କଟକ: ପୁରୀ ଶ୍ରୀମନ୍ଦିରକୁ ହ୍ବିଲ୍ଚେୟାର ମାଧ୍ୟମରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ବିଚାରାଧୀନ ଜନସ୍ବାର୍ଥ ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନ ଉତ୍ତରଦ୍ବାରରୁ ବାହାରଗୁମୁଟ ଓ ବାହାରଗୁମୁଟରୁ ଉତ୍ତରଦ୍ୱାର ଭିତରଗୁମୁଟ ପର୍ଯ୍ୟନ୍ତ ରୢାମ୍ପ୍ ରହିଛି। ସେହିପରି ଘଣ୍ଟି ଦ୍ବାର ନିକଟ ଭିତର ବେଢ଼ାଠାରୁ ନାଟମଣ୍ଡପ ପର୍ଯ୍ୟନ୍ତ କାଠ ରୢାମ୍ପ୍ ବ୍ୟବସ୍ଥା ରହିଛି। ତେବେ ଭିତରଗୁମୁଟରୁ ଭିତର ବେଢ଼ାକୁ ପ୍ରବେଶ ପାଇଁ ପାହାଚ ରହିଛି। ଏଠାରେ ଦିବ୍ୟାଙ୍ଗଙ୍କ ଅନୁକୂଳ ପଥ ବା ରୢାମ୍ପ୍ କରିବା ପାଇଁ ବ୍ୟୟ ଅଟକଳ କରାଯାଇଛି। ରୢାମ୍ପ୍ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ଚୂଡ଼ାନ୍ତ ହେବା ପରେ ନିର୍ମାଣ କାମ ଆରମ୍ଭ ହେବ। ୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରେ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଶୁଣାଣି ସମୟରେ ଆବେଦନକାରୀ ଏହି ମାମଲାରେ ଜାନୁଆରି ୨୨ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହ୍ବିଲ୍ଚେୟାର ମାଧ୍ୟମରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ସୁପ୍ରିମକୋର୍ଟଙ୍କ ୨୦୧୯ ନଭେମ୍ବର ୪ର ନିର୍ଦ୍ଦେଶ ଅନୁପାଳନ ସଂପର୍କିତ ଆଉ ଏକ ସତ୍ୟପାଠ ଦାଖଲ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଦିବ୍ୟାଙ୍ଗ ବିଶେଷ କରି ହ୍ବିଲ୍ଚେୟାର ଉପରେ ନିର୍ଭର କରୁଥିବା ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଉ ବୋଲି ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଛି। ଆବେଦନକାରୀଙ୍କ ତରଫରୁ ଦାୟର ମାମଲାରେ ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସୁପ୍ରିମକୋର୍ଟଙ୍କ ୨୦୧୯ ନଭେମ୍ବର ୪ର ନିର୍ଦ୍ଦେଶରେ ଏହି କଥା ଉଲ୍ଲେଖ କରାଯାଇଥିଲା। ସେତେବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କହିଥିଲା ଯେ ଦିବ୍ୟାଙ୍ଗଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କ ପାଇଁ ଏପରି କିଛି ବ୍ୟବସ୍ଥା କରାଯାଇ ନାହିଁ। ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଜବାବ ରଖିବା ଆବଶ୍ୟକ ବୋଲି ହାଇକୋର୍ଟ କହିବା ସହିତ ଗତ ଜାନୁଆରି ୨୨ରେ ନୋଟିସ୍ ଜାରି କରିଥିଲେ। ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/19/GRZ0kZd02dTazPHk6L7r.jpg)