ବ୍ରହ୍ମପୁର: ଆଜି ଅପରାହ୍ନ ସମୟରେ ଗଭୀର ସମୁଦ୍ର ଭିତରୁ ଭାସି ଆସିଥିଲା ଏକ ବିଶାଳକାୟ ହ୍ବେଲ୍ ସାର୍କ। ବେଳାଭୂମିରେ ଲାଗି ଛଟପଟ ହେଉଥିଲା ସାର୍କ। ହାତ ପାଆନ୍ତାରେ ଏତେ ବଡ଼ ସାର୍କକୁ ଦେଖି ସେଠାରେ ଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ତା’ଠାରୁ ସେତିକି ଛାନିଆ ହୋଇଯାଇଥିଲେ। କ’ଣ କରିବେ ଚିନ୍ତାରେ ପଡ଼ି ଯାଇଥିଲେ। ହ୍ବେଲ୍ ସାର୍କଟି ପୁଣି ସମୁଦ୍ର ଭିତରକୁ ଛାଡ଼ିବା ପ୍ରୟାସ ଆରମ୍ଭ କରିଥିଲେ।
ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିକୁ ଆଜି ଅପରାହ୍ଣ ସାଢ଼େ ୩ଟାରେ ପ୍ରାୟ ୧୦ଫୁଟ ଲମ୍ବର ଏକ ହ୍ବେଲ୍ ସାର୍କ ଆସି ଲାଗିଥିଲା। ହ୍ବେଲ୍ ସାର୍କକୁ ପ୍ରଥମେ ସେଠାରେ ଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ। ସୂଚନା ମିଳିବା ପରେ ସୁନାପୁର ମେରାଇନ ଥାନାରେ ନିୟୋଜିତ ହୋମ ଗାର୍ଡ ଓ ଫରେଷ୍ଟ ଗାର୍ଡ ମିଶି ଉକ୍ତ ସାର୍କକୁ ସମୁଦ୍ର ଭିତରକୁ ନେଇ ଛାଡି ଦେଇଥିଲେ।
ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଅନିଲ ମହାପାତ୍ର କହିଛନ୍ତି ଏହା ହେଉଛି ଏକ ହ୍ବେଲ୍ ସାର୍କ । ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଅନୁଯାୟୀ ଏହା ସିଡ୍ୟୁଲ-୧ ଶ୍ରେଣୀରେ ଅନ୍ତର୍ଭୁକ୍ତ। ତେଣୁ ଏହାକୁ ପାଳନ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ।
ବେଳାଭୂମିରେ ସାମୁଦ୍ରିକ ଜୀବଜନ୍ତୁ ଦେଖାଯିବା ନୂଆ କଥା ନୁହେଁ। ଅନେକ ସମୟରେ ତିମି, ସାର୍କ, ଡଲଫିନ୍ ଓ ଅନ୍ୟ ସାମୁଦ୍ରିକ ଜୀବଜନ୍ତୁ ଜଳର ସ୍ରୋତରେ ଭାସି ଆସି ବେଳାଭୂମିରେ ପହଂଚିଥାନ୍ତି। ବେଳେ ବେଳେ ସାମୁଦ୍ରିକ ଜୀବମାନଙ୍କୁ ମୃତ ଅବସ୍ଥାରେ ବେଳାଭୂମିରୁ ଉଦ୍ଧାର କରାଯାଉଛି।
ସୂଚନାଯୋଗ୍ୟ, ଗତ ୧୦ ଦିନ ପୂର୍ବରୁ ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବନ୍ଦର ଜେଟିରେ ଏକ ବିଶାଳ ହ୍ବେଲ ସାର୍କ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ବନ ବିଭାଗ ଓ ମତ୍ସ୍ୟଜୀବୀମାନେ ଏହାକୁ ନେଇ ସମୁଦ୍ର ଭିତରେ ଛାଡ଼ିଦେଇଥିଲେ। ସେହିପରି ଗତବର୍ଷ ମଧ୍ୟ ରାମିଆପାଟଣାରେ ଏକ ସାର୍କ ଲାଗିଥିଲା। ତାଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନେଇ ଛଡ଼ାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ମରିଯାଇଥିଲା।