛିଟା ଆଶା ସଞ୍ଚାର ହୋଇଛି। ଏଭଳି ତରବରିଆ ନିଷ୍ପତ୍ତି ଯୋଗୁଁ ଆଶାୟୀମାନେ ଯଦି ପୁଣିଥରେ କୋର୍ଟ ଯାଆନ୍ତି ତାହା ହେଲେ ସମସ୍ୟା ଆହୁରି ବଢ଼ିବ। କୁହାଯାଉଛି ଯେ ଭାରପ୍ରାପ୍ତ ଦାୟିତ୍ବରେ ଥିବା କେତେଜଣ କୁଳପତି ନିଜ ଅନୁଗତମାନଙ୍କୁ ଥଇଥାନ କରିବାକୁ ଏବେଠାରୁ ଯୋଜନା କରିଛନ୍ତି। କାରଣ ସେମାନଙ୍କ ହାତରେ ଅତି ବେଶିରେ ଆଉ ୪ରୁ ୫ ମାସ କ୍ଷମତା ରହିବାକୁ ଥିବାରୁ ସେହି ସମୟ ମଧ୍ୟରେ ନିକଟତମମାନଙ୍କୁ ନିଯୁକ୍ତି କରିଦେବେ। ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ହେଲେ ସରକାର ପ୍ରଥମେ କୁଳପତି ଚୟନ କରିବା ଆବଶ୍ୟକ। ଏବେଠାରୁ ବିଜ୍ଞପ୍ତି ପ୍ରକାଶ ପାଇଲେ ଦୁଇ ମାସ ମଧ୍ୟରେ କୁଳପତି ଚୟନ ପ୍ରକ୍ରିୟା ଶେଷ ହେବ। ଏଥିସହ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ଶିକ୍ଷାବିତ୍ମାନେ ମତ ରଖୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/utkal.jpg)