ଓକାକ୍ ସିଇଓଙ୍କୁ ହ୍ବାଟସଆପ୍ ହ୍ୟାକ୍‌ କରି ଟଙ୍କା ଠକେଇ ମାମଲା: ବେଙ୍ଗାଲୁରୁରୁ ହ୍ବାଟସଆପ୍ ହ୍ୟାକ୍ କରିଛି ସାଇବର ଠକ

ତଦନ୍ତ କରିବାକୁ ଯିବ ସାଇବର ଥାନା ଟିମ୍
ତିନି ଆକାଉଣ୍ଟକୁ ଯାଇଛି ଠକେଇ ଟଙ୍କା, ଅଚଳ ପାଇଁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍ ସେଣ୍ଟର(ଓକାକ୍) ସିଇଓ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟସଆପ୍ ହ୍ୟାକ୍ ଘଟଣାକୁ ଗୁରୁତ୍ବର ସହ ନେଇଛି କ୍ରାଇମବ୍ରାଞ୍ଚ। ବେଙ୍ଗାଲୁରୁରୁ ସାଇବର ଠକ ହ୍ବାଟସଆପ୍ ହ୍ୟାକ୍ କରିଥିବା ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍।

ଠକେଇରେ ବ୍ୟବହାର କରାଯାଇଥିବା ମୋବାଇଲ ନମ୍ବରରୁ ଏହା ଜଣାପଡ଼ିଛି। ଖୁବ୍‌ଶୀଘ୍ର ଏକ ତଦନ୍ତକାରୀ ଟିମ୍ ବେଙ୍ଗାଲୁରୁ ଯାଇ ଅଧିକ ଛାନଭିନ୍ କରିବ ବୋଲି ଜଣାପଡ଼ିଛି। ଶ୍ରୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଓ ସେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ବୋଲି ତାଙ୍କର ବନ୍ଧୁ, ସମ୍ପର୍କୀୟ, ଅଫିସ କର୍ମଚାରୀଙ୍କୁ ଠକ ମେସେଜ୍ କରି ଯେଉଁ ଟଙ୍କା ଲୁଟିଥିଲା, ତାହା ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଛି। ସେହି ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ପାଇଁ ଚିଠି ଲେଖାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସାଇବର ଅପରାଧୀମାନେ ଶ୍ରୀ ପଟ୍ଟନାୟକଙ୍କ ହ୍ବାଟସଆପ୍ ହ୍ୟାକ୍ କରିବା ସହ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା କହି କଣ୍ଟାକ୍ଟ ତାଲିକାରେ ଥିବା ବ୍ୟକ୍ତିମାନଙ୍କୁ ଟଙ୍କା ମାଗିଥିଲେ। ତାଙ୍କ ଅଫିସ୍‌ର କର୍ମଚାରୀମାନେ ୫ଲକ୍ଷ ଟଙ୍କା ଓ ଅନ୍ୟ ଜଣେ ୨ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ସହିଦନଗର ଥାନା ପୁଲିସ ମାମଲା ରୁଜୁ କରିଥିବା ବେଳେ ସାଇବର ଥାନା ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର