ଭୁବନେଶ୍ବର : ଦ୍ରୌପଦୀ ମୁର୍ମୁ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଜାତୀୟ ରାଜନୀତିରେ ଦୃଶ୍ୟପଟ୍ଟ ବଦଳିବାକୁ ଯାଉଛି। ଯେଉଁ ଦଳଗୁଡ଼ିକ ମିଳିତ ବିରୋଧୀ ଦଳରେ ସାମିଲ୍ ହୋଇନାହାନ୍ତି କି ଏନ୍ଡିଏକୁ ଖୋଲାଖୋଲି ସମର୍ଥନ କରିନାହାନ୍ତି ସେମାନେ ଏବେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର। ଏହି ଦଳଗୁଡ଼ିକ ଯେତିକି ଦ୍ବନ୍ଦ୍ବରେ ନାହାନ୍ତି ତା’ଠାରୁ ବେଶି ଅକଳରେ ଏବେ ଓଡ଼ିଶା କଂଗ୍ରେସ ପଡ଼ିଯାଇଛି। କଂଗ୍ରେସ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଥିବାରୁ ଓଡ଼ିଶା କଂଗ୍ରେସର ବିଧାୟକମାନେ ପାର୍ଟି ପଛରେ ଯିବେ ନା ମାଟିର ଝିଅକୁ ଭୋଟ୍ ଦେବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି।
ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ସବୁ ଦଳର ସଭ୍ୟମାନେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ନିର୍ବାଚିତ କରିବାକୁ ଅପିଲ୍ କରି ଟୁଇଟ୍ କରିବା କଂଗ୍ରେସକୁ ଏକ ଖୋଲା ଆହ୍ବାନ ହୋଇଛି। ବିଜେଡି ଓ ବିଜେପି ବିଧାୟକ ଏନ୍ଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି ଜାଣିବା ସତ୍ତ୍ବେ ବି ମୁଖ୍ୟମନ୍ତ୍ରୀ ସବୁ ଦଳକୁ ଆହ୍ବାନ କରିବା ପଛରେ କଂଗ୍ରେସର ସମର୍ଥନ ଲୋଡ଼ିଥିବା କୁହାଯାଉଛି।
କଂଗ୍ରେସ ଦଳର ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଆମ ପାଇଁ ଗୌରବର ବିଷୟ। ଆମ ପାଇଁ ସଦାବେଳେ ମାଟି ଆଗ। ହେଲେ ନିର୍ବାଚନ ହେଉଥିବାରୁ ପାର୍ଟି ଆଗ ହେବ। ମୁଁ କଂଗ୍ରେସ କ୍ୟାଡର ନେତା ହୋଇଥିବାରୁ ଦଳ ଯାହାକୁ କହିବ ତାଙ୍କୁ ଭୋଟ୍ ଦେବୁ।
ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ନଦେଲେ ଓଡ଼ିଆ ଝିଅଙ୍କୁ ସମର୍ଥନ ନକରିବାର ଅପବାଦ ଦଳ ମୁଣ୍ଡାଇବ ନାଁ ଦଳ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରି ଦ୍ରୌପଦୀଙ୍କୁ ଭୋଟ୍ ଦେବ ତାହାକୁ ଅପେକ୍ଷା ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/congress-bhawan.jpg)