ଯୁକ୍ତ୨ ପରୀକ୍ଷା ଫଳ କେବେ? ଚିନ୍ତାରେ ପରୀକ୍ଷାର୍ଥୀ, ଅଭିଭାବକ

ଜୁଲାଇ ୩୧ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ

ଭୁବ‌ନେଶ୍ୱର : ଯୁକ୍ତ୨ ଖାତା ମୂଲ୍ୟାୟନ ସ୍ବାଭାବିକ ହୋଇପାରୁନି। ଏବେ ବି ସମସ୍ୟା ରହିଛି। କରୋନା ସଂକ୍ରମଣ ରୋକିବା ଲାଗି ଅର୍ଧାଧିକ ଜିଲ୍ଲାରେ ସଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଆଦି କରାଯାଉଛି। ଯେଉଁଥିପାଇଁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସିପାରୁ ନାହାନ୍ତି। ଦିନେ ଦିନେ ଖାତା ଦେଖା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହୁଛି। ଆଉ ଦିନେ ଦିନେ ୫୦ ପ୍ରତିଶତ ମୂଲ୍ୟାୟନକାରୀ ବି ଖାତା ଦେଖାରେ ସାମିଲ ହେଉ ନାହାନ୍ତି। ଦେଢ଼ ମାସ ହେଲା ଖାତା ମୂଲ୍ୟାୟନ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହେଉ ନ ଥିବାରୁ ଏବେ ଛାତ୍ରଛାତ୍ରୀ ଚିନ୍ତାରେ। କେବେ ସରିବ ଖାତା ଦେଖା? କେବେ ପ୍ରକାଶ ପାଇବ ପରୀକ୍ଷା ଫଳ? ‌କରୋନା ସମୟରେ ଏଭଳି ଚିନ୍ତାରେ ଦିନ କାଟୁଛନ୍ତି ରାଜ୍ୟର ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଖାତା ମୂଲ୍ୟାୟନ ବିଳମ୍ବ ହେଉଥିବା କଥା ସ୍ବୀକାର କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ‌ଶ୍ରୀ ଦାଶ କହିଛନ୍ତି ଯେ ଯୁକ୍ତ୨ ଖାତା ମୂଲ୍ୟାୟନ ନେଇ ସମସ୍ୟା ରହୁଛି। ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିବୁ। ଠିକ୍‌ ଭାବେ କିଭଳି ମୂଲ୍ୟାୟନ ହୋଇପାରିବ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ। ଶିକ୍ଷକମା‌ନେ କିଭଳି ବିନା କଟକଣାରେ ମୂଲ୍ୟାୟନରେ ସାମିଲ ହୋଇପାରିବେ ସେ ନେଇ ଆବଶ୍ୟକ ସୁବିଧା କରିବେ। ଖାତା ମୂଲ୍ୟାୟନ ସାମାନ୍ୟ ବିଳମ୍ବ ହେଉଥିବାରୁ ଜୁଲାଇରେ ଫଳ ପ୍ରକାଶ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଆଉ କିଛି ଦିନ ବିଳମ୍ବ ହୋଇପାରେ। ତେବେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଓ ଭବିଷ୍ୟତକୁ ନଜରରେ ରଖି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

image source–the indian express

ମନ୍ତ୍ରୀ ଶ୍ରୀ ଦାଶଙ୍କ ଏଭଳି ମନ୍ତବ୍ୟ ପରେ ସ୍ପଷ୍ଟ ହୋଇଛି ଯେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁଲାଇରେ ପ୍ରକାଶ ପାଇବ ନାହିଁ। ଫଳ ପ୍ରକାଶ ପାଇଲା ବେଳକୁ ଅଗଷ୍ଟ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ହୋଇଯିବ। ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇଲେ ଜାତୀୟସ୍ତରରେ ହେଉଥିବା ପ୍ରବେଶିକା ପରୀକ୍ଷା‌ରେ ସେମାନେ ଭାଗ ନେଇପାରିବେ ନାହିଁ।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ପ୍ରାୟ ୨୨ ଲକ୍ଷ ଉତ୍ତର ଖାତା ମୂଲ୍ୟାୟନ ଚାଲିଛି। ଏବେ ସୁଦ୍ଧା ସେଥିମଧ୍ୟରୁ ୧୪ ଲକ୍ଷ ଖାତା ଦେଖା ସରିଛି। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଦାଶ ଆହୁରି ସୂଚନା ଦେଇଛନ୍ତି ଯେ ମାଟ୍ରିକ୍‌ ଖାତାଦେଖା ଶେଷ ହୋଇଛି। ଏବେ ଟାବୁଲେସନ୍‌ କାର୍ଯ୍ୟ ଜାରି ରହିଛି। ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥର ସାଢ଼େ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି।

ସମ୍ବନ୍ଧିତ ଖବର