ଦିବ୍ୟାଙ୍ଗ ଭୋଟର ବୁଥ୍‌ରେ ର‍୍ୟାମ୍ପ୍‌, ହ୍ଵିଲ ଚେୟାର

ଭୁବନେଶ୍ୱର: ଦିବ୍ୟାଙ୍ଗ ପାଇଁ ସୁଗମ ମତଦାନ ପାଇଁ ଆସନ୍ତା ମାସ ୫ତାରିଖରେ ପଞ୍ଚାୟତସ୍ତରରେ ସ୍ୱତନ୍ତ୍ର ପଞ୍ଜୀକରଣ କ୍ୟାମ୍ପ ଆୟୋଜନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ଚିଠି ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଷ୍ଟିୟରିଂ କମିଟି ଚଳିତମାସ ଶେଷ ସୁଦ୍ଧା ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିବା ସହ କ୍ୟାମ୍ପ କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଓ ସିଭିଲ ସୋସାଇଟିର କର୍ମକର୍ତାଙ୍କୁ ନେଇ ରାଜ୍ୟସ୍ତରୀୟ ଦିନିକିଆ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ କୁମାର, ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟର ୧୮ବର୍ଷରୁ ଅଧିକ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଭୋଟରମାନଙ୍କ ନାମ ପଞ୍ଜୀକରଣ ସହିତ ଆସନ୍ତା ନିର୍ବାଚନରେ ସୁଗମ ମତଦାନ ନେଇ ଆଲୋକପାତ କରିଥିଲେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ ଆର ଯାଦବ, ଦିବ୍ୟାଙ୍ଗ ଭୋଟରଙ୍କ ନାମ ପଞ୍ଜୀକରଣକୁ ପ୍ରାଥମିକତା ଦେବାକୁ ସଂପୃକ୍ତ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାଙ୍କୁ ଅନୁରୋଧ କରିଥିଲେ। ନିର୍ବାଚନ ସମୟରେ ଯେଉଁ ଯେଉଁ ବୁଥରେ ଏକାଧିକ ଦିବ୍ୟାଙ୍ଗ ଭୋଟର ରହିଥିବେ ସେସବୁ ବୁଥମାନଙ୍କରେ ସ୍ୱତନ୍ତ୍ର ର‍୍ୟାମ୍ପ ନିର୍ମାଣ ସହି ଗୋଟିଏ ଲେଖାଏଁ ହ୍ଵିଲ ଚେୟାର ଯୋଗାଇ ଦିଆଯିବ। ଏହି କର୍ମଶାଳାରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆୟର ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ କାହ୍ନଚରଣ ସାହୁ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର