କେଉଁ କାମରେ ଲାଗିଲା ୩୮୫୦କୋଟି?

ତଥାପି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଜୁଳି ପାଇଲେନି ଉପଭୋକ୍ତା

ଲକ୍ଷ୍ୟରେ ବିଫଳ ହେଲା ଓଡ଼ିଶା ବଣ୍ଟନ ବ୍ୟବସ୍ଥା ସୁଦୃଢୀକରଣ ପ୍ରକଳ୍ପ
୩ ପ୍ରତିଶତ ହାରରେ କମୁନି ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି
ନିୟାମକ ଆୟୋଗ ବିସ୍ମିତ; କିଛି ଅଞ୍ଚଳରେ କ୍ଷତି ୫୦%ରୁ ୭୪%
ଯୋଜନାର କାର୍ଯ୍ୟାନ୍ବୟନ ସଂକ୍ରାନ୍ତରେ ସିଏଜି ଉଠାଇଛନ୍ତି ସାଂଘାତିକ ପ୍ରଶ୍ନ

ଭୁବନେଶ୍ୱର : ୩୮୫୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏକ ବିଶାଳ ଯୋଜନା କରାଗଲ। ପ୍ରତିଶ୍ରୁତି ମିଳିଲା ଯେ ଓଡ଼ିଶା ବଣ୍ଟନ ବ୍ୟବସ୍ଥା ସୁଦୃଢୀକରଣ ପ୍ରକଳ୍ପ ବା ଓଡିଏସଏସପିର କାର୍ଯ୍ୟାନ୍ବୟନ ପରେ ଉପଭୋକ୍ତା ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ପାଇବେ। ୨୦୧୮-୧୯ ମସିହାରୁ ବାର୍ଷିକ ୩ ପ୍ରତିଶତ ହାରରେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି (ଏଟି ଆଣ୍ଡ ସି) ମଧ୍ୟ କମିବ।

ଅଟକଳ ଅର୍ଥ ଖର୍ଚ୍ଚ ହେଲା। କିନ୍ତୁ ଉଦ୍ଦେଶ୍ୟ ସାଧନ ହେଲା ନାହିଁ। ଏଟି ଆଣ୍ଡ ସି କ୍ଷତି ହାର ଏବେ ବି ଚିନ୍ତାଜନକ ସ୍ଥିତିରେ। ୨୦୧୮-୧୯ରେ କ୍ଷତି ପରିମାଣ ୩୦.୫୭% ଥିବା ବେଳେ ୨୦୧୯-୨୦ରେ ଏହା ୨୯.୪୫% ଓ ୨୦୨୦-୨୧ରେ ୨୭.୮୭% ପ୍ରତିଶତ ରହିଛି। ଅର୍ଥାତ୍ ତିନିବର୍ଷରେ ପାଖାପାଖି ଅଢ଼େଇ ପ୍ରତିଶତରୁ ସାମାନ୍ୟ ଅଧିକ କମିଛି।

ଅନ୍ୟପଟେ ଏହି ଯୋଜନା କାର୍ଯ୍ୟାନ୍ବୟନ ସଂପର୍କରେ ସିଏଜି ଯେଉଁ ଆପତ୍ତି ଉଠାଇଛନ୍ତି, ସେଥିରୁ ସଙ୍କେତ ମିଳୁଛି ଯେ ବିଦ୍ୟୁତ ଭିତ୍ତିଭୂମି ସୃଷ୍ଟିରେ ଏକ ବଡ ଧରଣର କେଳେଙ୍କାରୀ ହୋଇଛି। ସିଏଜି କହିଛନ୍ତି ଯେ ଏହି ପ୍ରକଳ୍ପରୁ ଆଶାନୁରୂପକ ସଫଳତା ମିଳିନାହିଁ। ବରଂ ନିର୍ମାଣ ସମୟରେ ଢାଞ୍ଚାଗତ ତ୍ରୁଟି, ଅତି ଉଚ୍ଚ କ୍ଷମତାର ତ୍ରୁଟିପୂର୍ଣ୍ଣ ଟ୍ରାନସଫର୍ମର ସ୍ଥାପନ, ସନ୍ତୁଳିତ ବିଦ୍ୟୁତ ପ୍ରବାହ ଏବଂ ଉଚ୍ଚ କ୍ଷମତା କଣ୍ଡକ୍ଟର ସ୍ଥାପନ ଫଳରେ ଏଟି ଆଣ୍ଡ ସି କ୍ଷତି କମିପାରିଲା ନାହିଁ। ଆହୁରି ଉଦବେଗର କଥା ହେଲା ଯେ ଯୋଜନା ପ୍ରସ୍ତୁତ ବେଳେ ଏହାର ଉଚ୍ଚସ୍ତରୀୟ ଅନୁଧ୍ୟାନ ପାଇଁ ସରକାର କହିଥିଲେ ଯେ ଗୋଟିଏ ଷ୍ଟିଅରିଂ କମିଟି ଗଠନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ସହିତ ଶକ୍ତି କ୍ଷେତ୍ରରେ ପ୍ରମୁଖ ସଂସ୍ଥାମାେନ ସଦସ୍ୟ ରହିବେ। ମାତ୍ର ପ୍ରକଳ୍ପ ଶେଷ ହୋଇଗଲା ସିନା, ଷ୍ଟିଅରିଂ କମିଟି ଗଠନ ହୋଇପାରିଲା ନାହିଁ। କେବଳ ସେତିକି ନୁହେଁ, ଓପିଟିସିଏଲ୍ ଓ ବଣ୍ଟନ କଂପାନି ମାନଙ୍କ ମଧ୍ୟରେ ସର୍ବନିମ୍ନ ସମନ୍ବୟ ମଧ୍ୟ ନଥିଲା। ଏପରିକି ଯେଉଁ ସବୁ ସବଷ୍ଟେସନ୍ କାର୍ଯ୍ୟ ଶେଷ ହୋଇସାରିଥିଲା, ସେସବୁ ମଧ୍ୟ ବଣ୍ଟନ କଂପାନିମାନଙ୍କୁ ହସ୍ତାନ୍ତର ହୋଇପାରିଲା ନାହିଁ।

Ommcom News

ସିଏଜିଙ୍କ ରିପୋର୍ଟକୁ ନିରେଖି ଦେଖିଲେ ବୁଝାପଡୁଛି ଯେ ଏସଂପର୍କରେ ସମସ୍ତେ ଜାଣିଥିଲେ। ୨୦୧୯ ମାର୍ଚ୍ଚ ମାସରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ମଧ୍ୟ ଏ ନେଇ ଉଦବେଗ ପ୍ରକାଶ କରିିଥିଲେ। ଜଣାଇଥିଲେ ଯେ ବଣ୍ଟନ କଂପାନିମାନଙ୍କର କିଛି ଅଞ୍ଚଳରେ ଏଟି ଆଣ୍ଡ ସି କ୍ଷତି ୫୦ରୁ ୭୪ ପ୍ରତିଶତ ପର୍ଯ୍ୟନ୍ତ ରହୁଛି। ଠିକ୍ ସମୟରେ ପ୍ରକଳ୍ପ ଶେଷ ନ ହେବା, ପ୍ରକଳ୍ପର ମୂଲ୍ୟ ୨୬୦୦ରୁ ୩୮୪୩ କୋଟି ଟଙ୍କାକୁ ବଢ଼ିବା ସତ୍ତ୍ବେ ଏହା ହାସଲ ହୋଇପାରିଲା ନାହିଁ।

ଉଲ୍ଲେଖଥାଉକି, ୧୯୯୯ରେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଘରୋଇକରଣକୁ ଅନୁମତି ଦିଆଯିବା ବେଳେ ରାଜ୍ୟ ସରକାର ଅନୁଭବ କରିଥିଲେ ଯେ ଏଥିପାଇଁ କିଛି ପୁଞ୍ଜି ବିନିଯୋଗ କରିବାକୁ ହେବ। ହେଲେ ଉତ୍କଟ ଆର୍ଥିକ ସ୍ଥିତି କାରଣରୁ ଏହା ସମ୍ଭବ ହୋଇନଥିଲା। ୨୦୧୦ରେ ରାଜ୍ୟ ସରକାର କାପେକ୍ସ ଯୋଜନା ଆରମ୍ଭ କଲେ, ଯେଉଁଥିରେ ୨୪୦୦ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରହିଥିଲା।ହେଲେ ଘରୋଇ କଂପାନିମାନେ ପୁଞ୍ଜି ଖର୍ଚ୍ଚ ଦିଗରେ ଅନାଗ୍ରହ ପ୍ରଦର୍ଶନ କରିବା କାରଣରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଲା ନାହିଁ, ବରଂ ଅଧାପନ୍ତରିଆ ରହିଗଲା।

୨୦୧୩ରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ରାଜ୍ୟର ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ୨୨.୧୭ ପ୍ରତିଶତ ରଖିବା ପାଇଁ ବଣ୍ଟନ କଂପାନିମାନଙ୍କୁ ନିର୍ଦେଶ ଦେଇଥିଲେ। ଏହାର ପରିମାଣ ଥିଲା ୩୬.୫୨ ପ୍ରତିଶତ। ସେବେ ବଣ୍ଟନ କଂପାନିମାନେ ଭରସାଯୋଗ୍ୟ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣରେ ମଧ୍ୟ ବିଫଳ ହୋଇଥିଲେ।
ହିସାବ କରି ଦେଖାଗଲା ଯେ ରାଜ୍ୟରେ ମୋଟ ୧୨୦୦ଟି ୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ୍ ଆବଶ୍ୟକ। ସେବେ ମାତ୍ର ୫୫୦ଟି ରହିଥିଲା। ଏଣୁ ଏହାକୁ ବିଚାରକୁ ନେଇ ୨୦୧୩ ଜୁଲାଇରେ ରାଜ୍ୟ କ୍ୟାବିନେଟ ୫୦୦ଟି ନୂଆ ୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୨୬୦୦ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରଖାଯାଇଥିଲା। ଏହି ପ୍ରକଲ୍ପର ନାମ ଓଡ଼ିଶା ବଣ୍ଟନ ବ୍ୟବସ୍ଥା ସୁଦୃଢୀକରଣ ପ୍ରକଳ୍ପ ବା ଓଡିଏସଏସପି ରଖାଯାଇଥିଲା।

pe.gatech.edu

ଓଡ଼ିଶା ବାତ୍ୟା ବା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ,ଏକଥା ସମସ୍ତେ ଜାଣନ୍ତି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ଏକଥା ଉଲ୍ଲେଖ କରି ଆସିଛନ୍ତି। ଅଥଚ ଶକ୍ତି ବିଭାଗ ସମ୍ଭବତଃ ଏକଥା ଅନୁଭବ କରିପାରିନଥିଲେ। ଏହି ଯୋଜନା କାର୍ଯ୍ୟକାରୀ ହେବାର ଚାରିବର୍ଷ ପରେ ହଠାତ୍ ସରକାରଙ୍କ ନିଦ ଭାଙ୍ଗିଲା। ୨୦୧୭ ନଭେମ୍ବରରେ ଏହି ପ୍ରକଳ୍ପରେ ପୁଣି ପରିବର୍ତ୍ତନ ଆଣିଲେ ଶକ୍ତି ବିଭାଗ। ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଏହି ସବଷ୍ଟେସନ୍ ନକ୍ସାରେ ପରିବର୍ତ୍ତନ କରାଗଲା। ସ୍ଥିର ହେଲା ଯେ ୪୭୩ଟି ସବଷ୍ଟେସନ୍ ହେବ, ଯେଉଁଥିରେ ୩୮୪୩ କୋଟି ଟଙ୍କା ଖର୍ଚ୍ଚ ହେବ। ସରଳ ଭାବେ କହିଲେ, ପ୍ରକଳ୍ପ ସଂଖ୍ୟାରେ ୨୭ଟି ହ୍ରାସ କରାଗଲା ଓ ପ୍ରକଳ୍ପ ମୂଲ୍ୟ ୧୨୪୩ କୋଟି ବୃଦ୍ଧି ପାଇଲା। ସରକାର ଯୁକ୍ତି ରଖିଲେ ଯେ ଏହି ଅର୍ଥ ଖର୍ଚ୍ଚ ଦ୍ବାରା ପ୍ରତିବର୍ଷ ୩ ପ୍ରତିଶତ (ଯାହାର ସେ ସମୟରେ ମୂଲ୍ୟ ୨୫୫ କୋଟି) ଲେଖାଏଁ ଏଟି ଆଣ୍ଡ ସି କ୍ଷତି କମିବ। ଓପିଟିସିଏଲ୍ ଏହାର ନୋଡାଲ୍ ଏଜେନ୍ସି ରହିଲେ। ଶକ୍ତି ବିଭାଗ, ଅର୍ଥ ବିଭାଗ, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନସଲଟାଣ୍ଟ, ବଣ୍ଟନ କଂପାନି ଏବଂ ଏକ ଷ୍ଟିଅରିଂ କମିଟି ସମସ୍ତେ ମିଶି ଏହି ପ୍ରକଳ୍ପକୁ ଆଗେଇ ନେବେ।

ହେଲେ ସିଏଜି ଏହି ରିପୋର୍ଟ ଉପରେ ଖୋଳତାଡ଼ କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ ଅଗଷ୍ଟ ମାସରେ ସିଏଜି ଦେଖିଛନ୍ତି ଯେ ମୋଟ ଅଟକଳରୁ ୩୧୩୦ କୋଟି ୮ ଲକ୍ଷ ଟଙ୍କା (୮୧ ପ୍ରତିଶତ) ଖର୍ଚ୍ଚ ହୋଇଛି ଏବଂ ୧୭୦ଟି ସବଷ୍ଟେସନ୍ (୩୬ ପ୍ରତିଶତ) ଶେଷ େହାଇଛି। ଜାନୁଆରି ୨୦୨୧ରେ ପୁଣି ଦେଖିଛନ୍ତି ଯେ ୩୩୪୬ କୋଟି (୮୭ ପ୍ରତିଶତ) ଖର୍ଚ୍ଚ ହୋଇଛି, ଅଥଚ ୩୫୬ ସବଷ୍ଟେସନ ନିର୍ମାଣ ହୋଇପାରିଛି, ଯାହା ୭୫.୨୬ ପ୍ରତିଶତ।
ନିର୍ଦିଷ୍ଟ ସମୟସୀମା ଡେଇଁଯାଇଥିଲେ ହେଁ ପ୍ରକଳ୍ପ କାର୍ଯ୍ୟ ସରିନଥିବା ସିଏଜିଙ୍କୁ ବିସ୍ମିତ କରିଛି। ଏହା ପରେ ବି ଏଟି ଆଣ୍ଡ ସି ନ କମିବା ଦେଖି ଅଡିଟ୍ ଟିମ୍ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି।

ଅଡିଟ୍ କହିଛନ୍ତି ଯେ ଯେଉଁ ସମୟରେ ଓପିଟିସିଏଲ୍ ପ୍ରକଳ୍ପ ପାଇଁ ପ୍ରସ୍ତାବ ମାଗିଲା, ସେେବ କାର୍ଯ୍ୟ ଅଭିଜ୍ଞତାକୁ ବିଚାରକୁ ନେଇନଥିଲା। ଓପିଟିସିଏଲ୍ ଏହାକୁ ଫାଙ୍କି ଦେଇଛି। ହେଲେ ଅଡିଟ୍ ଟିମ୍ ଏହାକୁ ଗ୍ରହଣ କରିନାହାନ୍ତି। ବରଂ ଯୁକ୍ତି ରଖିଛନ୍ତି ଯେ ଯେଉଁ ଠିକାଦାରମାନେ ୧୦୦ଟି ପ୍ରକଳ୍ପ କରିବାର କ୍ଷମତା ରଖନ୍ତି, ସେମାନଙ୍କ ହାତରେ ୩୯୭ ସବଷ୍ଟେସନ ଟେକି ଦିଆଗଲା। ମାସକରୁ ୫୫ମାସ ପର୍ଯ୍ୟନ୍ତ ପ୍ରକଳ୍ପରେ ବିଳମ୍ବ ହୋଇଥିବା ଅଡିଟ୍ ତାଙ୍କ ରିପୋର୍ଟରେ କହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ୩୮୫୦ କୋଟି ଟଙ୍କା ଖର୍ଚ୍ଚ ହେବାପରେ ଯେତେବେଳେ ଲୋକେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ପାଉନାହାନ୍ତି, ସେତେବେଳେ କାହା ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ ହେବ?

ସମ୍ବନ୍ଧିତ ଖବର